Blogs by Sangram Keshari Senapati
Showing posts with label ଓଡ଼ିଆ ଲେଖା. Show all posts
Showing posts with label ଓଡ଼ିଆ ଲେଖା. Show all posts

Sunday 1 October 2017

କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ)

Sangram Keshari Senapati October 01, 2017 10
କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ)
କଲେଜ ଡାଏରୀ ଲେଖାର ୨ୟ ଭାଗ ଲେଖା ହେଉଛି ଏହି ଲେଖାଟି । ଏହି ଲେଖାଟି ପୂର୍ବଭାଗ ଯଦି ପଢ଼ିନାହାନ୍ତି, ତେବେ କଲେଜ ଡାଏରୀ- ୧ ପ୍ରଥମେ ପଢ଼ିବାକୁ ଅନୁରୋଧ ।

କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ) Golapi Dress re Se jhia

ଏମିତି ବୁଲୁବୁଲୁ ଏଣୁତେଣୁ କଥା ହେଉ ହେଉ ମୋ ଆଖି କିନ୍ତୁ ଲାଖିଗଲା କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗରେ । ବାରମ୍ବାର ସେଇ ରଙ୍ଗଟି ଆସୁଥିଲା ସାମ୍ନାକୁ ଆଉ ପୁଣି କିଛି କ୍ଷଣରେ କୁଆଡ଼େ ହଜିଯାଉଥିଲା ଆଖି ସାମ୍ନାରୁ । କେବେ କେବେ ଆମ ନିଜ କଥାରେ ଏତେ ମଜ୍ଜିଯାଇଥାନ୍ତି ଯେ, ସେହି ସମୟରେ କେହି ଆମ ଆଖି ଆଗରେ ଚାଲିଗଲେ ଆମ ନଜରରେ ବି ଆସେନି । ସେହିଭଳି ଜଣାନାହିଁ ମୋ ଆଖି ଆଗରେ କେତେଥର ସେହି ରଙ୍ଗ ଆସି ଚାଲିଯାଇଛି । ହେଲେ ଦୈବାତ୍ କେମିତି ଏକ ନ‌ଜର ପଡ଼ିଗଲା ସେହି ରଙ୍ଗ ଉପରେ । ସେ ରଙ୍ଗ ଆଉ କେଉଁ ରଙ୍ଗ ନୁହେଁ, ମୋର ପସନ୍ଦର ଗୋଲାପି ରଙ୍ଗ । ଆଉ ସେ ଗୋଲାପି ରଙ୍ଗର ପୋଷାକରେ ଥାଏ କେହିଜଣେ, ଯାହାକି ପ୍ରଥମ ଥର ଆସିଥିଲା ମୋ ଆଗକୁ । ସାଙ୍ଗରେ ତା'ର କେତୋଟି ବନ୍ଧୁ । ସେମାନେ ମଧ୍ୟ ମଜ୍ଜିଥାନ୍ତି ସେମାନଙ୍କର ଆଳାପରେ ।

