Blogs by Sangram Keshari Senapati
Showing posts with label ଓଡ଼ିଆ ଲେଖା. Show all posts
Showing posts with label ଓଡ଼ିଆ ଲେଖା. Show all posts

Sunday, 1 October 2017

କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ)

Sangram Keshari Senapati October 01, 2017 10
କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ)
କଲେଜ ଡାଏରୀ ଲେଖାର ୨ୟ ଭାଗ ଲେଖା ହେଉଛି ଏହି ଲେଖାଟି । ଏହି ଲେଖାଟି ପୂର୍ବଭାଗ ଯଦି ପଢ଼ିନାହାନ୍ତି, ତେବେ କଲେଜ ଡାଏରୀ- ୧ ପ୍ରଥମେ ପଢ଼ିବାକୁ ଅନୁରୋଧ ।

କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ) Golapi Dress re Se jhia

ଏମିତି ବୁଲୁବୁଲୁ ଏଣୁତେଣୁ କଥା ହେଉ ହେଉ ମୋ ଆଖି କିନ୍ତୁ ଲାଖିଗଲା କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗରେ । ବାରମ୍ବାର ସେଇ ରଙ୍ଗଟି ଆସୁଥିଲା ସାମ୍ନାକୁ ଆଉ ପୁଣି କିଛି କ୍ଷଣରେ କୁଆଡ଼େ ହଜିଯାଉଥିଲା ଆଖି ସାମ୍ନାରୁ । କେବେ କେବେ ଆମ ନିଜ କଥାରେ ଏତେ ମଜ୍ଜିଯାଇଥାନ୍ତି ଯେ, ସେହି ସମୟରେ କେହି ଆମ ଆଖି ଆଗରେ ଚାଲିଗଲେ ଆମ ନଜରରେ ବି ଆସେନି । ସେହିଭଳି ଜଣାନାହିଁ ମୋ ଆଖି ଆଗରେ କେତେଥର ସେହି ରଙ୍ଗ ଆସି ଚାଲିଯାଇଛି । ହେଲେ ଦୈବାତ୍ କେମିତି ଏକ ନ‌ଜର ପଡ଼ିଗଲା ସେହି ରଙ୍ଗ ଉପରେ । ସେ ରଙ୍ଗ ଆଉ କେଉଁ ରଙ୍ଗ ନୁହେଁ, ମୋର ପସନ୍ଦର ଗୋଲାପି ରଙ୍ଗ । ଆଉ ସେ ଗୋଲାପି ରଙ୍ଗର ପୋଷାକରେ ଥାଏ କେହିଜଣେ, ଯାହାକି ପ୍ରଥମ ଥର ଆସିଥିଲା ମୋ ଆଗକୁ । ସାଙ୍ଗରେ ତା'ର କେତୋଟି ବନ୍ଧୁ । ସେମାନେ ମଧ୍ୟ ମଜ୍ଜିଥାନ୍ତି ସେମାନଙ୍କର ଆଳାପରେ ।

ଆମର ଆଳାପ ତ' ଚାଲିଥାଏ ନିଜ ଭିତରେ, ହେଲେ ସେହି ସମୟର କିଛି ଅଲଗା ସ୍ମୃତି ଛାଇହୋଇଗଲା ମୋ ମନ ଭିତରେ । ପାଖରେ ଥିବା ମୋର ଦୁଇବନ୍ଧୁଙ୍କ କଥା ଶୁଣାଗଲାଣି ଠିକ୍‌ରେ । ସେମାନଙ୍କ କଥା କେବଳ ଏକ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଭଳି ଉଡ଼ି ଉଡ଼ି ଯାଉଥିଲା ମୋ କାନ ପାଖରୁ । ସତେ ଲାଗୁଥିଲା ଯେମିତି ଏହି ଦୁନିଆର ସମୟର ଗତିକୁ କିଏ ଧିର କରିଦେଇଛି ମୋ ପାଇଁ । ସବୁକିଛି ଧିର ଗତିରେ ଚାଲିଥିଲା ମୋ ଆଖି ଆଗରେ । ହଠାତ୍ ମୋର ଜଣେ ବନ୍ଧୁର କୌଣସି କଥାର ଉତ୍ତର ନ ଦେବାରୁ, ସେ ମୋତେ ଛୁଇଁ ପଚାରିଲା, ସେ କଥାଟି । ମାତ୍ର ସେ କଥାଟି ତ' ଶୁଣାଗଲାନାହିଁ, କିନ୍ତୁ ପ୍ରକୃତିସ୍ଥ ହେଲା ପରେ ଦେଖିଲା ବେଳକୁ ସେ ପୁଣୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇସାରିଛି ମୋ ଆଖି ଆଗରୁ । କଥା ସିନା ଶୁଣୁଥିଲି ସେହି ଦୁଇ ବନ୍ଧୁଙ୍କର, ହେଲେ ନଜର ଘୁରିବୁଲୁଥିଲା ଆଖପାଖରେ । ପୁଣିଥରେ କାଳେ ଆସିଯିବ ସେ ଆଖି ଆଗକୁ । ହେଲେ କିଛିସମୟ ଯାଏଁ ସେମିତି କିଛି ହେଲା ନାହିଁ । କାଇଁ କେଉଁଠି ସେ ଆଉ ନଜର ଆସିଲାନି ସେ ରଙ୍ଗ । ସେତେବେଳେ ମନରେ ଆସିଥାଏ, କିଛି ଭ୍ରାନ୍ତ ଧାରଣା । ଯେପରିକି, ମୁଁ କିଛି ସ୍ୱପ୍ନ ଦେଖୁ ନ ଥିଲି ତ? ମୋ ସ‌ହ କ'ଣ ସତରେ ଏମିତି କିଛି ଘଟିଥିଲା? ନା, ଏହି ବୋଧେ ମୋର କଳ୍ପନା ଥିଲା ମାତ୍ର । ଏମିତି ଭାବୁଭାବୁ ମୁଁ ଭାବରେ ରାଇଜରେ ବୁଡ଼ିଥିବାବେଳେ ହଠାତ୍ ଜଣେ ସାଙ୍ଗ ଆସି କ‌ହିଲା, ପୂଜକ ମହୋଦୟ ଆସିଲେଣି ଚାଲ ପୂଜା ଆରମ୍ଭ ହେବ ।

ସେହି ସ୍ଥାନରୁ ପୂଜା ପରିସରକୁ ଗଲୁ ଆମେ, ତ‌ଥାପି ଆଖିଦ୍ୱୟ ମୋର ମନେ ମନେ ଖୋଜୁଥିଲେ ସେହି ରଙ୍ଗକୁ । କାଇଁ କେଉଁଠି ତ' ସେ ରଙ୍ଗ ଦେଖାଯାଉନି । ହଁ, ଏହା ନିଶ୍ଚୟ ମୋ ମନର କୌଣସି ଧାରଣା ଥିବ । ରାତିରେ କିମ୍ୱା ଦିନରେ ମୁଁ ଶୋଇବା ବେଳ ମୋତେ ପ୍ରାୟତଃ ଏହି ଭଳି କିଛି ଅସମ୍ଭବ ସ୍ୱପ୍ନ ସବୁ ଅସିଥାଏ । ହୁଏତ ମୁଁ କଥାରେ ମଜ୍ଜିଯାଇଥିଲାବେ ମୋର ମନ କେଉଁ ଏକ ଅଲଗାର ଦୁନିଆର ଦୃଶ୍ୟକୁ ସଂଯୋଗ କରିଦେଇଥିଲା । ସେଇଥିପାଇଁ ମୋତେ ହଠାତ୍ ଏମିତି କିଛି ଲାଗିଥିଲା । ସକାଳୁ ଶେଜରୁ ଉଠିଲା ପରେ ଯେମିତି ରାତିର ସ୍ୱପ୍ନ‌କୁ ଭୁଲିଯାଏ, ସେହିଭଳି ଏହାକୁ ଭୁଲିଗଲି । ଏହା ନିଶ୍ଚୟ ମୋର ମନର ଏକ ଭୁଲ ଧାରଣା ଥିଲା । ସେଥିପାଇଁ କାହାକୁ କିଛି ନ ଜଣେଇ ପୁଣି ମିଶିଗଲି ସେହି ପୂଜାର ଖୁସିରେ । ପୂଜା ଘରଟି ଏତେ ବଡ଼ ନ ଥିଲା, ତ‌ଥାପି ଆମେ ଯେତିକି ପିଲା ଥିଲୁ ସମସ୍ତେ ସେହି ଘରେ ହିଁ ବସିଥିଲୁ । ଆମର ବାକି କଛି ସାଙ୍ଗସବୁ ଆସିସାରିଥିଲେ, ଆଉ ପୁଣି କିଛି ସିନିଅର, ଜୁନିଅର ପିଲାବି ଉପସ୍ଥିତ ଥାଆନ୍ତି ସେଇଠି । ସମସ୍ତଙ୍କର ମିଶ୍ରିତ ଉପସ୍ଥିତି ଏକ ନିଆରା ଅନୁଭୂତି ସୃଷ୍ଟି କରିଥିଲା ସେଇଠି । ସେଠାରେ ସଭିଙ୍କ ସ‌ହ କଥାବାର୍ତ୍ତାରେ ମଜ୍ଜିଗଲୁ ଆମେ ସବୁ । ପୂଜା ଆରମ୍ଭ ହେଲା, ଆଉ ପୁଷ୍ପାଞ୍ଜଳୀ ବି ଶେଷ ହେଲା । ଏବେ ପୂଜାରେ ଗୋଟିଏ ଜିନିଷ ଚାଲିଛି, ପୂଜା ଯେମିତି ବି ହେଉ ନା କାହିଁକି ଆମେ ଫଟୋ ବ‌ହୁତ ଉଠେଇବୁ । ସବୁ ମିଶିକି ଫଟୋ ଉଠେଇଲୁ । ସିଙ୍ଗେଲ ସେଲ୍‌ଫି, ଗୃପ୍ ସେଲ୍‌ଫି ଆଉ ପୁଣି କେବେ ଭଗବାନଙ୍କ ସ‌ହ ବି ସେଲ୍‌ଫି । ହଁ ଭଗବାନଙ୍କ ସ‌ହ କେମିତି ବ ନ ନେବୁ, ସେ ତ' ମାତ୍ର ଦିନଟିଏ ପାଇଁ ଆସୁଛନ୍ତି ଏହି ଧରାକୁ । ଯାହାହେଉ ସବୁ ଫଟୋ ଉଠା ପର୍ବପରେ ଭୋଜନର ବି ବ୍ୟବସ୍ଥା ହୋଇଥିଲା ।

ଏଇଠି ତ' ଆଉ ସେ ପୁରୁଣା ପରମ୍ପାରା ନାହିଁ ଯେ, ପୁଅମାନେ ଆଗ ଖାଇବେ କି ଝିଅମାନେ ଆଗ ଖାଇବେ । ସଭିଏଁ ଗୋଟିଏ ଜାଗାରେ ମିଶିକି ଖାଇବାର ମଜା ଥିଲା ମଜା ଥିଲା ସମ୍ପୂର୍ଣ୍ଣ ଅଲଗା । ଯେତିକି ପିଲାଥିଲୁ, ଏକାସାଙ୍ଗରେ ବସି ଖାଇବା ବି ସମ୍ଭବ ନୁହେଁ । ସେଇଥିପାଇଁ ଆଗ ଆମର ଜୁନିଅର ପିଲା, ମାନେ ୧ମ ବର୍ଷ ଆଉ ୨ୟ ବର୍ଷର ପିଲାମାନଙ୍କୁ ଖାଇବା ପାଇଁ କୁହାଗଲା । ସେମାନଙ୍କର ଖାଇବା ସରିବା ବେଳକୁ ଆମେ ପୁଣି ସବୁ ବାହାରେ ବ‌ସି କେଳି କରିବାରେ ବ୍ୟସ୍ତ ଥିଲୁ । ଏହିସବୁ ଭିତରେ ପୁଣିଥରେ ଆଗକୁ ଆସିଲା ସେହି ରଙ୍ଗଟି । ନା, ଏହା କୌଣସି ସ୍ୱପ୍ନ ନୁହେଁ, ଏହା ବାସ୍ତବତା । ବାସ୍ତବରେ କେହିଜଣେ ଆସିଥିଲା ମୋ ଆଖି ଆଗକୁ । ଏବେ ଆଉ ସେମିତି କିଛି ହେଲାନି, ଏବେ ସମ୍ପୂର୍ଣ୍ଣରୂପ ଦେଖିପାରୁଥିଲି ତା'ର ମୁହଁକୁ । ପ୍ରଥମଥର ପାଇଁ ଦେଖିଲି ସେହି ଚେହେରା ।

କିଏ ହେଇପାରେ ସେ? କଲେଜର ଏତେପିଲାମଧ୍ୟରେ କେହି ବି ହେଇପାରେ ସେ । ଆଉ ମୁଁ ତ' ସବୁପିଲାଙ୍କୁ ବି ଚିହ୍ନିନି । ଏମିତି ବି ହେଇପାରେ, କେହି ପିଲାସାଙ୍ଗରେ ବି ଆସିଥାଇପାରେ । ଏହି ଭାବନାରୁ ମୁଁ ବାହାରିଲା ବେଳକୁ କିଛି ପିଲାଙ୍କ ଭିଡ଼ ଭିତରେ କୁଆଡ଼େ ପୁଣି ହଜିଗଲା ସେ ଚେହେରାଟି ।  ପାଖରେ ଥିବା ଏତେ ସାଙ୍ଗଙ୍କ ମେଳିରୁ ବାହାରିବା ବି କଷ୍ଟ । ଆଉ ମୋ ନ‌ଜର ପୁଣି ଅଛି କାହା ଉପରେ, ଏହା ସେହି ମୁହୂର୍ତ୍ତରେ କାହାକୁ ଜଣା ପଡ଼ିଲେ ଆହୁରି ଅସୁବିଧା । କାରଣ‌ଟା ପ୍ରାୟଃ ସବୁ ଜାଣିଥିବେ, ସାଙ୍ଗମାନେ ହିଁ ସତେ ଯେମିତି ଦୁନିଆରେ ବଡ଼ ଶତ୍ରୁ । ସେହି ଜାଗାରେ ଏମିତି ଅବସ୍ଥା ଆଉ ଲୋକ‌ହସା କରେଇବେ ଯେ, କ‌ହିବାର ନାହିଁ । ଆଉ ତା' ପରେ ପୁଣି ଯଦି ସେହି ଅଜଣା ଚରିତ୍ରଟି ବିଷୟରେ ଜାଣିବା ଆଗରୁ, ସେ କେବେ ଦେଖିନେବ ଏମିତି ଦୃଶ୍ୟ, ଆଉ କେବେ ତା'ର ସାମ୍ନାକୁ ଆସିବାର ବି ସାହାସ ହେବନି । ସେଇଥିପାଇଁ ମୁଁ ଅନିଚ୍ଛା ସତ୍ତ୍ୱେ ବି ମନରେ ରଖିଲି ସେହି ଯିଜ୍ଞାସା । ଆଉ ମାତିଗଲି ସାଙ୍ଗମାନଙ୍କ ସାଙ୍ଗେ ।

ଏବେ ସମୟ ଆମମାନଙ୍କର ଖାଇବାର । ତିନିବର୍ଷରେ ପ୍ରଥମ ଥର ପାଇଁ ସଭିଏଁ ମିଶିକି ଖାଇବାକୁ ବସିଛୁ । ଯଦିଓ ଆମେ ଆଗରୁ ରୁମ୍‌ରେ କି କୌଣସି ସାଙ୍ଗର ଜନ୍ମଦିନରେ ଏମିତି ବସିକି ଖାଇଛୁ, ହେଲେ କଲେଜରେ ଏମିତି ସବୁ ମିଶିକି ଖାଇବ ପ୍ରଥମ । ଆଉ ସବୁ ମିଶିକି ଖାଇଲାବେଳେ କେହି ଚୁପ୍‌ଚାପ୍ ଖାଇବେ, ଏଇଟା କେବେ ହେଇପାରିବନି । କିଏ ଖାଇବାର ପ୍ରଶଂସା କରୁଛି, ତ ପୁଣି କିଏ ପୂଜା ଆଉ ପୁଣି କିଏ ସାଜସଜ୍ଜାର । ଏମିତି ସବୁ କଥାବାର୍ତ୍ତା ସ‌ହ ଶେଷର ଭୋଜନର ପରିସମାପ୍ତି ହେଲା । ଏବେ ସମୟ ପ୍ରତ୍ୟାବର୍ତ୍ତନର । ବସ ଡ୍ରାଇଭରମାନେ ବି ଖାଇସାରିଥିଲେ । ସେମାନେ ବସ ଲଗେଇକି ଏବେ ଛାଡ଼ିବା ପାଇଁ ଅପେକ୍ଷା କରିଛନ୍ତି । ସେତେବେଳେ ପୁଣିଥରେ ଦେଖିଲି ସେହି ଗୋଲାପି ରଙ୍ଗର ପୋଷାକରେ ଥିବା ଝିଅଟିକୁ । ବସରେ ଚଢ଼ିବାର ବ୍ୟଗ୍ରତା ଥିଲା ତା' ମନରେ । ଦୂରରୁ ଦେଖିପାରୁଥିଲି ତା'କୁ ।

ଯାହା ହେଉ ବସରେ ବସିଲାବେଳେ ମିଳିଗଲା ତାକୁ ଗୋଟିଏ ଝରକା ପାଖର ସିଟ୍ । ଆଉ ମୁଁ ସେ ଦିଗକୁ ଅଗ୍ରସର ହେବା ପୂର୍ବରୁ ବସ ଧିରେ ଧିରେ ଗତି କଲା ଆମ ଆଡ଼କୁ । ଆଉ ଅଧିକ ପିଲା ଚଢ଼ିବା ପାଇଁ ସେ କିଛି କ୍ଷଣ ରହିଗଲା ଆମରି ସାମ୍ନାରେ । ଦୀର୍ଘ ୩/୪ ଘଣ୍ଟାର ଲୁଚକାଳି ଖେଳ ପରେ ଶେଷରେ ସେ ଥିଲା ମୋ ଆଖି ସାମ୍ନାରେ । ଆମର ଯିବାର ସମୟ ଟିକେ ବିଳମ୍ବରେ ଥିବା ଇଚ୍ଛା ଥାଇ ବି ଚଢ଼ିପାରିନଥିଲି ସେହି ବସରେ । ହେଲେ ଏଥର ସମ୍ପୂର୍ଣ୍ଣ ରୂପେ ଦେଖିପାରୁଥିଲି ତା'ର ମୁହଁକୁ । ଯଦି କେହି କବି ଥାଆନ୍ତେ, ବୋଧେ ସେହି ମୁଖ ମଣ୍ଡଳ ଉପରେ ୨/୪ଟି କାବ୍ୟ ରଚନା କରିଦେଇଥାନ୍ତେ । ଗୋଲାପି ରଙ୍ଗର ପୋଷାକକୁ ଗୋଲାପୀ ରଙ୍ଗର ଓଠ ସ‌ହ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ସେ ଗାଢ଼ କଳା ରଙ୍ଗର ସେ ଆଖି । ସତେକି ଯେମିତି ସେହି ଆଖିରେ ପୂରିରହିଛି ପୂରା ଦୁନିଆ । ଏହିସବୁ ଭିତରେ ମୋ ନଜର ହଟୁନଥିଲା ତା' ଉପରୁ । ହେଲେ ଧିରେ ଧିରେ ଗାଡ଼ିଟି ଗଡ଼ିବାକୁ ଆରମ୍ଭ କଲା ଆଉ ଧିରେ ଧିରେ ପୁଣିଥରେ ସେ ଦୂରେଇ ଚାଲିଥିଲା ମୋ ଆଖି ଆଗରୁ । ଧିରେ ଧିରେ ଗାଡ଼ିର ବେଗ ବଢ଼ିବା ସ‌ହ ଦୂରତା ମଧ୍ୟ ବଢ଼ିଥିଲା ମୋ ଆଖି ଆଉ ତା' ଭିତରେ । ରାସ୍ତାର ସେହି ଦୂରଦିଗନ୍ତରେ ହଜିଗଲା ସେ ଧିରେ ଧିରେ ।