ଆମର ଆଳାପ ତ' ଚାଲିଥାଏ ନିଜ ଭିତରେ, ହେଲେ ସେହି ସମୟର କିଛି ଅଲଗା ସ୍ମୃତି ଛାଇହୋଇଗଲା ମୋ ମନ ଭିତରେ । ପାଖରେ ଥିବା ମୋର ଦୁଇବନ୍ଧୁଙ୍କ କଥା ଶୁଣାଗଲାଣି ଠିକ୍‌ରେ । ସେମାନଙ୍କ କଥା କେବଳ ଏକ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଭଳି ଉଡ଼ି ଉଡ଼ି ଯାଉଥିଲା ମୋ କାନ ପାଖରୁ । ସତେ ଲାଗୁଥିଲା ଯେମିତି ଏହି ଦୁନିଆର ସମୟର ଗତିକୁ କିଏ ଧିର କରିଦେଇଛି ମୋ ପାଇଁ । ସବୁକିଛି ଧିର ଗତିରେ ଚାଲିଥିଲା ମୋ ଆଖି ଆଗରେ । ହଠାତ୍ ମୋର ଜଣେ ବନ୍ଧୁର କୌଣସି କଥାର ଉତ୍ତର ନ ଦେବାରୁ, ସେ ମୋତେ ଛୁଇଁ ପଚାରିଲା, ସେ କଥାଟି । ମାତ୍ର ସେ କଥାଟି ତ' ଶୁଣାଗଲାନାହିଁ, କିନ୍ତୁ ପ୍ରକୃତିସ୍ଥ ହେଲା ପରେ ଦେଖିଲା ବେଳକୁ ସେ ପୁଣୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇସାରିଛି ମୋ ଆଖି ଆଗରୁ । କଥା ସିନା ଶୁଣୁଥିଲି ସେହି ଦୁଇ ବନ୍ଧୁଙ୍କର, ହେଲେ ନଜର ଘୁରିବୁଲୁଥିଲା ଆଖପାଖରେ । ପୁଣିଥରେ କାଳେ ଆସିଯିବ ସେ ଆଖି ଆଗକୁ । ହେଲେ କିଛିସମୟ ଯାଏଁ ସେମିତି କିଛି ହେଲା ନାହିଁ । କାଇଁ କେଉଁଠି ସେ ଆଉ ନଜର ଆସିଲାନି ସେ ରଙ୍ଗ । ସେତେବେଳେ ମନରେ ଆସିଥାଏ, କିଛି ଭ୍ରାନ୍ତ ଧାରଣା । ଯେପରିକି, ମୁଁ କିଛି ସ୍ୱପ୍ନ ଦେଖୁ ନ ଥିଲି ତ? ମୋ ସ‌ହ କ'ଣ ସତରେ ଏମିତି କିଛି ଘଟିଥିଲା? ନା, ଏହି ବୋଧେ ମୋର କଳ୍ପନା ଥିଲା ମାତ୍ର । ଏମିତି ଭାବୁଭାବୁ ମୁଁ ଭାବରେ ରାଇଜରେ ବୁଡ଼ିଥିବାବେଳେ ହଠାତ୍ ଜଣେ ସାଙ୍ଗ ଆସି କ‌ହିଲା, ପୂଜକ ମହୋଦୟ ଆସିଲେଣି ଚାଲ ପୂଜା ଆରମ୍ଭ ହେବ ।