କେତେବେଳୁ ସେ ଯାଇସାରିଲାଣି, ଆଉ ଆମେ ଆମ କାମ ସାରି ଆସି ପୁଣି ରୁମ୍‌ରେ ପ‌ହ‌ଞ୍ଚିଗଲୁଣି, ହେଲେ ଏବେ ବି ମନରେ ତା'ରି କଥା ଆଉ ଆଖିରେ ରହିଛି ତା' ଚେହେରା । ସେ ଚେହେରା ସତେ ଯେମିତି ମୋର ଆଖିର କ୍ୟାମେରାରେ ତୋଳିହୋଇଯାଇଛି ଆଉ ମୋ ମନର ସେ ଡାଟାବେସରେ ଏକ ଅଲିଭା ଛବି ହୋଇ ରହିଯାଇଛି, ଯାହାକୁ ମୁଁ ଚାହିଁଲେ ବି କେବେ ଲିଭେଇପାରିବିନି । ସତେ ଯେମିତି ସେ ଛବି ସ‌ହ କୋଉଗୋଟେ ଭାଇରସ ପଶି ଆସିଛି ମୋ ଡାଟାବେସ ଭିତରେ, ଯିଏକି ସେହି ଛବିଟିକୁ ବାରମ୍ବାର ଆଣିଦେଉଥିଲା ମୋ ଆଗକୁ । ଏମିତିରେ କେବେ ଯଦି କାହାକୁ ପ୍ରଥମଥର ପାଇଁ ଦେଖେ, ମୋ ମନରେ ତା'ର ଛବି କେବେ ଆସେନି, ହେଲେ ଏଇ ଏକ ଏମିତି ଛବି ଯାହାକୁ ମନର ପ୍ରିତିଟି ପୃଷ୍ଠାର ଆଗଧାଡ଼ିରେ ହିଁ ରହିଯାଇଛି ।


କ୍ରମଶଃ.....



This is the 2nd part of the College Diary Series. The 2nd half of the day which I've described in the first part.





Saturday, 30 September 2017

ଲାଖବିନ୍ଧା

Sangram Keshari Senapati September 30, 2017 0
ଲାଖବିନ୍ଧା
ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଆମ ଘର ଆଗରେ ଦୁର୍ଗାପୂଜା ହୁଏ ଆଉ ସେଇଟା ଜଣଙ୍କର ବ୍ୟକ୍ତିଗତ ପୂଜା ହେଲେ ମଧ୍ୟ ଆମ ଗାଁରେ କି ପାଖ ଆଖରେ ୪-୫ କିଲୋମିଟର ଭିତରେ ଆଉ କେଉଁଠି ହୁଏନାହିଁ ବୋଲି ସେଇଟା ଆମ ଗାଁର ପୂଜା କ‌ହିଲେ ଚଳେ । ଆଉ ଯାହାର ପୂଜା କରନ୍ତି, ସେମାନଙ୍କୁ ମୁଁ ଅଜା-ଆଈ ବୋଲି ଡାକୁଥିଲି । ଆଉ ସେଇଠି ମୋ ବାପା ହିଁ ପୂଜା କରନ୍ତି । ସେଇଥିପାଇଁ ସେ ପୂଜା ଆମ ଗାଁ ସ‌ହ ଆମର ବି କ‌ହିଲେ ଚଳେ । ଦୁର୍ଗାପୂଜା ଆରମ୍ଭରୁ ଆମର ପୂଜା ଆରମ୍ଭ ହେଉନଥିଲା, ଆମର ମୂର୍ତ୍ତୀ ତିଆରି ଆଗରୁ ପୂଜା ଆରମ୍ଭ ହେଇଯାଉଥିଲା ବୋଲି ଧରିନିଆଯାଏ ।

ଷଷ୍ଠୀପୂଜା ଦିନ ସେଇ ପାଖରେ ଥିବା ଠାକୁରାଣୀଙ୍କ ପାଖରେ ପୂଜା କରାଯାଏ ଆଉ ସେଦିନ ସ୍କୁଲ ହୋଇଛି ଦୁର୍ଗାପୂଜା ଛୁଟି ଦିଆଯାଏ । ପରଦିନ ସପ୍ତମୀ, ସେଇଥିପାଇଁ ସକାଳୁ କଳସ ବୁଡ଼ାଯାଏ ଆଉ ଧିରେ ଧିରେ ପୂଜା ବଢ଼େ । ହେଲେ ଆମର ସେଥିରେ କିଛି ଯାଏ ଆସେ ନାହିଁ ସକାଳୁ ରାତିଯାଏଁ ଆମେ ସବୁ ସେଇଠି ବୁଲୁ ଆଉ ସବୁ ମିଶିକି ସେଇଠି ଖେଳୁ । ଅଷ୍ଟମୀ ପୂଜାରେ ବ‌ହୁତ ଲୋକ ଆସିନ୍ତି ଭୋଗ କରିକି ନିଅନ୍ତି । ନବମୀ ଦିନ ସେଇଠି ଲେମ୍ବୁ, କାକୁଡ଼ି, କ‌ଖାରୁ (ପାଣି କ‌ଖାରୁ) ବଳି ପଡ଼େ । ଆଉ ଦଶମୀ ଦିନ ପୂଜା ସରିଲା ପରେ ପାଖାପାଖି ୪ଟା ବେଳକୁ ଲାଖ ବିନ୍ଧା ବୋଲି ପରମ୍ପରା ରହିଆସିଛି । ଆମର ଗାଁର ଜଣଙ୍କ ବାଡ଼ିରୁ ଗୋଟିଏ କଦଳୀଗଛ କଟାହୋଇକି ଢୋଲ-ମହୁରୀ ବଜେଇକି କାନ୍ଧେଇକି ଆଣନ୍ତି ଆଉ ସେ ପୂଜା ପାଖରେ ସେହି ଗଛଟିକୁ ପୂଜା କରାଯାଏ ଆଉ ପରେ ତାକୁ ସେଇ ପାଖ ପଡ଼ିଆରେ ଗୋଟେ ଗାତ ଖୋଳି ପୋତାଯାଏ । ସେହି କଦଳୀଗଛଟିରେ ଯିଏ ପ୍ରଥମେ ତୀର ଲକ୍ଷ୍ୟ ବିଦ୍ଧ କରିବ, ସେ ବିଜେତା ହେବ । ଏହି ପରମ୍ପରା ଏକ ପ୍ରତିଯୋଗୀତା ଭଳି । ଆଉ ସେ ବିଜୟ ପାର୍ଥୀକୁ ଘୋଷଣା କରାଯାଇଥିବା କିଛି ରାଶି ଆଉ ଲୁଗାଟିଏ ଦିଆଯାଏ । ଆଉ ଏହି କାର୍ଯ୍ୟଟିକୁ ଦେଖିବାକୁ ଆଖପାଖରୁ ବ‌ହୁତ ଲୋକ ଆସିଥାନ୍ତି । ଆଜି ବି ସେଇଠି ପୂଜା ହେଉଛି, ଆଉ ଆଜି ବି ସେମିତି ଲାଖ ବିନ୍ଧା ହେଉଥିବ ।

ଛୋଟଥିଲାବେଳେ ମୋତେ ଏଇ ରାବଣ ପୋଡ଼ି ବିଷୟରେ ଜଣା ନ ଥିଲା, ସେତେବେଳେ ମୁଁ ଖାଲି ଏଇ ଲାଖବିନ୍ଧା ବିଷୟରେ ଜାଣିଥିଲି । ଆମେ ସେ କଦଳୀଗଛଟିକୁ ରାବଣ ବୋଲି ଭାବୁଥିଲୁ ଆଉ ତୀର ମାରିବାକୁ ଆସିଥିବା ଲୋକଙ୍କୁ ରାମଙ୍କର ସେନାବାହିନୀ । ହେଲେ ଯେବେ ଧିରେ ଧିରେ ବଡ଼ ହେଲି ସେବେ ଏଇ ରାବଣ ପୋଡ଼ି ବିଷୟରେ ଜାଣିଲି । ଆଉ ଭବାନୀପାଟଣା ଗଲାପରେ ରାବଣପୋଡ଼ି ବି ଦେଖିଲି । ଦୁଇଟିଯାକ ସେଇ ଏକା ଭଳି ପରମ୍ପରା । ଦୁଇଟିରେ ସେଇ ସମାନ ପ୍ରଥା ରହିଛି । ହେଲେ ରାବଣ ପୋଡ଼ିରେ ଖାଲି ଅଧିକ ଶବ୍ଦ ହୁଏ ଆଉ ଏଇଟା ରାତିରେ ପାଳନ କରାଯାଏ । କିନ୍ତୁ ଲାଖବିନ୍ଧାରେ ଅଧିକ ଶବ୍ଦ ନାହିଁ ଆଉ ଏଇଟା ଦିନରେ ପାଳନ କରାଯାଏ, କାରଣ ରାତିରେ ହେଲେ ଶର ଲକ୍ଷ୍ୟ ବିଦ୍ଧ ହେଇପାରିବନି । 



___________________________________END_______________________________________




"Lakha Bindha" is a part of Durgapuja. It's like "Rabana Podi". This is celebrated on "Dasahara". We took a Banana tree and worship it near goddess Durga and then placed it on the ground in an empty ground. After that, some people aim that tree with their arrow and who shoot it first declared as the winner. We consider that banana tree as Rabana. In Rabana podi, we burn the Rabana and here we shoot the tree.

Rabana podi creates a huge noise and held in night, but this process doesn't create any sound and held in day time. Because at night it's not easy to aim on a less width tree.

Tuesday, 26 September 2017

ବନ୍ଧୁତା

Sangram Keshari Senapati September 26, 2017 0
ବନ୍ଧୁତା
ସମୀର ଆଖି ଆଖି ଖୋଲିଲା ବେଳକୁ ସାମ୍ନାରେ ଛିଡ଼ା ହୋଇଥିଲେ ଡକ୍ଟର ସୁଧାଂଶୁ । ସମୀରର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ସବୁଠାରୁ ବେଶି ଖୁସି ଥିଲେ ସୁଧାଂଶୁ । ସେ ଖୁସିଭରା ଆଖିରେ ସମୀରକୁ ଅଭିନନ୍ଦନ ଜଣାଇବାକୁ ମୁହଁ ଖୋଲିବା ଆଗରୁ ସମୀର ତାଙ୍କୁ ପଚାରିଲା, "ଶ୍ୟାମ୍ କେମିତି ଅଛି?"

ଶ୍ୟାମ୍ ଆଉ ସମୀର ଉଭୟ ଛୋଟବେଳରୁ ସାଙ୍ଗ । ଦୁଇଜଣଙ୍କର ପରିବାର ଗୋଟିଏ ଆପାର୍ଟମେଣ୍ଟରେ ରୁହ‌ନ୍ତି । ଆଉ ଉଭୟ ଗୋଟିଏ ଦିନରେ ଗୋଟିଏ ହସ୍ପାତାଳରେ ଜନ୍ମଗ୍ରହଣ କରିଥିଲେ । କ‌ହିଲାଭଳି ସେମାନେ ଉପରୁ ସେମାନଙ୍କର ବନ୍ଧୁତା ସ୍ଥାପନ କରିକି ଆସିଥିଲେ । ଛୋଟବେଳୁ ଉଭୟଙ୍କର ବନ୍ଧୁତା ଆଜିଯାଏଁ ସେମିତି ଅଛି । ଦୁଇଜଣ ସବୁବେଳେ ସାଙ୍ଗ ନୁହେଁ ଭାଇ ଭଳି ଚଳି ଆସିଛନ୍ତି । ଉଭୟ ସାଙ୍ଗରେ ସ୍କୁଲ, ଟିଉସନ ଆଉ ଘରେ ବି ସବୁବେଳେ ସାଙ୍ଗରେ ରୁହ‌ନ୍ତି । ଏମିତିକି ଦୁଇଜଣଙ୍କ ମଧ୍ୟରୁ ଯଦି ଜଣେ କେବେ ବନ୍ଧୁଘରକୁ ଯିବାକୁ ବାହାରେ, ଉଭୟ ସାଥିହୋଇ ଯାଇଥାନ୍ତି । ସ୍କୁଲ ପରେ, କଲେଜ ସରିଲା । ଆଉ ଏବେ ଉଭୟ ଗୋଟିଏ କମ୍ପାନୀରେ ମଧ୍ୟ ସାଙ୍ଗରେ ଚାକିରୀ କରିଛନ୍ତି ।

ସେଦିନ ସମୀର ଆଉ ଶ୍ୟାମ୍ ବ‌ହୁତ ଖୁସି ଥିଲେ, ଘରଛାଡ଼ି ଚାକରୀରେ ଯୋଗଦେବା ପରଠାରୁ ଛଅ ମାସ ପରେ ସେମାନେ ଘରକୁ ଯାଉଥିଲେ । ସମୀର ନୂଆ ଗାଡ଼ି କିଣିଥିଲା, ତାକୁ ନେଇ ଉଭୟ ବ‌ହୁତ ଉତ୍ସାହ ସ‌ହ ବାହାରିଲେ ଘରକୁ । ମାତ୍ର ୧୧ ଘଣ୍ଟାର ରାସ୍ତା ଘରକୁ, ଆଉ ସେତିକି ସମୟ କେମିତି ଶୀଘ୍ର ସରିଯାଆନ୍ତା କି' ଏହା ଭାବି ଭାବି ଶ୍ୟାମ ଘୁମେଇ ପଡ଼ିଥିଲା । ସମୀର ଅତି ଉତ୍ସାହର ସ‌ହ ଗାଡ଼ି ଚଲାଉଥିଲା । କିନ୍ତୁ ସେମାନଙ୍କର ସେହି ଖୁସି ବେଶି ସମୟ ଯାଏଁ ରହିପାରିଲାନି । ହଠାତ୍ ସମୀରର ନ‌ଜର ପଡ଼ିଲା ସାମ୍ନାପଟରୁ ଦ୍ରୁତ ଗତିରେ ମାଡ଼ିଆସୁଥିବା ଗୋଟିଏ ଟ୍ରକ ଉପରେ । ବୋଧହୁଏ ଟ୍ରକଟିର ବ୍ରେକ କିମ୍ବା ସ୍ଟିଅରିଂ ଫେଲ ହୋଇଯାଇଥିଲା ଆଉ ସେ ଗଡ଼ାଣିଆ ରାସ୍ତାରେ ଟ୍ରକଟିକୁ ସମ୍ଭାଳିବାକୁ ଆପ୍ରାଣ ଉଦ୍ୟମ କରୁଥିଲା ତା'ର ଚାଳକଟି । ସମୀର କିଛି ଭାବିବା ଆଗରୁ ଟ୍ରକଟି ସିଧା ଆସି ଧକ୍କା ଦେଇଥିଲା ସମୀରର ଗାଡ଼ିକୁ ।

ତା' ପରେ କ'ଣ ହୋଇଥିଲା ସମୀରକୁ ଜଣା ନ ଥିଲା । ଦୁଇଦିନପରେ ଆଜି ତା'ର ଚେତା ଆସିଲା । ଶ୍ୟାମ୍‌ର ମଧ୍ୟ ଏବେଯାଏଁ ଚେତା ଆସିନଥିଲା । ସେ ଶ୍ୟାମ୍‌କୁ ଦେଖିବାକୁ ଇଚ୍ଛା କଲା, କିନ୍ତୁ ସୁଧାଂଶୁ ତାଙ୍କୁ ଶ୍ୟାମ୍‌ର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇଲେ । ଏହାପରେ ସେ ସୁଧାଂଶୁଙ୍କୁ ଶ୍ୟାମ୍‌କୁ ଯେମିତି ହେଲେ ଭଲ କରିବାକୁ ଅନୁରୋଧ କଲେ । ଆଉ ଏହି ସବୁ କଥାବିଷୟରେ ଶ୍ୟାମକୁ ଜଣାଇବାକୁ ମନାକଲେ । ସମୀର ତା'ର ଆଖି ଦେଇ ଶ୍ୟାମ୍‌କୁ ଠିକ୍ କଲା । ଉଭୟ ଧିରେ ଧିରେ ଠିକ୍ ହୋଇଗଲେ । କିନ୍ତୁ ଶ୍ୟାମ୍ ଏବେ ସମୀର ସ‌ହ ମିଳାମିଶା ବନ୍ଦ କରିଦେଲା । କିଛି ଦେଖିପାରୁନଥିବା ସମୀର ସ‌ହ ଶ୍ୟାମ କେମିତି ବା ମିଶିବ, ସେଥିପାଇଁ ସେ ଧିରେ ଧିରେ ତା' ଠାରୁ ଦୂରେଇ ଗଲା ।

ତେଣେ ଶ୍ୟାମ୍‌ ସମୀରଠାରୁ ଦୂରେଇ ଯିବାରୁ ସେ ନିଃସଙ୍ଗତା ଅନୁଭବ କରିବାକୁ ଲାଗିଲା, କିନ୍ତୁ ସମୀର ବୁଝିପାରୁନଥିଲା କି ଶ୍ୟାମ୍ କାହିଁକି ତା'ଠାରୁ ଦୂରେଇ ଯାଇଛି । ତ‌ଥାପି ସେ ଶ୍ୟାମ୍ ସ‌ହ ମିଶିବାକୁ ପ୍ରୟାସ କରିନାହିଁ । ସମୀରର କେବେଳ ଗୋଟିଏ ସାଙ୍ଗ ଥିଲା, ସେ ହେଉଛି ଶ୍ୟାମ୍ ଆଉ ଶ୍ୟାମ୍ ଦୂରେଇ ଯିବାପରେ ସମୀର ଧିରେ ଧିରେ ମାନସିକ ସ୍ତରରେ ଦୁର୍ବଳ ହେବାକୁ ଲାଗିଲା । ଏହି ସବୁ ବିଷୟରେ କେବଳ ସୁଧାଂଶୁଙ୍କୁ ହିଁ ଜଣା ଥିଲା । ମାତ୍ର ସେ ସମୀର ସ‌ହ କରିଥିବା ପ୍ରତିଜ୍ଞା ପାଇଁ କେବେ ଶ୍ୟାମ୍‌କୁ ସେ ବିଷୟରେ କ‌ହିନଥିଲେ । ଆଖି ହରାଇ ଏବେ ସମୀର ଜଣେ ଅସ‌ହାୟ ବ୍ୟକ୍ତି ପାଲଟି ଯାଇଥିଲା । ଆଉ ଏବେ ତା'ର ସବୁ ଆଶା ଆଉ ଆକାଂକ୍ଷା ଶ୍ୟାମ୍ ମଧ୍ୟ ଦୂରେଇ ଗଲା । ସମୀର ପାଖରୁ ସତରେ ଯେମିତି ତା'ର ପ୍ରାଣ ଚାଲିଯାଇଥିଲା । ଶେଷରେ ସମୀର ଦିନେ ପ୍ରାଣତ୍ୟାଗ କଲା, କିନ୍ତୁ ଯିବା ଆଗରୁ ସେ ଶ୍ୟାମ୍ ପାଇଁ ଡଃ ସୁଧାଂଶୁଙ୍କ ପାଖରେ ଛାଡ଼ିଗଲା ଗୋଟିଏ ପତ୍ର ।

ଦିନେ ଶ୍ୟାମ୍ ତା'ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସୁଧାଂଶୁଙ୍କ ପାଖକୁ ଯାଇଥିଲା, ସେତେବେଳେ ସୁଧାଂଶୁ ତାକୁ ସମୀର ଶେଷ ଚିଠି ଦେଇଥିଲେ । ସେଥିରେ ସମୀରର ଲେଖା ଦେଖି ଶ୍ୟାମ୍ ହତବାକ୍ ହୋଇଯାଇଥିଲା । ସମୀର ଯେତେବେଳେ ହସ୍ପାତାଳରେ ଜାଣିବାକୁ ପାଇଲା କି ଶ୍ୟାମ୍ ତା'ର ଆଖି ହରେଇ ଦେଇଛି, ସେତେବେଳେ ସେ ସୁଧାଂଶୁଙ୍କୁ ତା'ର ଆଖି ବଦଳରେ ଶ୍ୟାମ୍‌କୁ ଦୁନିଆ ଦେଖେଇବାକୁ ଅନୁରୋଧ କଲେ । ଆଉ ଏହି ବିଷୟରେ ଯେମିତି ଶ୍ୟାମ୍‌କୁ ଜଣାନପଡ଼େ, ସେ ବିଷୟରେ ସେ ସୁଧାଂଶୁଙ୍କୁ କ‌ହିଥିଲା । ଛୋଟବେଳୁ ଶ୍ୟାମ୍ ସବୁବେଳେ ସମୀର ଆଖିରେ ଦୁନିଆ ଦେଖିଛି ଆଉ ଆଜି ବି ସେ ପୁଣିଥରେ ସେହି ସମୀର ଆଖିରେ ଦୁନିଆ ଦେଖୁଛି । ସେତେବେଳେ ସମୀର ଆଖିରୁ ଝରି ଗଲା ବୁନ୍ଦା ବୁନ୍ଦା ଲୁହ । ଆଉ ଯେଉଁ ସାଙ୍ଗର ଆଖି ନଷ୍ଟ ହୋଇଯାଇଛି ବୋଲି ସେ ସବୁବେଳେ ଦୁଃଖ ପ୍ରକାଶ କରୁଥିଲା, ଆଉ କେବେ ତାକୁ ସାମ୍ନା କରିବାର ସାହାସ ପାଉନଥିଲା । କେମିତି ବା ସେ ତାକୁ ସାମ୍ନା କରିଥାନ୍ତା, ଯେଉଁ ଆଖି ଛୋଟବେଳେ ତା'ର ଧ୍ୟାନ ରଖିଥିଲା, ସେହି ମରିଯାଇଥିବା ଆଖି ଆଗକୁ କେମିତି ଯିବ ବୋଲି ସେ ସମୀର ସ‌ହ ମିଶିବା ବନ୍ଦ କରିଦେଇଥିଲା । ହେଲେ ସେ ସାଙ୍ଗ ସିନା ଆଉ ଏଇ ଦୁନିଆରେ ନାହିଁ, କିନ୍ତୁ ତା'ର ସେହି ଅମୂଲ୍ୟ ଚକ୍ଷୁଦ୍ୱୟ ତା' ପାଖରେ ଛାଡ଼ିଯାଇଛି । ପିଲାଦିନରୁ ଏକ ହୋଇ ବଞ୍ଚିଥିବା ଦୁଇ ସାଙ୍ଗ ଆଜି ପୁଣଥରେ ଏକ ହୋଇଯାଇଛନ୍ତି ।


____________________________________End____________________________________


This story is based on two friends who grew up together from their childhood. They are not just  friends, they are like brothers. From the child age till now they are together forever. Even they are working in the same office. Once they met an accident, when they were heading toward their home. One friend donate his eyes for another. But the guy whose eyes were replaced left the other guy. The guy who lost his eyes couldn't able to survive in this world like this, without the friend with whom he grew up.

The other guy left his childhood best friend with fear. He don't have any problem with his disability, but he couldn't face that friend whose eyes were like his own eyes since childhood and now he lost them. Once he get a letter from his best friends, when he passed away. In the letter, he had written his eye donation and he promised his to show the world with his eyes in childhood and he kept his promise.



Friday, 15 September 2017

Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

Sangram Keshari Senapati September 15, 2017 0
Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)
ଆଜିର ଏହି ଦୁନିଆରେ ଆମେ ପ୍ରାୟତଃ ଡିଜିଟାଲ ଦୁନିଆରେ ସବୁକିଛି କରୁଛନ୍ତି । ଏହି ଡିଜିଟାଲ ଦୁନିଆର ମୁଖ୍ୟ ଉପାଦନା ଦୁଇଟି ହେଲା ଇଣ୍ଟରନେଟ ଆଉ କମ୍ପ୍ୟୁଟର । ଆଉ ଏହିସବୁକୁ ଚଳେଇବା ପାଇଁ ଆମକୁ ଦରକାର ହୋଇଥାଏ ସଫ୍ଟଓଏର । ସଫ୍ଟଓଏର ବିଷୟରେ ପ୍ରାୟ ସଭିଏଁ ଏବ ଉଣା ଅଧିକେ ଜାଣିଲେଣି । ହେଲେ ଆମେ ବ୍ୟବ‌ହାର କରୁଥିବା ସବୁଯାକ ସଫ୍ଟଓଏର ଉପରେ ଆମର ଅଧିକାର ନ ଥାଏ । ଆମେ ଅଧିକାଂଶ ସଫ୍ଟଓଏର ଆମେ ଚୋରାରେ ବ୍ୟବ‌ହାର କରୁଛେ । କାରଣ ଏହିସବୁ ସଫ୍ଟଓଏରକୁ କିଣିବାକୁ ହେଲେ ଆମକୁ ଟଙ୍କା ଦରକାର । ଆଉ ଯଦି ଆମେ ଚୋରାରେ ପାଉଛନ୍ତି, ତେବେ ଟଙ୍କା କିଏ ବା କାହିଁକି ଖର୍ଚ୍ଚ କରିବାକୁ ଚାହିଁବ ଯେ । ହେଲେ ଏହିସବୁ ସଫ୍ଟଓଏରର ନିର୍ମାତା ଯଦି ଏହି ଚୋରା ବିଷୟରେ ଜାଣିବେ ତେବେ ସେମାନେ ଆମମାନଙ୍କ ଉପରେ ନିଶ୍ଚୟ ରୂପରେ ସେମାନଙ୍କର ନିୟମ ଉଲଘଂନ ଏବଂ ଚୋରିର ଦଫା ଗୋଟାଏ ଲେଖାଏଁ ଲଗେଇଦେବେ । ଏହି ସବୁ ଉପରେ ଶୁଭାଶିଷ ଭାଇ ଗତବର୍ଷ "ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା" ଶୀର୍ଷକ ଲେଖାଟିଏ ଲେଖିଥିଲେ, ତାକୁ ପଢ଼ିଲେ, ଏହି ବିଷୟରେ ଅଧିକ ସୂଚନା ପାଇପାରିବେ ।

ମାତ୍ର ଅନେକ କିଛି ସଫ୍ଟଓଏର ଯଦି ଯାହାକୁ ଆମେ ସ୍ୱାଧିନ ଭାବରେ ବ୍ୟବ‌ହାର କରିପାରିବା । ଏମିତିକି କିଛି ସଫ୍ଟଓଏର ଅଛି, ଯାହାକୁ ଆମେ ମୁକ୍ତଭାବରେ ବ୍ୟବ‌ହାର କରିପାରିବା । ଏହି ସବୁ ସଫ୍ଟଓଏରକୁ ଆମେ ମଧ୍ୟ ଆମର ଦରକାର ଅନୁସାରେ ବଦଳେଇପାରିବା । ମାତ୍ର ଆମେ ସେମାନଙ୍କର ମୂଳ ଆଧାରକୁ ବଦଳି କରିପାରିବା ନାହିଁ । ଯେମିତି ଆମେ ବିଦେଶୀଙ୍କଠାରୁ ସ୍ୱାଧୀନ ହେଇଛେ, ହେଲେ ନିଜ ଦେଶର ସମ୍ବିଧାନ ଅଧିନରେ ଆମେ ଅଛୁ । ସେହିଭଳି ଆମେ ସେହି ସଫ୍ଟଓଏରର ମୂଳ କୋଡ଼୍‌କୁ ବଦଳେଇପାରିବା ମାତ୍ର, ସେମାନଙ୍କର ନାମ ମଧ୍ୟ ଉଲ୍ଲେଖ ହେବା ଦରକାର । ଉଇକିମିଡ଼ିଆର କମନ୍‌ସ୍‌ରେ ଯଦି ଆମେ କୌଣସି ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଫାଇଲ ଅପଲୋଡ଼ କରୁଛେ, ଏହାକୁ ସାଧାରଣ ଲୋକ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ । ମାତ୍ର, ସେମାନେ ଏହି ଫାଇଲଗୁଡ଼ିକୁ ସେମାନଙ୍କର ନିଜ ପରିଚୟରେ ବ୍ୟବ‌ହାର କରିପାରିବେ ନାହିଁ । ସେମାନେ ଯେଉଁଠି ଏହିସବୁ ଫାଇଲର ବ୍ୟବ‌ହାର କରିବେ, ସେଇଠି ସେମାନେ ଏହି ଫାଇଲଟିର ଉଦ୍ଧୃତି ଏବଂ ଉପଦେଷ୍ଟାଙ୍କ ବିଷୟରେ ଉଲ୍ଲେଖ କରିବା ଅନିର୍ବାଯ୍ୟ । ସେହିଭଳି ହେଉଛି ଏହି ସଫ୍ଟଓଏର ଫ୍ରିଡମ୍ । ଆମେ ତାକୁ ବ୍ୟବ‌ହାର କରିପାରିବା, ଏମିତିକି ବଦଳେଇ ପାରିବା, ମାତ୍ର ବଦଳେଇଲା ପରେ ମୂଳ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଉଲ୍ଲେଖ କରିବା ନିହାତି ଦରକାର । ଯେ କୌଣସି ବ୍ୟକ୍ତିବିଶେଷ ଏହି ସବୁ ସଫ୍ଟଓଏରକୁ ଯେପରି ସୂଚାରୁରୂପେ ବ୍ୟବ‌ହାର କରିପାରିବ ଏବଂ ସେଥିରେ ନିୟମ‌ଭୁକ୍ତ ଥିବା ସାଧାରଣ ସୂଚନା ସେମାନଙ୍କୁ ପ୍ରାପ୍ତ ହେବ, ସେ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି ।



ଏଇ ବର୍ଷ ଆମେ ୨୦୧୭ରେ ଆମର ଓଡ଼ିଆ ଉଇକିପଡ଼ିଆ ବ୍ୟବ‌ହାରକାରୀ ସଂଘ ତରଫରୁ ଭୁବନେଶ୍ୱରରେ ସମ୍ବାଦ ଭବନ ପରିସରରେ ଏହି କାର୍ଯ୍ୟକ୍ରମଟି ପାଳନ କରିବାର ଯୋଜନା ରହିଛି । ଏହିସବୁ ସ୍ୱାଧୀନତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତି ପାଇଁ ଏହିଭଳି କିଛି କାର୍ଯ୍ୟକ୍ରମମାନ ଆୟୋଜନ କରିବା ନିତ୍ୟାନ୍ତ ଆବଶ୍ୟକ ।

Tuesday, 12 September 2017

#BlueWhaleChallenge: ଅଫେରା ପଥର ଯାତ୍ରୀ

Sangram Keshari Senapati September 12, 2017 0
#BlueWhaleChallenge: ଅଫେରା ପଥର ଯାତ୍ରୀ

ଏବେ ସୋସିଆଲ ମିଡ଼ିଆରେ, ଟିଭିରେ, ଖବରକାଗଜରେ, ରାମ୍‌ରହିମ୍ ପରେ ଅଧିକ ଚର୍ଚ୍ଚା ଚାଲିଥିବା ବିଷୟଟି ହେଉଛି #BlueWhaleChallenge । ଏହି ଖେଳରେ ଅନେକ ଶିକାର ହେଉଛନ୍ତି । ଶେଷରେ କିଛି ପିଲା ଆତ୍ମହତ୍ୟା ମଧ୍ୟ କରିସାରିଲେଣି । ଅନେକ ମଧ୍ୟ ଏହି ବିଷୟ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଏମିତିକି ଖବରକାଗଜରେ ବି ଅନେକ ପ୍ରକାରର ସାବଧାନତା ସୂଚନା ଦିଆଯାଉଛି । ତ‌ଥାପି ଏବେ ଅଧିକ ସଂଖ୍ୟକ ପିଲା ଏହି ଖେଳରେ ମାତିଯାଉଛନ୍ତି । ଏତେ ବୁଝେଇବା ପରେ ବି ସେମାନେ କେମିତି ପୁଣିଥରେ ସେ ଖେଳରେ ପଶିଯାଉଛନ୍ତି?

Wednesday, 23 August 2017

ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

Sangram Keshari Senapati August 23, 2017 0
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ
ଆଉ ଅଳ୍ପଦିନ ପରେ ଆମେ ପ୍ରାୟ ସଭିଏଁ ପାଳନ କରିବେ ଗୁରୁଦିବସ । ଏହା ଏକ ଏମିତି ଦିନ, ଯେଉଁଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁମାନଙ୍କର ପୂଜା କରନ୍ତି । ଆମ ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ପ୍ରାୟତଃ ସଭିଙ୍କୁ ଜଣାଥିବ । ବୋଧହୁଏ, ସବୁସ୍ଥାନରେ ଗୁରୁଭକ୍ତିର ଉଦାହରଣ ଦେଲେ ଆମେ ଏକଲବ୍ୟଙ୍କର ଉଦାହରଣ‌ଟି ଦେଇଥାଉ ।

Thursday, 13 July 2017

ପରିବେଶ ସୁରକ୍ଷା, ଜୀବନ ରକ୍ଷା

Sangram Keshari Senapati July 13, 2017 0
ପରିବେଶ ସୁରକ୍ଷା, ଜୀବନ ରକ୍ଷା
ପରିବେଶ ସୁରକ୍ଷା, ଜୀବନ ରକ୍ଷା । ପରିବେଶର ସୁରକ୍ଷା ପାଇଁ ସୁଦର୍ଶନ ପଟ୍ଟନାୟକେ ଅନଶନରେ ବସିଲେ । ସରକାର ତ ତାଙ୍କ କାମ କରିଦେବେ । କ'ଣ ଗୋଟେ ଯୋଜନା ବନେଇଦେବେ ଆଉ ତା' ପରେ ତାଙ୍କ କାମ ଶେଷ । ସେ କାମ କେତେ କ'ଣ ହେବ ସେକଥା ଭଗବାନଙ୍କୁ ବି ଅଜଣା । ସବୁପରେ ବି ଯଦି ସେସବୁ ସଫା ହୋଇଯାଏ, ତେବେ ପୁଣି ଅଳିଆ ଭର୍ତ୍ତି ହେବନି ବୋନି କିଏ କ‌ହିବ । ଆମକୁ ନିଜେ ହିଁ ନିଜେ ସଚେତନ ହେବାକୁ ପଡ଼ିବ । ଆମ ଘର, ଆମ ପରିବେଶକୁ ଆମକୁ ହିଁ ସଫା ରଖିବାକୁ ପଡ଼ିବ । ପରିବେଶ ସଫା ରହିଲେ ଆମରି ହିଁ ସୁବିଧା ହେବ । ଆମକୁ ହିଁ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିବ ।

୩/୪ ବର୍ଷ ତଳେ ଅଭିନେତା ଅମିର ଖାନ୍‌ଙ୍କର ଏକ କାର୍ଯ୍ୟକ୍ରମ ଚଲିଥିଲା, "ସତ୍ୟମେବ ଜୟତେ" । ସେଇଥିରେ ସେ ଅଳିଆ ଆବର୍ଜନା କମେଇବା ବିଷୟରେ ଅନେକ କିଛି ଉପାୟମାନ ଦେଖାଇଥିଲେ । ସେହି ସବୁକୁ ସରକାର ଏବଂ ଆମମାନଙ୍କୁ ଗ୍ରହଣ କରିବାକୁ ହେବ ।