ସେହି ସ୍ଥାନରୁ ପୂଜା ପରିସରକୁ ଗଲୁ ଆମେ, ତ‌ଥାପି ଆଖିଦ୍ୱୟ ମୋର ମନେ ମନେ ଖୋଜୁଥିଲେ ସେହି ରଙ୍ଗକୁ । କାଇଁ କେଉଁଠି ତ' ସେ ରଙ୍ଗ ଦେଖାଯାଉନି । ହଁ, ଏହା ନିଶ୍ଚୟ ମୋ ମନର କୌଣସି ଧାରଣା ଥିବ । ରାତିରେ କିମ୍ୱା ଦିନରେ ମୁଁ ଶୋଇବା ବେଳ ମୋତେ ପ୍ରାୟତଃ ଏହି ଭଳି କିଛି ଅସମ୍ଭବ ସ୍ୱପ୍ନ ସବୁ ଅସିଥାଏ । ହୁଏତ ମୁଁ କଥାରେ ମଜ୍ଜିଯାଇଥିଲାବେ ମୋର ମନ କେଉଁ ଏକ ଅଲଗାର ଦୁନିଆର ଦୃଶ୍ୟକୁ ସଂଯୋଗ କରିଦେଇଥିଲା । ସେଇଥିପାଇଁ ମୋତେ ହଠାତ୍ ଏମିତି କିଛି ଲାଗିଥିଲା । ସକାଳୁ ଶେଜରୁ ଉଠିଲା ପରେ ଯେମିତି ରାତିର ସ୍ୱପ୍ନ‌କୁ ଭୁଲିଯାଏ, ସେହିଭଳି ଏହାକୁ ଭୁଲିଗଲି । ଏହା ନିଶ୍ଚୟ ମୋର ମନର ଏକ ଭୁଲ ଧାରଣା ଥିଲା । ସେଥିପାଇଁ କାହାକୁ କିଛି ନ ଜଣେଇ ପୁଣି ମିଶିଗଲି ସେହି ପୂଜାର ଖୁସିରେ । ପୂଜା ଘରଟି ଏତେ ବଡ଼ ନ ଥିଲା, ତ‌ଥାପି ଆମେ ଯେତିକି ପିଲା ଥିଲୁ ସମସ୍ତେ ସେହି ଘରେ ହିଁ ବସିଥିଲୁ । ଆମର ବାକି କଛି ସାଙ୍ଗସବୁ ଆସିସାରିଥିଲେ, ଆଉ ପୁଣି କିଛି ସିନିଅର, ଜୁନିଅର ପିଲାବି ଉପସ୍ଥିତ ଥାଆନ୍ତି ସେଇଠି । ସମସ୍ତଙ୍କର ମିଶ୍ରିତ ଉପସ୍ଥିତି ଏକ ନିଆରା ଅନୁଭୂତି ସୃଷ୍ଟି କରିଥିଲା ସେଇଠି । ସେଠାରେ ସଭିଙ୍କ ସ‌ହ କଥାବାର୍ତ୍ତାରେ ମଜ୍ଜିଗଲୁ ଆମେ ସବୁ । ପୂଜା ଆରମ୍ଭ ହେଲା, ଆଉ ପୁଷ୍ପାଞ୍ଜଳୀ ବି ଶେଷ ହେଲା । ଏବେ ପୂଜାରେ ଗୋଟିଏ ଜିନିଷ ଚାଲିଛି, ପୂଜା ଯେମିତି ବି ହେଉ ନା କାହିଁକି ଆମେ ଫଟୋ ବ‌ହୁତ ଉଠେଇବୁ । ସବୁ ମିଶିକି ଫଟୋ ଉଠେଇଲୁ । ସିଙ୍ଗେଲ ସେଲ୍‌ଫି, ଗୃପ୍ ସେଲ୍‌ଫି ଆଉ ପୁଣି କେବେ ଭଗବାନଙ୍କ ସ‌ହ ବି ସେଲ୍‌ଫି । ହଁ ଭଗବାନଙ୍କ ସ‌ହ କେମିତି ବ ନ ନେବୁ, ସେ ତ' ମାତ୍ର ଦିନଟିଏ ପାଇଁ ଆସୁଛନ୍ତି ଏହି ଧରାକୁ । ଯାହାହେଉ ସବୁ ଫଟୋ ଉଠା ପର୍ବପରେ ଭୋଜନର ବି ବ୍ୟବସ୍ଥା ହୋଇଥିଲା ।

ଏଇଠି ତ' ଆଉ ସେ ପୁରୁଣା ପରମ୍ପାରା ନାହିଁ ଯେ, ପୁଅମାନେ ଆଗ ଖାଇବେ କି ଝିଅମାନେ ଆଗ ଖାଇବେ । ସଭିଏଁ ଗୋଟିଏ ଜାଗାରେ ମିଶିକି ଖାଇବାର ମଜା ଥିଲା ମଜା ଥିଲା ସମ୍ପୂର୍ଣ୍ଣ ଅଲଗା । ଯେତିକି ପିଲାଥିଲୁ, ଏକାସାଙ୍ଗରେ ବସି ଖାଇବା ବି ସମ୍ଭବ ନୁହେଁ । ସେଇଥିପାଇଁ ଆଗ ଆମର ଜୁନିଅର ପିଲା, ମାନେ ୧ମ ବର୍ଷ ଆଉ ୨ୟ ବର୍ଷର ପିଲାମାନଙ୍କୁ ଖାଇବା ପାଇଁ କୁହାଗଲା । ସେମାନଙ୍କର ଖାଇବା ସରିବା ବେଳକୁ ଆମେ ପୁଣି ସବୁ ବାହାରେ ବ‌ସି କେଳି କରିବାରେ ବ୍ୟସ୍ତ ଥିଲୁ । ଏହିସବୁ ଭିତରେ ପୁଣିଥରେ ଆଗକୁ ଆସିଲା ସେହି ରଙ୍ଗଟି । ନା, ଏହା କୌଣସି ସ୍ୱପ୍ନ ନୁହେଁ, ଏହା ବାସ୍ତବତା । ବାସ୍ତବରେ କେହିଜଣେ ଆସିଥିଲା ମୋ ଆଖି ଆଗକୁ । ଏବେ ଆଉ ସେମିତି କିଛି ହେଲାନି, ଏବେ ସମ୍ପୂର୍ଣ୍ଣରୂପ ଦେଖିପାରୁଥିଲି ତା'ର ମୁହଁକୁ । ପ୍ରଥମଥର ପାଇଁ ଦେଖିଲି ସେହି ଚେହେରା ।

କିଏ ହେଇପାରେ ସେ? କଲେଜର ଏତେପିଲାମଧ୍ୟରେ କେହି ବି ହେଇପାରେ ସେ । ଆଉ ମୁଁ ତ' ସବୁପିଲାଙ୍କୁ ବି ଚିହ୍ନିନି । ଏମିତି ବି ହେଇପାରେ, କେହି ପିଲାସାଙ୍ଗରେ ବି ଆସିଥାଇପାରେ । ଏହି ଭାବନାରୁ ମୁଁ ବାହାରିଲା ବେଳକୁ କିଛି ପିଲାଙ୍କ ଭିଡ଼ ଭିତରେ କୁଆଡ଼େ ପୁଣି ହଜିଗଲା ସେ ଚେହେରାଟି ।  ପାଖରେ ଥିବା ଏତେ ସାଙ୍ଗଙ୍କ ମେଳିରୁ ବାହାରିବା ବି କଷ୍ଟ । ଆଉ ମୋ ନ‌ଜର ପୁଣି ଅଛି କାହା ଉପରେ, ଏହା ସେହି ମୁହୂର୍ତ୍ତରେ କାହାକୁ ଜଣା ପଡ଼ିଲେ ଆହୁରି ଅସୁବିଧା । କାରଣ‌ଟା ପ୍ରାୟଃ ସବୁ ଜାଣିଥିବେ, ସାଙ୍ଗମାନେ ହିଁ ସତେ ଯେମିତି ଦୁନିଆରେ ବଡ଼ ଶତ୍ରୁ । ସେହି ଜାଗାରେ ଏମିତି ଅବସ୍ଥା ଆଉ ଲୋକ‌ହସା କରେଇବେ ଯେ, କ‌ହିବାର ନାହିଁ । ଆଉ ତା' ପରେ ପୁଣି ଯଦି ସେହି ଅଜଣା ଚରିତ୍ରଟି ବିଷୟରେ ଜାଣିବା ଆଗରୁ, ସେ କେବେ ଦେଖିନେବ ଏମିତି ଦୃଶ୍ୟ, ଆଉ କେବେ ତା'ର ସାମ୍ନାକୁ ଆସିବାର ବି ସାହାସ ହେବନି । ସେଇଥିପାଇଁ ମୁଁ ଅନିଚ୍ଛା ସତ୍ତ୍ୱେ ବି ମନରେ ରଖିଲି ସେହି ଯିଜ୍ଞାସା । ଆଉ ମାତିଗଲି ସାଙ୍ଗମାନଙ୍କ ସାଙ୍ଗେ ।