ଅନେକ ଜିନିଷ ମାଟିରୁ ଅର୍ଥାତ ପ୍ରକୃତିରୁ ତିଆରି ହୋଇଥାଏ । ତେଣୁ ସେଗୁଡ଼ିକ ମାଟିରେ ପଡ଼ିଲେ, ତା' ସ‌ହ ମିଶିଯାଏ । ମାତ୍ର ତା' ସ‌ହ ଆଉ କିଛି ଜିନିଷ ରହିଛି, ଯାହାକି ମାଟି ସ‌ହ ମିଶିପାରେ ନାହିଁ । ଯେମିତିକି ଆମେ ବ୍ୟବ‌ହାର କରୁଥିବା ବିଭିନ୍ନ ପ୍ରକାରର ରସାୟନିକ ବସ୍ତୁରୁ ବାହାରୁଥିବା ବର୍ଜ୍ୟବସ୍ତୁ ସବୁ ମାଟିରେ କେବେହେଲେ ମିଶିପାରେ ନାହିଁ । ସେତେବେଳେ ଗୋଟିଏ ବଡ଼ ଅସୁବିଧା ହୋଇଥାଏ, ମାଟିରେ ମିଶିପାରୁଥିବା ଜିନିଷ ଆଉ ମାଟିରେ ମିଶିପାରୁନଥିବା ଜିନିଷ ଯେତେବେଳେ ଏକାଠି ଗୋଟିଏ ଜାଗାରେ ପଡ଼ିରହ‌ନ୍ତି, ସେତେବେଳେ ମାଟିରେ ମିଶିପାରୁଥିବା ଜିନିଷ ବି ମାଟିରେ ମିଶିପାରେନି । ଆଉ ଗୋଟିଏ ବଡ଼ କାରଣ ହେଉଛି, କିଛି ଜିନିଷ‌କୁ ମାଟିରେ ମିଶିବା ପାଇଁ ମଧ୍ୟ କିଛି ପ୍ରକ୍ରିୟା ରହିଛି ଆଉ ସେ ପ୍ରକ୍ରିୟା ପାଇଁ ଉପଯୁକ୍ତ ଦ୍ରବ୍ୟର ମଧ୍ୟ ଆବଶ୍ୟକତା ରହିଥାଏ । ଯଦି କୌଣସିଟିରେ ବ୍ୟତିକ୍ରମ ଘଟେ, ସେବେ ମାଟିରେ ମିଶି ମାଟି ହେଇପାରୁଥିବା ଜିନିଷ ମାଟିରେ ମିଶିବା ପରିବର୍ତ୍ତେ ଅଧିକ ଅଳିଆ ସୃଷ୍ଟି କରିଥାଏ ।

ପ୍ରଥମ କଥା ହେଉଛି, ଆମେ କେମିତି ଏହି ସବୁ ବର୍ଯ୍ୟବସ୍ତୁର ପରିମାଣକୁ କମ କରିପାରିବା ସେ ବିଷୟରେ ଅଧିକ ଦୃଷ୍ଟି ଦେବ । ଆମେ ମୁଖ୍ୟତଃ ଦୋକାନରୁ କିଛି ଜିନିଷ କିଣିବାବେଳେ ଅଧିକାଂଶ ଜିନିଷ ପଲିଥିନ୍ ବ୍ୟାଗ୍‌ରେ ଆଣିଥାଉ, ଯାହାକି ପରବର୍ତ୍ତୀ ସମୟରେ ପରିବେଶ ପ୍ରଦୂଷଣକୁ ବଢ଼ାଇଥାଏ । ଆମେ ଯଦି ଘରୁ ଗଲାବେଳ ସାଙ୍ଗରେ ବ୍ୟାଗ୍‌ଟିଏ ନେଇକି ଯିବା, ତେବେ ଆମେ ଦୋକାନରୁ ଆଣୁଥିବା ପଲିଥିନ୍ ବ୍ୟାଗ୍‌ର ପରିମାଣ କମିପାରିବ । ଆଉ ଯେଉଁ ଜିନିଷର ଆବଶ୍ୟକତା ନାହିଁ, ଆମେ ତା'କୁ ଆଣି ନଷ୍ଟ କରିବା ପରିବର୍ତ୍ତେ ଆବଶ୍ୟକ ପରିମାଣର ଜିନିଷ ଆଣିବା ଆବଶ୍ୟକ । ଫଳରେ ଅଳିଆ ଆବର୍ଜନର ପରିମାଣ ନିଶ୍ଚତରୂପେ କମ ହୋଇପାରିବ । ଯଦି ଆମେ କେବେ ବାହାରେ କିଛି ଜିନିଷ ବ୍ୟବ‌ହାର କରିବା ପରେ ସେଥିରୁ କିଛି ବର୍ଜ୍ୟବସ୍ତୁ ବାହାରୁଛି, ତାକୁ ଆମେ ସେହିସ୍ଥାନରେ ନ ପକାଇ, ଉଚିତ ସ୍ଥାନରେ ପକାଇବା ଆବଶ୍ୟକ । ବୋଧହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ଅଭିଯାନର ଡାକରା ପରେ ସବୁସ୍ଥାନରେ ଡଷ୍ଟବିନ୍‌ ରଖାଯାଇଛି । ସେହିସବୁ ବର୍ଜ୍ୟବସ୍ତୁକୁ ସେହି ଅଳିଆ ସଂରକ୍ଷଣ ଡବାରେ ପକାଇବା ନିହାତି ଦରକାର । ଫଳରେ ସେହିସବୁ ଅଳିଆ ଏଣେତେଣେ ପଡ଼ିବନି ।

ମାତ୍ର ଆଉଏକ ବଡ଼ ସମସ୍ୟା ହେଉଛି ସରକାରଙ୍କ ତରଫରୁ । ସରକାର ଅଳିଆର ସଠିକ ବିନିଯୋଗ ଏବଂ ନିୟନ୍ତ୍ରଣ ପାଇଁ ମଧ୍ୟ ସେପରି କିଛି ବିଶେଷ ସୁବିଧା କରିନାହାନ୍ତି । ଯଦି ଲୋକମାନେ ଗୋଟିଏ ଜାଗରେ ଅଳିଆ ଠୁଳ କଲେ, ସରକାର ତାକୁ ପୌରପାଳିକାର ଗାଡ଼ି ମାଧ୍ୟମରେ କୌଣସି ଏକ ଜାଗାରେ ନେଇକି କୁଢ଼ କରିଦେଇଆସିଲେ । ମାତ୍ର, ସେଠାରେ ସେହି ସବୁ ଅଳିଆ କେମିତି ପ୍ରକୃତି ସ‌ହ ମିଶିବ, ସେ ବିଷୟରେ ବ‌ହୁତ କମ ଦୃଷ୍ଟି ଦିଅନ୍ତି । ଏମିତିକି ପୌରପାଳିକା ଗୋଟିଏ ସ୍ଥାନରେ ଅଳିଆ ସବୁ ଗଦା କରିବା ପରେ କିଛିଦିନରେ ସେହି ସ୍ଥାନ ଦେଇ ଯିବାଆସିବା ଅସମ୍ଭବ ହୋଇପଡ଼େ ଏବଂ ଆଖପାଖରେ ଥିବା ଜନବସତିଗୁଡ଼ିକରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ମୁଁ ନିଜେ ଦେଖିଛି, ଭବାନୀପାଟଣା ସ‌ହରଠାରୁ ମାତ୍ର ୨/୩ କିଲୋମିଟର ଦୂରରେ ଏକ ସ୍ଥାନରେ ପୌରପାଳିକା ପକ୍ଷରୁ ଗାଡ଼ିରେ ସବୁଯାକ ଅଳିଆ ନିଆଯାଇ ଗଦା କରିଦିଆଯାଏ । ମାତ୍ର ସେହି ଅଳିଆସବୁ ସେମିତି ସେଠାରେ ପଡ଼ିରହିଥାଏ । ବର୍ଷାଦିନରେ ସେହି ରାସ୍ତାଦେଇ ଗଲାବେଳେ ଜଣାପଡ଼ିଥାଏ ସେହି ଅଳିଆର ବିକଟାଳ ରୂପ । ଏମିତିକି ସେହି ଅଳିଆଗଦାଠାରୁ ମାତ୍ର କିଛି ଦୂରରେ ଜନବସତି ମଧ୍ୟ ରହିଛି । ସେହିଭଳି ଭଦ୍ରକ ସ‌ହର ସମସ୍ତ ଅଳିଆ ମଧ୍ୟ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥ କଡ଼ରେ କାଣ୍ଡିକରିଦିଆଯାଉଛି । ବର୍ଷାଦିନେ ସେହି ରାସ୍ତାରେ ଗଲାବେଳେ କେମିତି ଯିବାକୁ ପଡ଼େ, ତାହା ଅଙ୍ଗେନିଭେଇଥିବା ଲୋକ ହିଁ ଠିକ୍‌ରେ କ‌ହିପାରିବ । ଖାଲି ବର୍ଷାଦିନ ନୁହେଁ, ଅନ୍ୟସମୟରେ ମଧ୍ୟ ସେହି ରାସ୍ତା ଦେଇ ଯିବା କେତେ କଷ୍ଟ ସେ କଥା ମଧ୍ୟ କ‌ହିଲେ ନ ସରେ । ଆଉ ଗୋଟିଏ କଥା ହେଉଛି, ଖୋଲାରେ ସେହି ସବୁ ଅଳିଆ ପକାଯିବା ଫଳରେ, ପବନ ହେଲେ ପୁଣିଥରେ ସେହି ସବୁ ଅଳିଆ ଉଡ଼ିଯାଇ ପୁଣିଥରେ ପରିବେଶକୁ ଦୂଷିତ କରିବାରେ ଲାଗିଥାଏ ।

ସ୍ୱଚ୍ଛଭାରତ କାର୍ଯ୍ୟକ୍ରମକୁ ତିନିବର୍ଷ ପୁରିବାକୁ ଯାଉଥିଲେ ବି ଯେମିତି ସବୁଆଡ଼େ ଅଳିଆ ଥିଲା, ସେମିତି ସବୁଆଡ଼େ ଅଛି । ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦୂଷଣ ରୋକିବା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କେବଳ କାଜଗପତ୍ରରେ ହିଁ ସେ ସବୁ କାମ ଚାଲିଛି । ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କଦ୍ୱାରା ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ଚାରିଆଡ଼େ ଜମା ହେଉଛି । ସେମିତି ପୁରୀ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଆସୁଥିବା ଅନେକ ପର୍ଯ୍ୟଟକ ସେମିତି ଅନେକ କିଛି ବର୍ଜ୍ୟବସ୍ତୁ ସମୁଦ୍ରକୂଳରେ ହିଁ ଛାଡ଼ିଦିଅନ୍ତି ଆଉ ସେ ସବୁ ପବନରେ କିମ୍ବା ବର୍ଷାପାଣିରେ ଭାଷିକି ସମୁଦ୍ରରେ ମିଶୁଛି । ଆଉ ସମୂଦ୍ର କିଛି ରଖେନି, ସେ ତ ସବୁକିଛି ଫେରାଇଦେଇଥାଏ । ସେଇଥିପାଇଁ ସମୁଦ୍ରରେ ମିଶୁଥିବା ଅଳିଆସବୁ କୋଉଠି ନା କୋଉଠି ଠୁଳ ହୋଇଥାଏ । ଆଉ ପରବର୍ତ୍ତୀ ସମୟରେ ମଧ୍ୟ ସେସବୁରୁ ନିର୍ଗତ ବିଭିନ୍ନ ରସାୟନ ଗ୍ୟାସ୍ ଆଦି ପରିବେଶକୁ ଅଧିକ ପ୍ରଦୁଷିତ କରିଥାଏ । ଏମିତିକି କେବେ କେବେ ପାଣିଉପରେ ନିଆଁ ଜଳିବାର ଦୃଷ୍ଟାନ୍ତ ମଧ୍ୟ ଆମେ ଦେଖିଛେ । ଅଳିଆ ଆବର୍ଜନାରୁ ନିର୍ଗତ କିଛି ରାସାୟନିକ ଗ୍ୟାସ୍‌‌ ପାଣିଉପରେ ମଧ୍ୟ ନିଆଁ ଜଳାଇପାରୁଛି, ସେ ପରିବେଶ ଉପରେ କେତେ କୁପ୍ରଭାବ ପକାଉଥିବା, ସେଇଟା ଆମକୁ ବିଚାରିବାକୁ ହେବ । ପୁରୀର ବାଙ୍କିମୁହାଣରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅନଶନରେ ବସିଥିଲେ । ବାଙ୍କିମୁହାଣରେ ଜମାହୋଇଥିବା ଅଳିଆକୁ ପରିଷ୍କାର କରିବା ପାଇଁ ତାଙ୍କର ଥିଲା ଏହି ଆହ୍ୱାନ । ଅନଶନରେ ବସିଲେ ହୁଏତ ସେହି ବାଙ୍କି ମୁହାଣ ସଫାକରିଦିଆଯିବ, ହେଲେ ସେହି ସବୁ ଅଳିଆକୁ ପୁଣି କେଉଁଠି ପକାଯିବ? ପୁଣିଥରେ ସେହି ସବୁ ଅଳିଆ କେଉଁଠି ନା କେଉଁଠି ଜମା ହେବ । ପୁଣିଥରେ ସେ ସେହିସ୍ଥାନରୁ ପ୍ରଦୂଷଣ ବଢ଼ାଇବ । ଆଉ ପଟ୍ଟନାୟକେଙ୍କ ସପକ୍ଷରେ ଖାଲି ଯେ କିଛି କ‌ହିଦେଲେ ହେବେନି, ନିଜେ ମଧ୍ୟ ପରିବେଶ ପ୍ରଦୂଷଣକୁ ରୋକିବାରେ କିଛିଟା ସାହାଯ୍ୟ କରିବା ଦରକାର । ପରିବେଶକୁ ନିଜେ ଯଦି ପ୍ରତ୍ୟକ୍ଷ ଭାବରେ ଯୋଡ଼ିହୋଇ ସଫା କରି ପାରୁନାହାନ୍ତି, ତେବେ ତାକୁ ଆବର୍ଜନାରେ ପରିପୂର୍ଣ୍ଣ କରନ୍ତୁ ନାହିଁ । ନିଜେ ନିଜ ତରଫରୁ ଆବର୍ଜନାର ପରିମାଣ କମ କରିବା, ପୁନଃବ୍ୟବ‌ହାର ଉପରେ ଅଧିକ ଗୁରୁତବ ଦେବା, ଅଳିଆକୁ ଉଚିତ ଜାଗାରେ ପକାଇବା ଭଳି କିଛି ପଦକ୍ଷେପ ନିଜ ତରଫରୁ ନିଅନ୍ତୁ । ଏହିସବୁପ୍ରତି ନିଜେ ସଚେତନ ହେବାକୁ ପଡ଼ିବ । ହେଲ୍‌ମେଟ୍ ପିନ୍ଧିଲେ ନିଜକୁ ସୁରକ୍ଷା ମିଳିଥାଏ, ମାତ୍ର ତା' ପ୍ରତି ସରକାରଙ୍କ ତରଫରୁ ଜୋରିମାନ ଭଳି ବ୍ୟବସ୍ଥା କରି ହେଲ୍‌ମେଟ୍ ପିନ୍ଧିବାକୁ ବାଧ୍ୟ କରାଯାଉଛି । ଆଉ ଇଏ ମଧ୍ୟ ଏକ ସେହିଭଳି କାର୍ଯ୍ୟ, ପରିବେଶ ସ୍ୱଚ୍ଛ ରହିଲେ, ଆମେ ହିଁ ରୋଗମୁକ୍ତ ହେବା, ଆମକୁ ଆମ ପରିବେଶ ସୁନ୍ଦର ଲାଗିବ । ସରକାର ଖାଲି ନିୟମ କରିଦେଲେ କିମ୍ବା ସ୍ୱଚ୍ଛତା ପାଇଁ କିଛି ସାହାଯ୍ୟ କରିଦେଲେ ହେବନି, ସେସବୁର ସୁବିନିଯୋଗ ଆମକୁ କରିବାକୁ ହେବ । 










ଦିନେ ମଦର ଟେରେସା କ‌ହିଥିଲେ: ନିଜ ଘରର ଆଖପାଖକୁ ସ‌ଫା ରଖ, ପରିବେଶ ସ୍ୱଚ୍ଛ ଆପେ ହେଇଯିବ । ସେ ଏହି ପୃଥିବୀକୁ ଆମ ଘର ବୋଲି କ‌ହିଥିଲେ । ଏକ ଛୋଟ ଘରେ ଆମେ ସବୁ ରହିଲେ, ସେଇଟା ଆମ ଘର ହେଇଯାଏନି । ଏହି ସମ୍ପୂର୍ଣ୍ଣ ଧରା ହେଉଛି ଆମର ମାଆ । ଯେପରି ଆମେ ଆମର ଶୋଇବାଘରକୁ ସଫା ଏବଂ ସୁନ୍ଦର ରଖିବାକୁ ଚାହୁଁ, ସେହିପରି ଅନ୍ୟମାନଙ୍କର ଶୋଇବାସ୍ଥାକ‌କୁ ମଧ୍ୟ ଅଳିଆ କରିବା ଠିକ୍ ନୁହେଁ । ଏହି ପୃଥିବୀରେ ଅନେକ ଜୀବଜନ୍ତୁ ବସବାସ କରନ୍ତି ଆଉ ସେମାନଙ୍କର ଶୋଇବା ଘର ହେଉଛି ଏହି ପୃଥିବୀ, ସେମନଙ୍କ ଘରକୁ ସ୍ୱଚ୍ଛ ରଖିବାକୁ ଆମେ ଦୃଷ୍ଟି ଦେବା ଦରକାର ।

Thursday, 6 July 2017

ରସଗୋଲା ଦିବସ

Sangram Keshari Senapati July 06, 2017 0
ରସଗୋଲା ଦିବସ
ରଥଯାତ୍ର ସମୟରେ ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲିପଳାନ୍ତି ବୋଲି ମହାଲକ୍ଷ୍ମୀଙ୍କ ରାଗ ବଢ଼ିଯାଏ । ସ୍ନାନଯାତ୍ରାରେ ଏତେ ଗାଧୁଆ, ତା'ପରେ ପୁଣି ୧୫ଦିନର ଜ୍ୱର ଆଉ ଜ୍ୱର ଛାଡ଼ିଲା ବେଳକୁ ସିଧା ମାଉସୀଘର । ଯେକୌଣସି ସ୍ତ୍ରୀ ହେଲେ ବି ରାଗିବ । ମା' ଲକ୍ଷ୍ମୀ ବି ସେଥିରୁ ବାଦ୍ ଯିବେ କେମିତି । ସେଥିପାଇଁ ସେ ରାଗରେ ଯାଇକି ପ୍ରଭୁଙ୍କୁ ଦେଖା କରିନପାରି ହେରାପଞ୍ଚମୀରେ ନନ୍ଦିଘୋଷ ରଥକୁ ଭାଙ୍ଗିବାକୁ ବି ଚେଷ୍ଟା କରନ୍ତି ।

Wednesday, 5 July 2017

ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"

Sangram Keshari Senapati July 05, 2017 0
ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"