ଏବେ ସମୟ ଆମମାନଙ୍କର ଖାଇବାର । ତିନିବର୍ଷରେ ପ୍ରଥମ ଥର ପାଇଁ ସଭିଏଁ ମିଶିକି ଖାଇବାକୁ ବସିଛୁ । ଯଦିଓ ଆମେ ଆଗରୁ ରୁମ୍‌ରେ କି କୌଣସି ସାଙ୍ଗର ଜନ୍ମଦିନରେ ଏମିତି ବସିକି ଖାଇଛୁ, ହେଲେ କଲେଜରେ ଏମିତି ସବୁ ମିଶିକି ଖାଇବ ପ୍ରଥମ । ଆଉ ସବୁ ମିଶିକି ଖାଇଲାବେଳେ କେହି ଚୁପ୍‌ଚାପ୍ ଖାଇବେ, ଏଇଟା କେବେ ହେଇପାରିବନି । କିଏ ଖାଇବାର ପ୍ରଶଂସା କରୁଛି, ତ ପୁଣି କିଏ ପୂଜା ଆଉ ପୁଣି କିଏ ସାଜସଜ୍ଜାର । ଏମିତି ସବୁ କଥାବାର୍ତ୍ତା ସ‌ହ ଶେଷର ଭୋଜନର ପରିସମାପ୍ତି ହେଲା । ଏବେ ସମୟ ପ୍ରତ୍ୟାବର୍ତ୍ତନର । ବସ ଡ୍ରାଇଭରମାନେ ବି ଖାଇସାରିଥିଲେ । ସେମାନେ ବସ ଲଗେଇକି ଏବେ ଛାଡ଼ିବା ପାଇଁ ଅପେକ୍ଷା କରିଛନ୍ତି । ସେତେବେଳେ ପୁଣିଥରେ ଦେଖିଲି ସେହି ଗୋଲାପି ରଙ୍ଗର ପୋଷାକରେ ଥିବା ଝିଅଟିକୁ । ବସରେ ଚଢ଼ିବାର ବ୍ୟଗ୍ରତା ଥିଲା ତା' ମନରେ । ଦୂରରୁ ଦେଖିପାରୁଥିଲି ତା'କୁ ।

ଯାହା ହେଉ ବସରେ ବସିଲାବେଳେ ମିଳିଗଲା ତାକୁ ଗୋଟିଏ ଝରକା ପାଖର ସିଟ୍ । ଆଉ ମୁଁ ସେ ଦିଗକୁ ଅଗ୍ରସର ହେବା ପୂର୍ବରୁ ବସ ଧିରେ ଧିରେ ଗତି କଲା ଆମ ଆଡ଼କୁ । ଆଉ ଅଧିକ ପିଲା ଚଢ଼ିବା ପାଇଁ ସେ କିଛି କ୍ଷଣ ରହିଗଲା ଆମରି ସାମ୍ନାରେ । ଦୀର୍ଘ ୩/୪ ଘଣ୍ଟାର ଲୁଚକାଳି ଖେଳ ପରେ ଶେଷରେ ସେ ଥିଲା ମୋ ଆଖି ସାମ୍ନାରେ । ଆମର ଯିବାର ସମୟ ଟିକେ ବିଳମ୍ବରେ ଥିବା ଇଚ୍ଛା ଥାଇ ବି ଚଢ଼ିପାରିନଥିଲି ସେହି ବସରେ । ହେଲେ ଏଥର ସମ୍ପୂର୍ଣ୍ଣ ରୂପେ ଦେଖିପାରୁଥିଲି ତା'ର ମୁହଁକୁ । ଯଦି କେହି କବି ଥାଆନ୍ତେ, ବୋଧେ ସେହି ମୁଖ ମଣ୍ଡଳ ଉପରେ ୨/୪ଟି କାବ୍ୟ ରଚନା କରିଦେଇଥାନ୍ତେ । ଗୋଲାପି ରଙ୍ଗର ପୋଷାକକୁ ଗୋଲାପୀ ରଙ୍ଗର ଓଠ ସ‌ହ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ସେ ଗାଢ଼ କଳା ରଙ୍ଗର ସେ ଆଖି । ସତେକି ଯେମିତି ସେହି ଆଖିରେ ପୂରିରହିଛି ପୂରା ଦୁନିଆ । ଏହିସବୁ ଭିତରେ ମୋ ନଜର ହଟୁନଥିଲା ତା' ଉପରୁ । ହେଲେ ଧିରେ ଧିରେ ଗାଡ଼ିଟି ଗଡ଼ିବାକୁ ଆରମ୍ଭ କଲା ଆଉ ଧିରେ ଧିରେ ପୁଣିଥରେ ସେ ଦୂରେଇ ଚାଲିଥିଲା ମୋ ଆଖି ଆଗରୁ । ଧିରେ ଧିରେ ଗାଡ଼ିର ବେଗ ବଢ଼ିବା ସ‌ହ ଦୂରତା ମଧ୍ୟ ବଢ଼ିଥିଲା ମୋ ଆଖି ଆଉ ତା' ଭିତରେ । ରାସ୍ତାର ସେହି ଦୂରଦିଗନ୍ତରେ ହଜିଗଲା ସେ ଧିରେ ଧିରେ ।