ଜଣା ନାହିଁ କେତେ ଦିନ ହେବ ମୁଁ ସୁଲଗ୍ନା ଅପାଙ୍କୁ ଜାଣିଛି ମୋତେ ମନେ ନାହିଁ । ହଁ ଏଇ ୨୦୧୭ରେ ହିଁ ତାଙ୍କୁ ଜାଣିଲି । ଅନେକ ସମୟରେ ଟୁଇଟରରେ ତାଙ୍କ କ୍ଷୁଦ୍ରଗଳ୍ପ ଦେଖେ । ତା' ପରେ ଥରେ ତାଙ୍କ ପ୍ରୋଫାଇଲ୍ ଖୋଲିକି ମିଡ଼ିଆରେ ଥିବା ସବୁତକ ଗପ ପଢ଼ିଲି ଆଉ ଗପ ପଢ଼ିଲା ପରେ ବ‌ହୁତ ବଢ଼ିଆ ଲଗାଲା । ଗପ ପଢ଼ିବା ସ‌ହ ତାଙ୍କର ପ୍ରୋଫାଇଲ୍‌ରେ ଥିବା ୱେବ୍‌ସାଇଟ୍ ଲିକ୍ http://www.thehappyteacher.in ଦେଖିଲି । ସେଇ ୱେବ୍‌ସାଇଟ୍‌ଟା ମଧ୍ୟ ଖୋଲିକି ଦେଖିଲେ, ସେଥିରେ ଆହୁରି କିଛି ମୁଁ ପଢ଼ି ନ ଥିବା ଗପ ଥିଲା । ଗୋଟାଏ ଦିନରେ ତ ସବୁତକ ପଢ଼ି ପାରିନଥିଲି, କିନ୍ତୁ ଧିରେ ଧିରେ ଗୋଟାଏ ପରେ ଗୋଟାଏ ପଢ଼ିଲି । ଏହାପରେ ତାଙ୍କର ରାଜାପୁଅ-ବାଇଅସୁରୁଣୀ ଗପ ଆରମ୍ଭ ହେଲା । ସପ୍ତାହରେ ତିନିଦିନରେ ତିନୋଟି ଅଂଶ, ପୁଣି ଅପେକ୍ଷା ଆରଥରକୁ । ଯଦିଓ ଏଇ ଅପେକ୍ଷା କାମଟା ମୋ ଦେଇ ହୁଏନି, ହେଲେ ସେଇ ଗପ ପାଇଁ ଧୈର୍ଯ୍ୟର ସ‌ହ ଅପେକ୍ଷା କରୁଥିଲି । ହେଲେ ସେ ଗପ‌ପ୍ରତି ପାଠକଙ୍କର ଭଲପାଇବା ଦେଖିଲା ପରେ ସେ ଗପଟିକୁ ଶୀଘ୍ର ଶେଷ କରିଦେଲେ । ପରେ ପରେ ଆଉ କିଛି ଗପ ବି ଲେଖିଲେ, ଅପାଙ୍କ ଲେଖାପ୍ରତି ଧିରେ ଧିରେ ଭଲ ପାଇବା ବଢ଼ିଲା । ପରେ ପରେ ଜାଣିବାକୁ ପାଇଲି କି ସେ ତାଙ୍କର କ୍ଷୁଦ୍ରଗଳ୍ପ ସବୁକୁ ମିଶେଇକି ଗୋଟିଏ ବ‌ହି ପ୍ରକାଶ କରିବାର ଯୋଜାନ କରୁଛନ୍ତି ।

ତାଙ୍କର ପ୍ରଥମ ପ୍ରକାଶିତ ବ‌ହି "ନାଲିଚୁଡ଼ା" ଶୀର୍ଷକର ପ୍ରଥମ ଗଳ୍ପଟି ମୁଁ ଆଗରୁ ପଢ଼ିଥିଲି, ସେଇ ଶୀର୍ଷକରେ ବ‌ହିଟି ପ୍ରକାଶ ପାଇବ ବୋଲି ଆମେ ଜାଣିଲୁ, ଯେବେ ତାଙ୍କର ବ‌ହିର ମୁଖ୍ୟପୃଷ୍ଠାର ଫଟୋ ସେ ଟୁଇଟର୍‌ରେ ସେୟାର କଲେ । ଶେଷରେ ଜୁନ୍ ୨୬ରେ ତାଙ୍କର ବ‌ହିଟି ପ୍ରକାଶ ପାଇଥିଲା । ପ୍ରକାଶ ପାଇବା ଆଗରୁ ଆମେ ଆମାଜନ୍ ଆଉ ଓଡ଼ିଆ କାର୍ଟରେ ଅର୍ଡ଼ର କରିଥିଲୁ । ମୁଁ ବି ଆମାଜନ୍‌ରେ ଅର୍ଡ଼ର କରିଥିଲି । ବ‌ହି ପ୍ରକାଶ ପାଇଲା ପରେ ସମସ୍ତଙ୍କ ପାଖକୁ ପ୍ରାୟ ଶୀଘ୍ର ଶୀଘ୍ର ବ‌ହି ଆସିଗଲା । ହେଲେ ମୋ ପାଖକୁ ଟିକେ ବିଳମ୍ବରେ ଆସିଲା, ଜୁଲାଇ ୪ରେ ମୋ ପଖାରେ ଆସିକି ପ‌ହ‌ଞ୍ଚିଲା । ବ‌ହିରେ ଅପାଙ୍କର ଦସ୍ତଖତ ଆଉ ସାଙ୍ଗରେ ପୁଣି ଗୋଟିଏ ସୁନ୍ଦର ଚିଠିଟିଏ । ବ‌ହୁତ ଭଲ ଲାଗିଲା ଦେଖିକି । ଅନେକ ଦିନରୁ ଜଗିଥିଲି, ତେଣୁ ଗୋଟିଏ ଦିନରେ କ'ଣ ମାତ୍ର ୨-୩ ଘଣ୍ଟା ଭିତରେ ସବୁକିଛି ଶେଷ ହେଇଗଲା । ଅବଶ୍ୟ କିଛିଗପ ଆଗରୁ ପଢ଼ିଥିଲି, ମାତ୍ର ପୁଣିଥରେ ବ‌ହିଧରିକି ପଢ଼ିଲାବେଳେ ଅଧିକ ଭଲ ଲାଗିଲା । ପଢ଼ିସାରିଲାପରେ ଭାବିଲି ସବୁଗପ ବିଷୟରେ ପଦିଏ ପଦିଏ କ'ଣ ଲେଖିଲେ ଭଲ ହୁଅନ୍ତା । ଏଇଠି ଲେଖିବା ପାଇଁ ଏକ ଛୋଟ ପ୍ରୟାସ କରୁଛି ।


ବ‌ହିର ଶୀର୍ଷକ ଅନୁସାରେ ପ୍ରଥମ ଗପଟି ଥିଲା, "ନାଲିଚୁଡ଼ା" । ମୁଁ ତ ଆଗରୁ ଚୁଡ଼ା ବିଷୟରେ ଶୁଣିଥିଲି ଆଉ ଖାଇଥିଲି, ହେଲେ ନାଲିଚୁଡ଼ା ବିଷୟରେ ପ୍ରଥମେ ପଢ଼ିଲି । ତ‌ଥାପି ଜଣେ ଦମ୍ପତିର ଭଲପାଇବା ସ‌ହ ଏହି ନାଲିଚୁଡ଼ାର ସମ୍ପର୍କ ସବୁପାଠକଙ୍କ ମନ‌କୁ ଛୁଇଁଯିବ ନିଶ୍ଚୟ । ମୁଁ ପ୍ରାୟ ଛୋଟବେଳୁ ସାମାଜିକ ବିଜ୍ଞାନ ବ‌ହିରେ ପଢ଼ିଥିଲି, ରାସ୍ତାରେ ନାଲିବତି ଜଳିଲେ ଗାଡ଼ି ଆଗକୁ ଯିବନି, ଟ୍ରେନ ଆଗରେ ନାଲି ରଙ୍ଗର ପତାକା ଦେଖାଇଲେ ଟ୍ରେନ୍ ବି ଅଟିକିଯାଏ । ନାଲି ମନେ ବିପଦ ବୋଲି ପ୍ରାୟ ଆମର ସେବେକାର ଧାରଣା ଥିଲା । ହେଲେ ପରେ ଗୀତ ଶୁଣିଲୁ, "ନାଲି ନାଲି ସବୁ ଦିଶୁଛି, ଗୋରୀ ତୋତେ ପ୍ରେମ ହୋଇଛି ।" ସେବେ ଜଣା ପଡ଼ିଲା କି ନାଲି ମାନେ ବିପଦ ନୁହେଁ, ନାଲି ମାନେ କିଛି ଭଲ ମଧ୍ୟ । ନାଲି ଅର୍ଥାତ ବିପଦ ଆଗରୁ ଆମରୁ ସାବଧାନ ହେବାକୁ ପଡ଼ିଥାଏ । ଏଇଠି ନାଲିଚୁଡ଼ା ବି ସେମିତି ସୁନ୍ଦର ପ୍ରେମକାହାଣୀଟିଏକୁ ନେଇ ଆସେ ନିତିଦିନ ।

ପରବର୍ତ୍ତୀ ଗପଟି ଥିଲା "କ୍ଷୀରି", ସେଇଟା ତାଙ୍କର ପ୍ରଥମ ଲେଖା ଥିଲା । ଏଇଟା ଖାଲି ଗପ ନୁହେଁ, ଏଇ ଗପରେ ଭରି ହୋଇ ରହିଛି ଆମମାନଙ୍କ ମନରେ ଥିବା ହୀନମାନ୍ୟତା । ପାଖରେ ସବୁକିଛି ଥାଇକି ବି ଆମେ ସଦାବେଳ ନିଜ କଥା ହିଁ ଚିନ୍ତା କରୁ, ହେଲେ ସେଇ ନିଜ ବିଷୟରେ ଭାବିବା ଆଉ ଅନ୍ୟକାହାର ଆମ‌ପ୍ରତି ଥିବା ଭଲପାଇବା ବିଷୟରେ ଏହି ଗପଟିର ତୁଳନା ନାହିଁ । "ଫେରା": ଏହି ଗପଟି ତ ଗପ ନୁହେଁ, ଏକ ସାମାଜିକ ଶିକ୍ଷା, ଏକ ପରିବେଶ ଭିତ୍ତିକ ନାଟକ । ନିଇତି ଆମେ ଅନେକ କିଛି ସମୁଦ୍ରଗର୍ଭକୁ ଫିଙ୍ଗୁଛେ ଆଉ ସେ ସବୁ ଅଳିଆ ଯାଇକି କେତେ ଭରଙ୍କର ହେଉଛି ତା'ହା ବୁଝିବା ଆମର ନିହାତି ଦରକାର । "ଫେସବୁକ‌କୁ ଚିଠିଟିଏ", ଏଇଟା ତ ଗୋଟିଏ ଏମିତି ଆବେଗଭରା ଲେଖା, ଯାହାକି ମୋ ସ‌ହ ମଧ୍ୟ ଯୋଡ଼ିହୋଇରହିଛି । ମୁଁ ଯେବେ ଇଞ୍ଜିନିୟରିଂ ବେଳେ ସାଙ୍ଗମାନଙ୍କ ସ‌ହ ଫେସବୁକରେ କଥା ହେଉ, ସେମାନେ ମଧ୍ୟ ମୋ ମାର୍କ ବିଷୟରେ ପଚାରନ୍ତି ଆଉ ସେମାନଙ୍କର ଉତ୍ତର ଶୁଣି ମଧ୍ୟ ମୋ ମନରେ ସେମିତି କିଛି ହୁଏ । ଏବେ ମଧ୍ୟ ସେଇ ସମ ଦଶା । ହେଲେ ଏବେ ତ ଅଭ୍ୟାସ ହେଇଗଲାଣି, ଆଉ କାହା ସ‌ହ କଥା ବି ହେଉନି । ଜଣେ ଲୋକର ଅଭିମାନର ଭରା ଏହି ଚିଠି ନିଶ୍ଚୟ ଅନେକଙ୍କୁ କିଛି ନା କିଛି ପ୍ରେରଣା ଦେବ ।

"ଉପ‌ହାର" ଗପରେ ଗୋଟିଏ ଭଲ ଉଦାହରଣ ଦେଇଛନ୍ତି ଆପଣ । ଉପ‌ହାର ଯାହାକୁ ମୁଖ୍ୟତଃ ଆମ ଘରପଟେ କୁହ‌‌ନ୍ତି 'ବେଭାର' କେବଳ ଗୋଟିଏ ଦେବାର ବିଧି ବୋଲି ଦେବାଟା ଠିକ୍ ନୁହେଁ । ଏହା ଆମର ଭଲ ପାଇବା ଉପରେ ହିଁ ନିର୍ଭରଶୀଳ । "କବିତା ବୁଝୁ ନ ଥିବା ଝିଅ", ଏହିଟା ଗପ ନୁହେଁ ବୋଧେ ଅନେକଙ୍କ ଜୀବନରେ ଘଟିଥିବା ଘଟଣା । ହଁ ଅନେକ ଥାଆନ୍ତି କିଛି କଥାକୁ ବୁଝିପାରନ୍ତିନି, କିନ୍ତୁ ଆମକୁ ବେଳେ ବେଳେ ଏମିତି କିଛି ବୁଝେଇଦିଅନ୍ତି ଯେ ଯାହା ଆମ କଳ୍ପନାର ବାହାରେ ଥାଏ । 'ସବୁଠୁ ଭଲ କଥାଟିଏ ଲେଖିଲେ, କବି ବଳବାନ କେବଳ କଲମରେ ।' "ପ୍ରଥମ", ଏହା ତ ଗପ ନୁହେଁ ଏକ ଶକ୍ତ ଚାପୁଡ଼ା ପରି । କିଛି କଥାକୁ ଠିକ୍‌ରେ ନ ବୁଝି ଉପଦେଶ କିମ୍ବା ଟିପ୍ପଣୀ କରିବା ଲୋକେ ଏହି ଶୀର୍ଷକଟିକୁ ପଢ଼ିକି ବୁଝିବା ନିହାତି ଦରକାର । "ଗାଉଁଲି", ଏହି ଗପଟି ମଧ୍ୟ ମୋ ସ‌ହ ନିହାତି ଜଡ଼ିତ । ମୁଁ ଇଞ୍ଜିନିୟରିଂ ବେଳେ ଯଦି କେବେ କ୍ଲାସ୍‌ରେ କିଛି ବୁଝିପାରେନି, ତେବେ ପଚାରେନି, କାରଣ ସେ ଶିକ୍ଷକ ଶିକ୍ଷୟିତ୍ରୀମାନେ ହିନ୍ଦୀରେ ପଢ଼ାଉଥିଲ, ଆଉ ମୁଁ ହିନ୍ଦୀ ଠିକ୍‌ରେ ବୁଝିପାରୁନଥିଲି କି କ‌ହିପାରୁନଥିଲି । ସେଥିପାଇଁ ମୁଁ ମୋ ଗାଉଁଲିଆ ସ୍ୱଭାବ ନ ଦେଖେଇବା ପାଇଁ ଚୁପ୍ ରହିଯାଉଥିଲି । ଆଉ ଏଇଠି ବି ଠିକ୍ ସେଇଆ ହେଇଛି, ହେଲେ ଫଳ କେବେ କେବେ ଓଲଟା ହେଇଯାଏ । "ସନ୍ଧ୍ୟା", ଏହି ଗପଟି ପ୍ରାୟଃ ଅନେକ ଲୋକଙ୍କୁ ପଢ଼ିବାର ଅଛି, ଯେଉଁମାନେ ଖାଲି ଦେଖେଇହେବା ପାଇଁ କିଛି କାମ କରନ୍ତି, ହେଲେ ଅନ୍ତରରୁ କେବେ କାହରି ଆନ୍ତରିକତା ନ ଥାଏ । "ଅଳସେଇ", ଏଇଟା ପ୍ରାୟ ଅନେକଙ୍କ ଜୀବନରେ ଘଟିଥାଏ । ମୋତେ ବି ଆମଘରେ ସବୁ ଅଳସୁଆ ବୋଲି କୁହ‌ନ୍ତି । କ'ଣ କରିବା ସେଇଟା ତ ଆମର ଜନ୍ମର ଆମ ସ‌ହ ଉପ‌ହାର ସ୍ୱରୂପ ଆସିଛି । "ପାନ ଦୋକାନ", ଏହି ଗପଟି ପ୍ରାୟ ସଭିଙ୍କ ପାଇଁ ପ୍ରଯୋଜନ । ଯେମିତିକି ଦୂରପାହାଡ଼ ସୁନ୍ଦର, ସେମିତି ଏହି ଗପଟିରେ ଦର୍ଶନ ମଧ୍ୟ ଦୂରରୁ ଭଲ ଲାଗେ ହେଲେ ନିକଟରୁ ମାନିବା କେତେ ଲୋକଙ୍କ ପାଖରେ ସମ୍ଭବ ତାହା ଦେଖିବ କଥା । ଯେତେବେଳେ ବ୍ୟାଟ୍‌ମ୍ୟାନ୍ ସାଧାରଣ ମଣିଷ ଥିଲା, ସେବେ ତା'ର ପ୍ରେମିକା କ‌ହୁଥିଲା କି ତମେ ତ କିଛି କରୁନାହଁ, ହେଲେ ଯେତେବେଳେ ସେ ବ୍ୟାଟ୍‌ମ୍ୟାନ୍ ହୋଇଗଲା, ସେବେ କ‌ହିଲା, ଆରେ ତମେ ତ ବ୍ୟାଟ୍‌ମ୍ୟାନ୍ ହୋଇଗଲ, ସଭିଙ୍କ ପାଇଁ ସମୟ ଅଛି, ହେଲେ ମୋ ପାଇଁ ସମୟ ନାହିଁ । ଏଇଟା ହେଉଛି ଏଇ ଦୁନିଆର ରିତୀ । ଯାହା ପାଖାରେ ଥାଏ, ସେଇଟା ଭଲ ଲାଗେନି, ଅନ୍ୟର ଜିନିଷ ସୁନ୍ଦର ଲାଗେ ।

"ପ୍ରପୋଜ", ଏଇଟା ଗୋଟିଏ ସବୁଠୁ ବଡ଼ ଜିନିଷ । ଆଗକୁ ଯାଇକି କେହି କ‌ହିବାର ସାହାସ ପ୍ରାୟ ସଭିଙ୍କର ନ ଥାଏ । ମୋ ପାଖରେ ଜମାରୁ ନାହିଁ । ହେଲେ ସେ ସୁଯୋଗ ଚାଲିଗଲାପରେ ମନରେ ଆସେ, ଯଦି ସେତେବେଳେ ଟିକିଏ ସାହାସ ବାନ୍ଧିପାରିଥାନ୍ତି ତେବେ ସେଇଟା ଆଜି ମୋ ପାଖରେ ଥାଆନ୍ତା । ହେଲେ କ'ଣ କରିବା ସମସ୍ତଙ୍କ ପାଖରେ ସାହାସ ଆଉ ଉଚିତ ସମୟରେ ସୁଯୋଗ ନ ଥାଏ । "ଚୁଟି", ଏହି ଗପର ମହତ୍ୱ ସମ୍ପର୍କ ପ୍ରାୟ ଅନେକଙ୍କ ପାଖରେ ଥାଏ । ଚୁଟି ଯାହା ପାଖରେ ଥାଏ, ସେ ତା' ପାଖରେ ଏତେ ଚୁଟି କାହିଁକି ଅଛି ବୋଲି ଭାବେ ଆଉ ଯାହା ପାଖରେ ନାହିଁ ସେ ଝୁରି ହୁଏ । "ସ୍ୱାର୍ଥପର", ହଁ ସଭିଙ୍କୁ ସ୍ୱାର୍ଥପର ହେବାକୁ ପଡ଼ିଥାଏ । ସବୁବେଳେ ନିଜ ବିଷୟରେ ଭାବିବାକୁ ପଡ଼ିଥାଏ, ହେଲେ କେହି ଯେ ଆମକୁ ଭଲରେ ରଖିବାକୁ ସ୍ୱାର୍ଥପର ହୋଇଥାଏ, ସେଇଟା ବି ଆମକୁ ବୁଝିବାର ଥାଏ । ସମ୍ପୂର୍ଣ୍ଣ ଦୁନିଆ କେବଳ ନିଜର ସ୍ୱାର୍ଥ ଦେଖିନଥାଏ । ସେମିତି ହେଇଥିଲେ, ଏଇ ଦୁନିଆ ଆଜି ତିଷ୍ଠି ନଥାନ୍ତା । କେହି ନା କେହି ଆମ ବିଷୟରେ ଭାବୁଛି । "କଥା", ଏଇ କାହାଣୀଟା ମୁଁ ଯେବେ ପଢ଼ିଥିଲି, ଆଜି ବି ମୋର ମନେ ଅଛି, ମୋ ଆଖିରେ ଲୁହ ଆସିଯାଇଥିଲା । ପୁଣିଥରେ ଆଜି ସେଇଟା ପଢ଼ିଲା ପରେ ରୋକି ହେଲାନି ସେ ଲୁହକୁ । ଦୁନିଆରେ କେବେ କିଏ କେତେବେଳେ ଆମ କଥାକୁ ଅଧା ଶୁଣି ଚାଲିଯାଏ ଆମକୁ ଜଣା ପଡ଼େନି । "ବାୟୁଦୋଷ", ଏଇଟା ଗୋଟେ ସବୁଠୁ ମଜାଳିଆ ଗପଟା । ଆଉ ଆରମ୍ଭରେ ସେ ଲେଖାଟା ବଢ଼ିଆ ଲାଗିଲା, "ଯେଉଁ ଘରେ ନଥାନ୍ତି, ସେ ଲୋକମାନେ ନିହାତି ଭଦ୍ର, ନ ହେଲ ପୂରା ମିଛୁଆ ।" ସବୁପରେ ବି ଆମେ ଏହିସବୁକୁ ନେଇ ହିଁ ଜୀବନରେ ଅନେକ ମଜା କରୁଛେ । "ପ୍ରତିଦ୍ୱନ୍ଦିତା", ଏଇଟା ଗୋଟେ ନିଚ୍ଛକ କାହାଣୀଟିଏ । ଜୀବନରେ ଆମର କାହାକୁ ହରେଇବାକୁ କେବେ କେବେ ଏମିତି କିଛି କାମ କରୁ ଯେ, ନିଜ ହାତରେ ନିଜର ପରାଜୟର କାହାଣୀ ଲେଖିଥାଉ । "ଉତ୍ତର" ଗପଟି ଗୋଟିଏ ହୃଦୟସ୍ପର୍ଶୀ ଲେଖାଟିଏ । ଯେବେ ଯିଏ ପାଖରେ ଥାଏ, ଆମେ ଖୋଜୁନା, ହେଲେ ଦୂରେଇ ଗଲେ କେତେ ଖୋଜୁ ସେଇଟା କେବେଳ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣିଛି । "ସ୍ୱାଦ", ଏହି ଗପଟି ଗୋଟିଏ ସୁନ୍ଦର କଥାଟିଏ । ସ୍ୱାଦ କେବେଳ ମସଲାରେ ନ ଥାଏ, ଥାଏ ଆମ ମନରେ । ଥରେ ଓଡ଼ିଆ କମେଡ଼ିଆନ୍ ପ‌ପୁ ପମ୍ ପମ୍ ଗୋଟେ କମେଡ଼ିରେ କ‌ହିଥଲେ କି ଆମେ ଯେତେବେଳେ ରୋଷେଇ କରୁ, ସେତେବେଳେ ଶ୍ରଦ୍ଧା ଆଉ ସ୍ନେହର ସ‌ହ ରୋଷେଇ କଲେ ସେଇଥିରେ ସ୍ନେହସାର ଥାଏ ବୋଲି ବିଶ୍ୱାସ ରହେ । ଯେବେ କେହି ସ୍ନେହରେ ମନ‌ଧ୍ୟାନ ଦେଇକି ରୋଷେଇ କରେ, ସେବେ ଆମର ତାକୁ ନିରାଶ କରିବା ଉଚିତ ନୁହେଁ । ଧିରେ ଧିରେ ଆମର ପ୍ରଶଂସା ପାଇଲେ ସେ ବି ଭଲ ରୋଷେୟାଟିଏ ହେଇପାରିବ ।

"ପାଦ", ଏହି କାହାଣୀଟି ମୋତେ ମୋ ଛୋଟବେଳର ଦୂରଦର୍ଶନରେ ପ୍ରସାରିତ ଗୋଟିଏ ଧାରାବାହିକ, 'କ‌ହିଲେ ତୋ କୁଳ କୁଟୁମ୍ୱକୁ ଲାଜ' ଧାରାବାହିକ ବିଷୟରେ ମନେ ପକାଏ । ସେବେ ସେ କାହାଣୀଟି ମୁଁ ପୂରା ଦେଖିନଥିଲି, ହେଲେ ଏବେ ତା'ର ମହ‌ତ୍ୱ ବୁଝାପଡ଼ୁଛି । ଯାହା ପାଖରେ କିଛି ଥାଏ, ସେ ଅଧିକ ପାଇବାକୁ ଆଶା କରେ, ହେଲେ ଯାହା ପାଖରେ କିଛି ନ ଥାଏ, ସେ କେମିତି ଚଳୁଥିବ ବୋଲି ସେ କେବେ ଭାବେନା । ସବୁବେଳେ ଆଖିଦେଖା କି କାନଶୁଣା କଥା ସତ ହୋଇନଥାଏ । ଯାହା ପାଖରେ ପାଦ ନାହିଁ, ସେ ଚପଲ ଥିବା ଲୋକ କଥା ଭାବେ । ଯାହା ପାଖରେ ଚପଲ ଥାଏ, ସେ ସାଇକେଲରେ ଯାଉଥିବା ଲୋକ ବିଷୟରେ ଭାବେ । ସାଇକେଲରେ ଯାଉଥିବା ଲୋକ ମୋଟର ସାଇକେଲ ବିଷୟରେ ଆଉ ମୋଟର ସାଇକେଲ ବାଲା କାର୍ ବିଷୟରେ ଆଉ କାର୍ ବାଲା ତ ସିଧା ଆକାଶରେ ଉଡ଼ିବାକୁ ଭାବୁଥାଏ । "ପିକ୍‌‌ନିକ୍", ଏହି ଗପଟି ଏବେକାର ପିଲାଙ୍କର ଆବେଗକୁ ବର୍ଣ୍ଣନା କରିଛି । ପିତାମାତା ସବୁବେଳେ ନିଜ ଖୁସି ପାଇଁ ପିଲାଟିର ଖୁସିକୁ ଦେଖନ୍ତିନି, ଆଉ ଯେବେ ସେ ପିଲା ବଡ଼ ହେବ, ସେବେ ସେ ତା' ଖୁସି ପାଇଁ କାହିଁକି ତା' ବାପାମାଆଙ୍କ କଥା ଭାବିବ । ଦେଖା ଶିଖା ଓଡ଼ିଆ । ଯେସାକୁ ତେସା । "ମଣିଷ", ଏହି ଗପଟି ସମାଜ ଉପରେ ହୁଏତ କିଛି ପ୍ରଭାବ ପକାନ୍ତା କି । ମୋ ଚୁଟି ସବୁବେଳେ ଠିଆ ହୋଇଯାଏ ବୋଲି, ମୁଁ ଆଗରୁ ତାକୁ ଶୁଆଇବାକୁ ଜେଲ୍ ଲଗାଉଥିଲି, ହେଲେ ପରେ ଦେଖିଲି କି ପିଲାମାନେ ତାଙ୍କୁ ଚୁଟିକୁ ଠିଆ କରିବାକୁ କେତେ କ'ଣ କରୁଛନ୍ତି । ଯାହାପାଖରେ ତେଲ ଲଗେଇବାକୁ ପଇସା ନ ଥାଏ, ତା' ଚୁଟି କଅଁରା ପଡ଼ିକି ନାଲି ହେଇଯାଏ ଆଉ ଯାହା ପାଖରେ ଅଛି, ସେ ତ କେତେ କ'ଣ ଖର୍ଚ୍ଚ କରିକି ତା'କୁ ନାଲି କରେ । ଯାହା ପାଖରେ ପଇସା ନ ଥାଏ, ସେ ଚିରାପଟା ପିନ୍ଧେ, ହେଲେ କିଛି ଅଧିକ ପଇସା ଦେଇକି ଚିରାକପଡ଼ା ପିନ୍ଧୁଛନ୍ତି । "ଭୂତଗପ", ଏହି ଗପଟା ଗୋଟେ ର‌ହସ୍ୟର ସ‌ହ ରହିଗଲା, ଅବଶ୍ୟ ମୁଁ ଆଗରୁ ଆପଣଙ୍କ ୱେବସାଇଟ୍‌ରେ ସମ୍ପୂର୍ଣ୍ଣ କାହାଣୀଟା ପଢ଼ିଛି । "ଉର୍ମିଳା", ଏଇ ଗପଟା ମୁଁ ଯେବେ ପଢ଼ିଥିଲି, ସେବେ ମଧ୍ୟ କ‌ହିଥିଲି, ସେ ହେଉଛି ଏହି ଦୁନିଆର ସବୁକିଛି । ଉର୍ମିଳାର ତ୍ୟାଗ ପାଇଁ ଦିନେ ଲକ୍ଷ୍ମଣ ମହାନ ହୋଇଥିଲେ, ସେ ଉପବାସ ରହି ଅନ୍ୟ ପାଇଁ ଦୀପ ଜାଳେ । ଆମ ଦୁନିଆ ଅନେକ ନାରୀଙ୍କୁ ସମ୍ମାନ ଦେଇଛି, ହେଲେ ଏହି ଦୁନିଆ ସବୁ ନାରୀ ଭିତରେ ଅନେକ ଉର୍ମିଳାକୁ କେହି ଦେଖିନାହାନ୍ତି କି ଜାଣି ନାହାନ୍ତି । ସେମାନେ ବଣ ମଲ୍ଲୀ ପରି ବଣରେ ଫୁଟି, ବଣକୁ ସୁଗନ୍ଧିତ କରି ପୁଣି ବଣରେ ଝଡ଼ିଯାଇଛନ୍ତି । ହେଲେ ସେଇମାନଙ୍କରେ ତ୍ୟାଗ ପାଇଁ ଅନେକ ଏହି ଦୁନିଆରେ ଅଗ୍ରପୂଜ୍ୟ ହୋଇଛନ୍ତି । "ଚଷମା", ଏହି ଗପର ମର୍ମ ଅନେକ ଗମ୍ଭୀର । ଦାମୀ ଚଷ‌ମାଟିଏ ପିନ୍ଧିଦେଲେ, ଆମେ ସବୁକିଛିକୁ ଦେଖି ପାରୁନଥାଉ । କେବେ ଆମକୁ ଅନେକ କିଛି ଲୁକ୍କାଇତ ଜିନିଷ ଦେଖିବାକୁ ଆଖିର ଚଷମା ନୁହେଁ, ମନ ଆଉ ହୃଦୟର ଚଷମା ବ୍ୟବ‌ହାର କରିବାକୁ ପଡ଼ିଥାଏ । "ପ୍ରସ୍ତୁତି", ଏହି କାହାଣୀଟି ସମସ୍ତଙ୍କୁ ପଢ଼ିବା ଦରକାର । ବେଳ ଥାଉ ସବୁକିଛି ପାଇଁ ପ୍ରସ୍ତୁତି କରିବା ଦରକାର । ଜୀବନରେ ଏକୁଟିଆ ଆଗକୁ ଯିବା ପାଇଁ ଆମକୁ ସବୁକିଛି ଶିଖିବାକୁ ହେବ । ହଁ ଟିକେ କଷ୍ଟ ହେବ, ହେଲେ ଭବିଷତ ନିଶ୍ଚୟ ସୁରକ୍ଷିତ ହେବ ।

"ବିଶ୍ୱାସ", ଏହି ଗପଟି ପ୍ରାୟ ଅନେକବେଳେ ସତ ହୋଇଥାଏ । ମୋ ସ‌ହ ମଧ୍ୟ ହୋଇଛି, କେବେ କେବେ ଆମର ବିଶ୍ୱାସ ଆଉ ଅଧ୍ୟାତ୍ମିକ ଭାବନା ଆମକୁ ସାକାରାତ୍ମକ ଭାବନା ଯୋଗାଇଥାଏ ଆଉ ଆମେ ଅତି ଜଟିଳ ସମସ୍ୟାକୁ ସୁରୁଖୁରୁରେ ସମାଧାନ କରିପାରୁ । କଥାରେ ଅଛି ପରେ, 'ବିଶ୍ୱାସେ ମିଳଇ ହରି' । "ସ୍ୱାଧୀନତା", ଏହି ଶବ୍ଦଟିର ଅର୍ଥ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ । ଯେମିତି ଜଳ ବିହିଲେ ସୃଷ୍ଟି ନାଶ, ଆଉ ଜଳ ବ‌ହୁଳେ ସୃଷ୍ଟି ନାଶ । ସେମିତି ସ୍ୱାଧୀନତା ମଧ୍ୟ ଅଧିକ କେବେ ହିତକର ହୋଇନଥାଏ । "ଡାହାଣୀ", ଏହି ଗପଟି ସବୁ ଲୋକଙ୍କୁ ବୁଝିବା ନିହାତି ଦରକାର । ସବୁ ଯେ ଦୁନିଆରେ ଡାହାଣୀ ନ ଥାନ୍ତି, ସେଇଟା ଯେବେ ଲୋକେ ବୁଝିବେ, ଦୁନିଆରୁ ଡାହାଣୀ ବି ଦୂରେଇଯିବେ । "ରଙ୍ଗ", ଏହି କାହାଣୀ ଅନେକ ଲୋକଙ୍କ ପାଖରେ ଏବେ ବି ଅବୁଝା । ମୁଁ ବି ଗୋରା ନୁହେଁ ବୋଲି ସବୁବେଳେ ନିଜକୁ ଖରାପ ଲାଗେ, କାରଣ ମୋ ଫଟୋ ଏତେ ଭଲ ଲାଗେନି । ହେଲେ ଏଇ ଗପଟି ପରଠାରୁ, ମୁଁ କେବେ ମୋ ରଙ୍ଗ କଥା ମନ‌କୁ ଆଣେନି । ରଙ୍ଗର ଭେଦଭାବ କେବଳ ମନରେ ଥାଏ । ଏହି ବିଷୟରେ ଅପା ମଧ୍ୟ ଗୋଟିଏ ଅଲଗା ଲେଖାରେ ଫେସ୍‌ବୁକ୍ ପୃଷ୍ଠାରେ ଲେଖିଥିଲେ, ସେଇ ଲେଖାଟି ମଧ୍ୟ ପାଠକେ ପଢ଼ିବା ନିହାତି ଦରକାର । "ଚକୁଳି ପିଠା", ଏହି ଗପରେ ଥିବା ସେ ଆପଣାର ପଣିଆ ଲୋକଙ୍କୁ ବୁଝିବା ଦରକାର । ଦୁନିଆ ଆମର, ସମାଜ ଆମର, ତେଣୁ ଆମେ ସଭିଙ୍କୁ ନିଜର କରିବା ଦରକାର । "ଟିପଚିହ୍ନ", ଆମେ ଯେତେ ଆଗକୁ ଗଲେ ଆମ ପୁରୁଣା ଜୀବନ ଆମ ସ‌ହ ଯୋଡ଼ି ହୋଇଥାଏ । ସେଇ ପୁରୁଣା ଖାଇବା, ପୁରୁଣା ପୋଷାକ ମଧ୍ୟ ଆଜିର ଦୁନିଆରେ ଦେଖିବାକୁ ମିଳୁଛି, ଅବଶ୍ୟ ସେବେ ବକ୍କଳ ଥିଲା, ହେଲେ ଏବେ କପଡ଼ାରେ ସେହି ଭଳି ନିର୍ମିତ ପୋଷାକ । "ସ୍ୱଚ୍ଛ ଭାରତ ଅଭିଯାନ", ଏହି ଗପଟି ଆଜିକାଲି ଚାଲିଥିବା ଗୋଟିଏ ଧାରା (ଟ୍ରେଣ୍ଡ) ବିଷୟରେ ଏମିତି ସୂଚାଉଛି ଆଉ ସେହି ଭଳି ଲୋକଙ୍କୁ ପଢ଼ିବା ଦରକାର । ଭାରତ କେବେ ବିଜ୍ଞାପନରେ ସ୍ୱଚ୍ଛ ହେବନି, କାମରେ ସ୍ୱଚ୍ଛ ହେବ । ମଦର ଟେରେସାଙ୍କ ଅନୁସାରେ, ନିଜ ଘର ଆଗ ସଫା କର, ଦୁନିଆ ସଫା ହେଇଯିବ । ହେଲେ ଦୁନିଆ ସଫା କରିବା ବାହାନାରେ ନିଜ ଘର ଅଳିଆ ବଢ଼ାଇଲେ ଦୁନିଆ କେବେ ବି ସ୍ୱଚ୍ଛ ହେଇପାରିବନି । "କର୍ତ୍ତବ୍ୟ", ଏହି ଗପଟି ସବୁଲୋକଙ୍କୁ ପଢ଼ବା ଆଉ ବୁଝିବା ଦରକାର । ଖାଲି ଯେ ଆମର ପ୍ରତି କାହାର କର୍ତ୍ତବ୍ୟ ଅଛି, ସେଇଟା ନୁହେଁ । ଆମର ମଧ୍ୟ ସେମାନଙ୍କ ପ୍ରତି ଅନେକ କିଛି କର୍ତ୍ତବ୍ୟ ଅଛି । ଯେମିତି ସବୁ କ୍ରିୟାର ପ୍ରତିକ୍ରିୟା ହୋଇଥାଏ, ସେମିତି ସମସ୍ତଙ୍କର ଆମ‌ପ୍ରତି ଥିବା କର୍ତ୍ତବ୍ୟର ଋଣ ମଧ୍ୟ ଆମକୁ ସୁଝିବାକୁ ପଡ଼ିବ ବୋଲି ଆମକୁ ବୁଝିବା ଦରକାର । "ସୁଖ", ନିଜକୁ ଖୁସି କରିବାକୁ ଯାଇ, ଆଉ ଆମର କିଛି ଛୋଟକାଟିଆ କାମ ଦେଖେଇକି ଆମେ ଅନେକଙ୍କ ସୁଖ ନଷ୍ଟ କରୁଦେଇଛେ । ହେଲେ କ'ଣ ହେବ, ଦୁନିଆରେ ଏମିତି ହିଁ ଚାଲିଆସିଛି ଆଉ ପ୍ରାୟ ଲୋକ ସବୁକୁ ବୁଝିକି ବି ସେଇଟାକୁ ଆଦରି ନେଇଛନ୍ତି ।

"ଅଭିମାନ", କେବେ କେବେ ଆମର ଅଭିମାନ ବି ସତ ହୋଇଯାଏ । ବେଳେ ଆମେ ଏମିତି କିଛି କ‌ହିଦେଉ, ସେଥିପାଇଁ କେହି କେହି ଅଭିମାନ କରିଥାଆନ୍ତି । "ଅନୁସରଣ", ଏହି ଗପଟି ମୋତେ ସବୁଠୁ ବେଶି ଭଲ ଲାଗିଲା । କଥାରେ ଅଛି, "କ‌ହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ" । ଅନ୍ୟକୁ ଉପଦେଶ ଦେବା ବ‌ହୁତ ସ‌ହଜ, ହେଲେ ନିଜ ଜୀବନରେ ଏହି ଉପଦେଶକୁ ଅନୁସାରଣ କରିବା କେବେ ବୋଧେ ସମ୍ଭବ ହୁଏନି । ଅନେକ ଡଃ ଅବ୍‌ଦୁଲ୍ କଲାମଙ୍କର ଉପଦେଶ ଦିଅନ୍ତି ହେଲେ କେହି କେବେ ପିଲାମାନଙ୍କ ପାଇଁ ତାଙ୍କ ଭଳି ହେଇଛି । "ମାଣବସା ଗୁରୁବାର ୧-୨" ଏହି ଦୁଇଟି ଗପ ଆମମାନଙ୍କ ଦୁନିଆରେ ଥିବା ଅନେକ କିଛି ଅନ୍ଧବିଶ୍ୱାସ ଉପରେ ଆଧାରିତ । ଯେମିତି ଆମେ ସବୁ ଦେଖୁ ଆଉ ସବୁ ବୁଝୁ ହେଲେ ସେ ସବୁ କେବଳ ସିମୀତ ସମୟ ପାଇଁ । ଯେମିତି କି ଶିଶୁଶ୍ରମିକ ପ୍ରଥା ବିଷୟରେ ଚାହା ଦୋକାନରେ ବସି ନିନ୍ଦା କଲାବେଳେ ଦୋକାନରେ କାମ କରୁଥିବା ଛୋଟପିଲାଟିକୁ ଚାହା ଆଣିବାକୁ ଆଦେଶ ଦେଇଥାଉ । "ଅଳିଆ", ଏହି ଗପଟି ମୋ ସ‌ହ ଜଡ଼ିତ ମଧ୍ୟ । ମୁଁ ମୋର କୌଣସି ଜିନିଷ କେବେ ଫୋପାଡ଼ିବାକୁ ଚେଷ୍ଟା କରେନି । ସବୁଜିନିଷକୁ ପୁଣିଥରେ ବ୍ୟବ‌ହାର କରେ । ହଁ ସେ ସବୁ ଫଳରେ ଅଳିଆ ବଢ଼ିବନି ବରଂ କମିବ ବୋଲି ମୋତେ ଲାଗେ । "ହିସାବ", ଆମେ ଜୀବନରେ ଟଙ୍କା ପଇସା ଆଉ ଧନସମ୍ପତ୍ତିର ହିସାବ କରୁ କରୁ କେତେବେଳେ ଯେ ଆମର ଜୀବନ‌ର ମଧ୍ୟ ହିସାବ କରିଦେଇ‌‌ଥାଉ ସେଇଟା ଆମକୁ ଜଣା ପଡ଼େନି । "ଦାନ", ଏହି ଗପଟି ଅନେକଙ୍କ ଜୀବନରେ ପ୍ରାୟତଃ ଘଟିଥିବ । ଯେବେ ଆମେ କାହାକୁ କିଛି ଦାନ କରୁ, ସେବେ ଆମେ ସବୁବେଳେ ନିଜକୁ ଉପରେ ହିଁ ଦେଖିଥାଉ । ମାତ୍ର କେବେ ଯଦି ଆମେ ଜାଣୁ ଆମ‌କୁ ଭଗବାନ ଭାବି ଦାନ ଗ୍ରହଣ କରୁଥିବା ଲୋକଟି ଟିକେ ଉପରକୁ ଉଠିଯାଇଛି, ସେବେ ଆମର ସବୁ ଅ‌ହ‌ଙ୍କାରରେ ଦାଗ ଲାଗିଯାଏ ଆଉ ରସଗୋଲା ବି ପାଣିଚିଆ ଲାଗେ । "ଗଣ୍ଠି", ଏଇ ଗପଟି ଏମିତି ଏକ କଥାକୁ ଦେଖାଇଲେ ଯେ, ଭଲ ପାଇବାଠୁ ନେଇକି ଜୀବନରେ ଘଟୁଥିବା ଦ୍ୱେଷ ଏବଂ ଦ୍ୱିଧା ଯାଏଁ ଛପିଯାଇଛି । "ହେଲମେଟ୍", ମୁଖ୍ୟତଃ ସଭିଙ୍କୁ ହେଲମେଟ୍ ଅ‌ଥବା ଆମ ନିଧି ଅଜାଙ୍କ ଭାଷାରେ 'ମଥାସାଞ୍ଜୁ' ପ୍ରୟତଃ ଅନେକ ଲୋକଙ୍କୁ ପିନ୍ଧିବାକୁ ଭଲ ଲାଗେନି । ଏମିତିକି ମୋତେ ତ ଜମାରୁ ଭଲ ଲାଗେନି ଆଉ ସେଇଥିପାଇଁ କେତେ ଯେ ଗାଳି ଶୁଣେ, ସେଇଟା କ‌ହିବାକୁ ନାହିଁ । ଏକୁଟିଆ ଗଲାବେଳେ ଘରଠୁ ଟିକେ ଦୂରକୁ ଗଲାପରେ ତା ଜାଗା ସେ ଆଇନା ଷ୍ଟାଣ୍ଡରେ ଆଉ ବାପାଙ୍କ ସଙ୍ଗେ ଗଲାବେଳେ ବାପାଙ୍କୁ ପିନ୍ଧେଇଦିଏ । ହେଲେ କେବେ କେବେ ଦୁନିଆରେ ଏମିତି ଘଟଣାସବୁ ଘଟିଯାଏ, ଚାହିଁଲେ ବି ଆମେ ପଛକୁ ଫେରି ପାରୁନା । କେବେ କେବେ ଲାଗେ, ମୁଁ ବି 'ପ୍ରିନ୍ସ ଅଫ୍ ପର୍ସିଆ' ହୋଇଥାନ୍ତି କି, ସମୟକୁ ପଛକୁ ଫେରେଇବା ଯନ୍ତ୍ରଟିଏ ମୋ ପାଖରେ ଥାଆନ୍ତା କି । ହେଲେ ବିଧିର ବିଧାନ, କେ କରିବ ଆନ । "ବୋଉ କ‌ହେ", ଏହି ଗପଟି ଅନେକ ବୋଉର ହୃଦୟର କଥା କ‌ହୁଛି । "ମତାନ୍ତର", ଜୀବନରେ ଅନେକ କିଛି ଛୋଟବଡ଼ ଘଟଣାକୁ ନେଇକି ଆମ ନିଜ ନିଜ ମଧ୍ୟରେ କଥା କଟାକଟିଠାରୁ ଆରମ୍ଭ କରି ବଡ଼ ବଡ଼ ଝଗଡ଼ା ଯାଏଁ ହେଇଥାଏ, ହେଲେ ସବୁକିଛିର ଗୋଟିଏ ଅନ୍ତ ଥାଏ, ସେମିତି ଆମ ଜୀବନରେ ବି ଅନେକ ଲୋକଙ୍କ ସ‌ହ ଏହି ଘଟଣା ଘଟିଛି ଆଉ ମୋ ଜାଣିବାରେ ମତାନ୍ତର କି ମନାନ୍ତର ପରେ ଆମେ ଉଭୟ ଉଭୟଙ୍କ ସ‌ହ ଅଧିକ ଯୋଡ଼ିହେଇଯାଉ । 

"ସମ୍ପର୍କ", ହଁ ଏଇ ଗପଟି ଗୋଟିଏ ନିରବତାର କାହାଣୀଟିଏ ବୋଲି ମୁଁ କ‌ହିବି । ସବୁବେଳେ ଆମେ ଅନ୍ୟକୁ ଦେଖେଇବା ପାଇଁ ଯେ କେବଳ ସମ୍ପର୍କ ରକ୍ଷା କରିନଥାଉ । ଆମର ଭିତରେ ଥିବା ସେହି ସମ୍ପର୍କ ସବୁଠୁ ବେଶି ଦୃଢ଼, ଯାହାକି ଆମକୁ ବାରମ୍ବାର ମନେ ପକାଇବାକୁ ପଡ଼େନି । +୨ ବେଳେ ପଢ଼ିଲାବେଳେ ଗୌରାଙ୍ଗ ସାର୍ ଗୋଟିଏ ଭଲ କଥାଟିଏ କ‌ହିଥିଲେ । ପ୍ରେମିକ ପ୍ରେମିକାକୁ କାଳେ ଭୁଲିଯିବ ବୋଲି ସେମାନେ ପରସ୍ପରକୁ ବାରମ୍ବାର "ଆଇ ଲଭ୍ ୟୁ" ଆଦି କ‌ହିଥାନ୍ତି । ହେଲେ ମାଆ ପୁଅ ଭିତରେ କି ପରିବାର ଭିତରେ ସେମିତି ହୁଏନି, କାରଣ ସେମାନଙ୍କ ମଧ୍ୟରେ ସମ୍ପର୍କ ସେତେ ଦୃଢ଼ ଯେ, ସେମାନେ ଚାହିଁଲେ ବି ଭୁଲିପାରିବେନି । "ଭୁଲ", ଏହି ଗପଟି ତ କେତେବେଡ଼ କଥାଟିଏ ଶିଖାଉଛି ତାହା ଆମକୁ ବୁଝିବାକୁ ପଡ଼ିବ । ଗୋଟେ ସମୟ ଥିଲା, ଯେବେ ମୋତେ ବି ଲାଗିଥିଲା କି ଇଂରାଜୀ ଆଉ ହିନ୍ଦୀରେ ମୁଁ ଦୁର୍ବଳ, ସେଇଟା ମୋର ବଡ଼ ଭୁଲ, ହେଲେ ଧିରେ ଧିରେ ଅନେକ ଲୋକଙ୍କ ସ‌ହ ମିଶିବା ପରେ ଜଣାପଡ଼ିଲା, ଭାଷା ତ କଥୋପକଥନର ମାଧ୍ୟମ । ତେଣୁ ଆମେ ଯାହା ପଢ଼ୁଛେ, ସେଇଟା ନିହାତି ଦରକାର । କେବଳ ବୁଝିବା ପାଇଁ ଆଉ କ‌ହିବା ପାଇଁ ଟିକିଏ ଇଂରାଜୀ କି ହିନ୍ଦୀ ଜାଣିବା ଦରକାର । ଯଦି ଲୋକଟିଏ ଆମର ଆବେଗକୁ ବୁଝିପାରୁଛି ତାହା ହିଁ ଶ୍ରେୟ । "କୁଣିଆ", ଏହି ଗପଟି ମଧ୍ୟ ଅନେକ ଲୋକଙ୍କୁ ପଢ଼ିକି ବୁଝିବାକୁ ପଡ଼ିବ । କଥାରେ କୁହ‌ନ୍ତି, 'ଝିଅ ଜନମ ପର ଘରକୁ' । ସେମାନଙ୍କୁ ଆମେ ନିଜେ ଜାଣି ଜାଣିକି ପର କରିଦେଉ ଆଉ କ‌ହୁକି ଝିଅ ତ' ଆମକୁ ପର କରିକି ଚାଲିଗଲା । ସେମାନେ କେବେ ନିଜର ହେବାକୁ ଚେଷ୍ଟା କଲେ, ଆମେ ପୁଣି ସେଇ କଥା କ‌ହି ସେମାନଙ୍କୁ ପର କରିଦେଉ । "ଚାଲାକ", ଏହି କଥାରୁ ମୋତେ ମୋର ଗୋଟେ ସାଙ୍ଗ ସନତ କଥା ସବୁବେଳେ ମନେ ପଡ଼ିଯାଏ । ସେ ସବୁବେଳେ କ‌ହେ, ଦୁନିଆରେ କେହି ବୋକା ନାହାନ୍ତି, ଆଉ ତୁ ଯଦି କାହାକୁ ବୋକା ବୋଲି ଭାବୁଛୁ, ତାହାଲେ, ତୋ' ଠାରୁ ବଡ଼ ବୋକା ଆଉ କେହି ନାହିଁ । "ଆମ୍ବଖଟା", ଏହି ଗପଟି ସବୁ ପିଲାମାନଙ୍କୁ ପଢ଼ିବା ଦରକାର । ସ୍ନେହ ମମତା ଖାଲି ଯେ ପରିବାରରୁ ମିଳେନି, ଆମେ ଯାହାକୁ ଆପଣେଇ ନେଉ, ସେ ଆମର ପରିବାର ହେଇଯାଏ । "ଛୋଟଘର", ଏହି ଗପଟି ଅନେକ କ‌ଥା କ‌ହୁଛି । ବାପାମାଆର ଭଲପାଇବା ଆଉ ନିଜ ପ୍ରତି ବେଖାତିର୍ । ହେଲେ ମୋତେ ଶେଷରେ ସବୁଠୁ ବେଶି ହସ ଲାଗିଲା । ପୁଅ ପଇସା ବଞ୍ଚେଇବା ପାଇଁ ଛୋଟ ଘର ନେଉଛି, ହେଲେ ବାପା ସେଇଟାକୁ ପୁଅର ଦୁଃଖ ଭାବିକି ନିଜର ସୁଖକୁ ତ୍ୟାଗ କରିବାକୁ ପ‌ଛାଉନି ।

ମୋଟାମୋଟି ଭାବରେ ଏହି ସଙ୍କଳନରେ ଥିବା ସବୁଯାକ ଗପ ଏତେ ମନ‌ଛୁଆଁ ଯେ କ‌ହି ହେବନି । ମୁଁ ମୋର ସବୁକଥାକୁ ବି ଏକାଥରକେ ଖୋଲିକି କ‌ହିପାରେନି । ବ‌ହିଟିରୁ ଅନେକ କିଛି ଶିଖିବାକୁ ମିଳିବ ନିଶ୍ଚୟ । ଅନେକଙ୍କ ପାଇଁ ପ୍ରେରଣା, ତ କାହା ପାଇଁ ତାଙ୍କ ପ୍ରଶ୍ନର ଉତ୍ତର ହେବ ବୋଲି ମୁଁ ଭାବୁଛି । ଆଉ ଓଡ଼ିଆ ସାହିତ୍ୟ ପ୍ରତି ଲୋକଙ୍କର ଆଗ୍ରହ କମୁଥିବା ସମୟରେ ଏହି ବ‌ହିଟି ଲୋକେ ଅଧିକ ପସନ୍ଦ କରିବେ ବୋଲି ଆଶା ର‌ହିଛି ପ୍ରାୟ ସଭିଙ୍କର ।

Thursday, 22 June 2017

ସ୍ୱାର୍ଥପର ଦୁନିଆ

Sangram Keshari Senapati June 22, 2017 0
ସ୍ୱାର୍ଥପର ଦୁନିଆ
ଆମେ ମଣିଷମାନେ ବ‌ହୁତ ବଢ଼ିଆ ଲୋକମାନେ । ଆମେ ସଭିଙ୍କୁ ଅତି ଆଦର ଯତ୍ନରେ ପାଳିଥାଉ । ଏପରିକି ଆମେ ଆମ ଘରେ ଏହିଭଳି କୁକୁଡ଼ା ଚିଆଁକୁ ରଖିକି ମଧ୍ୟ ପାଳିଥାଉ । ଅତି ସ୍ନେହରେ ବି ଆମେ କେବେ କେବେ ଆମର ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ପାଳିଥାଉ । ଆମେ ପରା ମଣିଷ, ଭଗବାଙ୍କ ସୃଷ୍ଟିରେ ସବୁଠାରୁ ଅଧିକ ବଳଶାଳୀ ଆଉ ବୁଦ୍ଧିମାନ । ଆମ ପାଖରେ ତ ଅନେକ ପ୍ରକାରର ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ହୋଇଗଲାଣି, ଯାହା ଫଳରେ ଆମେ ସବୁକିଛିକୁ ସୁରୁଖୁରୁରେ କରିପାରୁଛି

Thursday, 8 June 2017

ପ୍ରକୃତିର ସନ୍ତୁଳନ

Sangram Keshari Senapati June 08, 2017 0
ପ୍ରକୃତିର ସନ୍ତୁଳନ
ପ୍ରକୃତି ଅଥବା ଧରଣୀ ଆମର ମାଆ ସମାନ । ଗାଇକୁ ବି ଆମେ ଆଦି ଯୁଗରୁ ମାଆ ଭାବରେ ପୂଜା କରିଆସିଛେ । ଯେମିତି ପିଲାଟିଏ ଛୋଟ ଥିଲାବେଳେ ତା' ମାଆର ଖିର ଖାଇ ଧିରେ ଧିରେ ବଡ଼ ହୋଇଥାଏ, ସେମିତି ଗାଇର ଖିରରେ ମଧ୍ୟ ଅନେକ ପ୍ରକାରର ଗୁଣବତ୍ତା ଥାଏ, ଯାହାକୁ ସଭିଙ୍କୁ ପୋଷଣ ଯୋଗାଇଥାଏ । ସେଇଥିପାଇଁ ଆମେ ଗାଇଙ୍କୁ ମଧ୍ୟ ମାଆର ଆଖ୍ୟା ଦେଇଆସିଛୁ । ହିନ୍ଦୁ ଧର୍ମରେ ଆମେ ଗାଇକୁ ଭଗବାନଙ୍କ ଆଶୀର୍ବାଦ ରୂପରେ ମାନିଛେ ଏବଂ ଗୋମାତାଙ୍କ ଦେହରେ ଅନେକ ଭଗବାନଙ୍କର ଅବସ୍ଥାନ ବୋଲି ମଧ୍ୟ ଆମେ ଜାଣିଛେ ।

Sunday, 14 May 2017

ମାଆ

Sangram Keshari Senapati May 14, 2017 0
ମାଆ
ମାଆ ଏକ ଏମିତି ଶବ୍ଦ ଯାହାର ଅର୍ଥ ଯିଏ ବୁଝିଛି ସେ ହିଁ ଜାଣିଛି । ଦୁନିଆରେ ମାଆ'ର ଋଣ କେହି କେବେ ସୁଝିପାରିବେନି ବୋଲି ସଭିଏଁ କ‌ହ‌ନ୍ତି ଆଉ ହଁ ଏଇଟା ବି ସତ । ଖାଲି ମାଆ ନୁହେଁ ମାଆ ସ‌ହ ବାପାଙ୍କର ଋଣ ବି କେହି କେବେ ସୁଝିପାରିବେନି । ଏବେ ଏବେ ତ ଗୋଟେ ନୂଆ ପ୍ରଥା ଚାଲିଛି । ସବୁ କିଛି କାମ ପାଇଁ କିଛି ନା କିଛି ଦିବସ ପାଳନ କରୁଛେ । ଏମିତିକି ମାଆ ପାଇଁ ବି ମାତୃଦିବସ । ମାତୃ ଦିବସ ପାଳନ ଏକ ଭଲ କଥା, ମାତ୍ର ବାକି ୩୬୪ ଦିନ ସେ ପ୍ରେମ ଆଉ ଭଲ ପାଇବା କାଇଁ ।

Saturday, 29 April 2017

ଅକ୍ଷୟ ତୃତୀୟା

Sangram Keshari Senapati April 29, 2017 0
ଅକ୍ଷୟ ତୃତୀୟା
ଓଡ଼ିଶାକୁ ଅନେକ କୃଷିଭିତ୍ତିକ ରାଜ୍ୟ ଭାବରେ ଗଣନା କରନ୍ତି । ଅବଶ୍ୟ କରିବା ଦରକାର । କୃଷି ଏବଂ କୃଷକ ଆଗେଇଲେ ଓଡ଼ିଶା ଆଗେଇବ । ଆଜିର ସେହି କୃଷି ଭିତ୍ତିକ ପର୍ବର ଅନୁକୂଳ କରାଯାଏ ଅକ୍ଷିମୁଠିର ଏବଂ ଆରମ୍ଭ ହୋଇଥାଏ ଚାଷ କାମର । ଅକ୍ଷୟ ତୃତୀୟା ଏକ ଶୁଭଦିନ । ତେଣୁ ଏହିଦିନରେ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ ।

Friday, 28 April 2017

ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର

Sangram Keshari Senapati April 28, 2017 0
ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର
ପ୍ରାଚୀନ ଓଡ଼ିଶା ବିଭିନ୍ନ ରାଜାମାନଙ୍କ ଶାସନ କାଳରେ ଭାଙ୍ଗି ଭାଙ୍ଗି ବିଭିନ୍ନ ଗଡ଼ଜାତରେ ପରିଣତ ହୋଇସାରିଥିଲା । ସେତେବେଳେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଆ ଭାଷାର ଅବନତି ଘଟିବାକୁ ଆରମ୍ଭ କରିଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସେମାନଙ୍କ ଭାଷା ଏବଂ ସଂସ୍କୃତି ଓଡ଼ିଶାରେ ଖେଳାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ । ସେତେବେଳେ ଓଡ଼ିଆମାନଙ୍କୁ ଏକାଠୀ କରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା । ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତି ଉପରେ ଜନ‌ଜାଗରଣ ସୃଷ୍ଟିକରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା ।
ସେହିସମୟରେ ଓଡ଼ିଶାର ଅନେକ ତୁଙ୍ଗନେତାଙ୍କ ଆପ୍ରାଣ ଉଦ୍ୟମରେ ଉତ୍କଳ ସମ୍ମିଳନୀର ଆୟୋଜନ କରାଯାଇଥିଲା, ଯାହାର ପ୍ରମୁଖ କର୍ତ୍ତା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ମହୋଦୟ । ଅନେକ ଆଶା ଆକାଂକ୍ଷାକୁ ନେଇ ଶେଷରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଓଡ଼ିଶା ଶେଷରେ ଭାଷା ଭିତ୍ତିରେ ରାଜ୍ୟର ମାନ୍ୟତା ପାଇଥିଲା, ଯାହାକି ଭାରତ ବର୍ଷର ପ୍ରଥମ ରାଜ୍ୟ ଥିଲା, ଯାହାକୁ ଭାଷା ଭିତ୍ତିରେ ରାଜ୍ୟ ଗଠନର ମାନ୍ୟତା ମିଳିଥିଲା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ମାତ୍ର ସେତେବେଳକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନାୟକ ମଧୁବାବୁ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । କିନ୍ତୁ ତାଙ୍କର ସେ ଆପ୍ରାଣ ଉଦ୍ୟମ ଏବଂ ଓଡ଼ିଶା ଜାତିକୁ ସର୍ବାଗ୍ରେ ଦେଖିବାର ସ୍ୱପ୍ନ ଓଡ଼ିଶା ଇତିହାସରେ ତାଙ୍କର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଦେଇଥିଲା ।

Image result for madhusudan das

ମଧୁବାବୁ ପ୍ରଥମ ଓଡ଼ିଆ ଭାବରେ ବିଲାତ ଯାଇ ଓକିଲାତି ପଢ଼ିଥିଲେ । ପେଶାରେ ଜଣେ ଓକିଲ ହୋଇଥିଲେ ହେଁ ସେ ସର୍ବଦା ଗରିବମାନଙ୍କ ପାଇଁ ଏବଂ ଓଡ଼ିଶା ଭାଷାଭାଷୀମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ତାଙ୍କ ଉଦ୍ୟମରେ ମଧ୍ୟ ଓଡ଼ିଆ ମାନଙ୍କ ପ୍ରତି ଥିବା ତାଙ୍କର ଆନ୍ତରିକତା ବାରିହୋଇପଡ଼ୁଥିଲା । ଓଡ଼ିଆ ଜାତିର କଲ୍ୟାଣ ନିମନ୍ତେ ଏବଂ ଓଡ଼ିଶାର ଉନ୍ନତି ପାଇଁ ସେ କଟକରେ ଆରମ୍ଭ କରିଥିଲେ ଜୋତା କାରଖାନା, ଯେଉଁଠି ବେରୋଜଗାରୀ ଓଡ଼ିଆ ଯୁବକମାନେ ପାଉଥିଲେ କାମ ଏବଂ ଓଡ଼ିଶାର ଦାରିଦ୍ର ଦୂରିକରଣ ପାଇଁ ନେଇଥିଲେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଏତିକିରେ ତାଙ୍କର କ୍ଷାତି ସରିନଥିଲା । ସେହି ଜୋତା କାରଖାନାରୁ ବାହାରୁଥିଲା କେବଳ ଗୁଣାତ୍ମକମାନର ଜୋତା, ଯେଉଁ ଜୋତା ପାଇଁ କେହି ଓଡ଼ିଆଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି ନ ପାରିବ । ଏମିତିକି ଜୋତାର ମାନ ଟିକେ ଉଣା ହେଲେ ସେ ପୋଡ଼ିଦେଉଥିଲେ ଅନେକ ଜୋତା, ଯେଉଁଥିପାଇଁ ତାଙ୍କର ସେ କାରଖାନାଟି ଅଳ୍ପଦିନରେ ଋଣଭାରରେ ବୁଡ଼ିଯିବା ସ‌ହ ନିଲାମ ମଧ୍ୟ ହୋଇଯାଇଥିଲା । ପରେ ତାଙ୍କୁ ସରକାର ଦେବାଳିଆ ଘୋଷଣା କରିଥିଲେ ।
ମଧୁବାବୁ ଓକିଲ ଥିବାରୁ ତାଙ୍କୁ ଓଡ଼ିଶାର ମନ୍ତ୍ରିମଣ୍ଡଳରେ ମନ୍ତ୍ରିପଦରେ ମଧ୍ୟ ଅବସ୍ଥାପିତ କରାଯାଇଥିଲା, ମାତ୍ର କିଛି ଲୋକଙ୍କ କଟୋକ୍ତି ପାଇଁ ମଧୁବାବୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ଏବଂ ମାତୃଭୂମି ପ୍ରତି ଥିବା ତାଙ୍କର ପ୍ରେମକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ ।

୧୮୪୮ ମସିହା ଅପ୍ରେଲ ୨୮ରେ ଜନ୍ମଗ୍ରହଣ କରିଥିବା ମଧୁବାବୁ ଆଜି ବି ସାରେ ଓଡ଼ିଶାରେ ଚିରକାଳ ପାଇଁ ଅମର ହୋଇ ରହିଛନ୍ତି । ଆଜି ତାଙ୍କର ଜନ୍ମ‌ବାର୍ଷିକୀରେ ଶ୍ରଦ୍ଧେୟ ଶ୍ରଦ୍ଧାଞ୍ଜଳୀ ।

--------------------------------------------- End---------------------------------------------

Friday, 14 April 2017

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

Sangram Keshari Senapati April 14, 2017 0
ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି । ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ ।

Wednesday, 12 April 2017

ପ୍ରେରଣାର ଉତ୍ସ ସନ୍ଦୀପ ମାହେଶ୍ୱରୀ

Sangram Keshari Senapati April 12, 2017 1
ପ୍ରେରଣାର ଉତ୍ସ ସନ୍ଦୀପ ମାହେଶ୍ୱରୀ
Sandeep Maheshwari in wikipedia.jpg
ସନ୍ଦୀପ ମାହେଶ୍ୱରୀ ଜଣେ ଭାରତୀୟ ଉଦ୍ୟୋଗପତି ଏବଂ ଚିତ୍ରୋତ୍ତଳକ । ସେ ଚିତ୍ରୋତ୍ତଳନରେ ଲିମ୍‌କା ବୁକ୍ ଓଫ୍ ରେକର୍ଡ଼୍ସରେ ୧୦ଘଣ୍ଟା ଭିତରେ ୧୦୦ ଜଣ ମଡେଲଙ୍କର ଫଟୋ ଉଠାଇ ବିଶ୍ୱରେକର୍ଡ଼ ସୃଷ୍ଟି କରିଥିଲେ ।[୧] ଅନେକ ବ୍ୟବସାୟରେ ବିଫଳ ହେବା ପରେ ସେ ଚିତ୍ରୋତ୍ତଳନରେ ଇମେଜ ବଜାର ନାମକ ନିଜସ୍ୱ ୱେବସାଇଟ୍‌ରେ ଭାରତୀୟ ମଡେଲମାନଙ୍କର ଫଟୋ ସ୍ଥାନିତ କରିଥିଲେ ଯେଉଁଥିରୁ ଅଧିକାଂଶ ଖବରକାଗଜରେ ଫଟୋ ଛପାଯାଉଛି ।[୨]
ଜୀବନରେ ଭୋଗିଥିବା ଅନେକ ବିଫଳତା ହିଁ ସନ୍ଦୀପଙ୍କୁ ତାଙ୍କ ଜୀବନରେ ସଫଳ କରାଇବାରେ ସାହାଯ୍ୟ କରିଥିଲା । ସବୁ ଜିନିଷକୁ ସ‌ହଜରେ ଗ୍ରହଣ କରୁଥିବା ମଣିଷ‌ଟିଏ ହେଉଛନ୍ତି ସନ୍ଦୀପ ।

Saturday, 1 April 2017

ଉତ୍କଳ ଦିବସ ଆଉ ଓଡ଼ିଆ ଚଳଚ୍ଚିତ୍ର

Sangram Keshari Senapati April 01, 2017 0
ଉତ୍କଳ ଦିବସ ଆଉ ଓଡ଼ିଆ ଚଳଚ୍ଚିତ୍ର
୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହୋଇଥିଲା । ଏହି ସ୍ୱତନ୍ତ୍ରତା ପାଇବା ପାଇଁ ଅନେକଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ମୁଖ୍ୟତଃ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ହିଁ ଆମେ ମନେ ପକାଇଥାଉ ଏହିଦିନରେ । ମଧୁବାବୁଙ୍କ ସ‌ହ ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଆଦି ଏହି ମହାନ କାର୍ଯ୍ୟପାଇଁ ଅନେକ କିଛି କରିଛନ୍ତି । ସେମାନଙ୍କର ଅପାର ପ୍ରଚେଷ୍ଟା ଏବଂ ଲୋକଙ୍କୁ ଓଡ଼ିଆ ଭାଷା, ସଂସ୍କୃତ୍ତି, ସାହିତ୍ୟ, କଳା ପ୍ରତି ଆକର୍ଷଣ ଏବଂ ଏକଜୁଟ କରିବାର ଦକ୍ଷଗୁଣ ପାଇଁ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପାହ୍ୟା ପାଇଥିଲା

Tuesday, 14 March 2017

ଫୁଲଭରା କଣ୍ଟକିତପଥର ଯାତ୍ରୀ

Sangram Keshari Senapati March 14, 2017 0
ଫୁଲଭରା କଣ୍ଟକିତପଥର ଯାତ୍ରୀ
ଦିନ ପରେ ଦିନ ଗଡ଼ିଚାଲିଲା, ଦେଖୁ ଦେଖୁ ଚାରିବର୍ଷ ବି ଶେଷ ହେବାକୁ ବସିଲା ଆଉ ଆସି ପ‌ହ‌ଞ୍ଚିଗଲା ଗ୍ରାଣ୍ଡ ଭାଇବା । ଏହା ପରେ ଶେଷ ସେମିଷ୍ଟାର ପରୀକ୍ଷା ଆଉ ଶେଷରେ ମେଜର ପ୍ରୋଜେକ୍ଟ । ଯାହା ଯେମିତି ହେଉ ସବୁ ଶେଷ ହେଇଯିବା ପରେ ବିଦାୟ ନେଇଗଲୁ କଲେଜରୁ । କିଛିଦିନ ଘରେ ରହିବା ପରେ ସାଙ୍ଗମାନଙ୍କ ସ‌ହ ମିଶି ଚାଲିଲୁ ଏବେ ଚାକିରୀ ଅନ୍ୱେଷଣରେ ।

Saturday, 11 March 2017

ଶାସ୍ତ୍ରୀୟ ଭାଷା ଓଡ଼ିଆ

Sangram Keshari Senapati March 11, 2017 0
ଶାସ୍ତ୍ରୀୟ ଭାଷା ଓଡ଼ିଆ
୨୦ ଫେବୃଆରୀ ୨୦୧୪ରେ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଯାଇଥିଲା । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା ।

୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡ଼ିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ ।

ଏହାଛଡା ଓଡ଼ିଆ ଭାଷା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିବାକୁ ସୁଯୋଗ ମିଳିବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଶିକ୍ଷାବିତମାନେ ନିଯୁକ୍ତିର ସୁଯୋଗ ପାଇ ପାରିବେ । ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖ ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ପାଇଁ ଗାଜେଟ ନୋଟିଫିକେସନ ଜାରି କରାଯାଇଥିବାରୁ, ୨୦୧୫ ମସିହାରୁ, ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି ।

ଓଡ଼ିଆ ଭାଷା ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତର ଦେଶର ଓଡ଼ିଶା ପ୍ରଦେଶର ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବ‌ହର କରନ୍ତି ।

ଓଡ଼ିଆ ଏକ ଭାରତୀୟ ଭାଷା । ମୂଳ ଓଡ଼ିଆ ଭାଷା ପାଳି ଓ ମାଗଧୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି, ଏହି ଭାଷା ଭାରତରରେ ୨,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କହାଯାଉଥିଲା ଓ ବୌଦ୍ଧ ଧର୍ମର ତିପିଟକଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । ଓଡ଼ିଆ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ଖୁବ କମ ପାରସୀ ଓ ଆରବୀ ଭାଷା ଦ୍ଵାରା ପ୍ରାଭାବିତ ।

ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି ଖଣ୍ଡଗିରି ଓ ହାତିଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଳି ଆଉ ଲିପି ହେଉଛି ବ୍ରାହ୍ମୀ, ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଳି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଅଡେନବର୍ଗଙ୍କ ମତରେ ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।

ଓଡ଼ିଆ ଶବ୍ଦର ବ୍ୟବହାର ଅନେକ ଗୁଡ଼ିଏ ଜାଗାରେ ୭ମ ମସିହାର ଶିଳାଲିପିରେ ଦେଖିବାକୁ ମିଳିଥାଏ । ଯେମିତିକି ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ ର ବ୍ୟବହାର ୭ମ ଶତାବ୍ଦୀର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖରେ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତରୁ /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।

Thursday, 9 March 2017

ସାଥୀ

Sangram Keshari Senapati March 09, 2017 0
ସାଥୀ
ଜୀବନରେ ଅନେକ ଲୋକ ଥା'ନ୍ତି, ଯେଉଁମାନେ ଏକୁଟିଆ ଚାଲିବା ଶିଖିନଥାନ୍ତି । ସେମାନେ ସଦାସର୍ବଦା କାହାର ନା କାହାର ହାତ ଧରି ବାଟ ଚାଲୁଥାନ୍ତି । ଆଉ ବି କେହି କେହି ଅଛନ୍ତି, ସେମାନେ କୌଣସି ଲୋକର ହାତ ନ ଧରି ଏକୁଟିଆ ଚାଲିବା ଶିଖିଥାନ୍ତି । ସେମାନେ ତାଙ୍କ ପାଇଁ ସବୁକିଛି ଏକୁଟିଆ ନିର୍ଦ୍ଦାରଣ କରିଥାନ୍ତି, ସବୁବେଳେ ଏକା ଏକା ରହିବାକୁ ପସନ୍ଦ କରନ୍ତି, କାହା ସ‌ହ ବେଶି ମିଶନ୍ତିନି । ଆଉ ବି କିଛି ଅଛନ୍ତି ସେମାନେ ଏକା ଏକା ବଢ଼ିଛନ୍ତି, ମାତ୍ର ସାଥୀଟିଏ ଖୋଜି ବୁଲନ୍ତି ଆଗକୁ ବଢ଼ିବାକୁ । ହେଲେ ସବୁବେଳେ କ'ଣ ସଭିଙ୍କୁ ସାଥିଟିଏ ମିଳିଥାଏ କି?