କେତେବେଳୁ ସେ ଯାଇସାରିଲାଣି, ଆଉ ଆମେ ଆମ କାମ ସାରି ଆସି ପୁଣି ରୁମ୍‌ରେ ପ‌ହ‌ଞ୍ଚିଗଲୁଣି, ହେଲେ ଏବେ ବି ମନରେ ତା'ରି କଥା ଆଉ ଆଖିରେ ରହିଛି ତା' ଚେହେରା । ସେ ଚେହେରା ସତେ ଯେମିତି ମୋର ଆଖିର କ୍ୟାମେରାରେ ତୋଳିହୋଇଯାଇଛି ଆଉ ମୋ ମନର ସେ ଡାଟାବେସରେ ଏକ ଅଲିଭା ଛବି ହୋଇ ରହିଯାଇଛି, ଯାହାକୁ ମୁଁ ଚାହିଁଲେ ବି କେବେ ଲିଭେଇପାରିବିନି । ସତେ ଯେମିତି ସେ ଛବି ସ‌ହ କୋଉଗୋଟେ ଭାଇରସ ପଶି ଆସିଛି ମୋ ଡାଟାବେସ ଭିତରେ, ଯିଏକି ସେହି ଛବିଟିକୁ ବାରମ୍ବାର ଆଣିଦେଉଥିଲା ମୋ ଆଗକୁ । ଏମିତିରେ କେବେ ଯଦି କାହାକୁ ପ୍ରଥମଥର ପାଇଁ ଦେଖେ, ମୋ ମନରେ ତା'ର ଛବି କେବେ ଆସେନି, ହେଲେ ଏଇ ଏକ ଏମିତି ଛବି ଯାହାକୁ ମନର ପ୍ରିତିଟି ପୃଷ୍ଠାର ଆଗଧାଡ଼ିରେ ହିଁ ରହିଯାଇଛି ।


କ୍ରମଶଃ.....



This is the 2nd part of the College Diary Series. The 2nd half of the day which I've described in the first part.





Saturday 30 September 2017

ଲାଖବିନ୍ଧା

Sangram Keshari Senapati September 30, 2017 0
ଲାଖବିନ୍ଧା
ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଆମ ଘର ଆଗରେ ଦୁର୍ଗାପୂଜା ହୁଏ ଆଉ ସେଇଟା ଜଣଙ୍କର ବ୍ୟକ୍ତିଗତ ପୂଜା ହେଲେ ମଧ୍ୟ ଆମ ଗାଁରେ କି ପାଖ ଆଖରେ ୪-୫ କିଲୋମିଟର ଭିତରେ ଆଉ କେଉଁଠି ହୁଏନାହିଁ ବୋଲି ସେଇଟା ଆମ ଗାଁର ପୂଜା କ‌ହିଲେ ଚଳେ । ଆଉ ଯାହାର ପୂଜା କରନ୍ତି, ସେମାନଙ୍କୁ ମୁଁ ଅଜା-ଆଈ ବୋଲି ଡାକୁଥିଲି । ଆଉ ସେଇଠି ମୋ ବାପା ହିଁ ପୂଜା କରନ୍ତି । ସେଇଥିପାଇଁ ସେ ପୂଜା ଆମ ଗାଁ ସ‌ହ ଆମର ବି କ‌ହିଲେ ଚଳେ । ଦୁର୍ଗାପୂଜା ଆରମ୍ଭରୁ ଆମର ପୂଜା ଆରମ୍ଭ ହେଉନଥିଲା, ଆମର ମୂର୍ତ୍ତୀ ତିଆରି ଆଗରୁ ପୂଜା ଆରମ୍ଭ ହେଇଯାଉଥିଲା ବୋଲି ଧରିନିଆଯାଏ ।

ଷଷ୍ଠୀପୂଜା ଦିନ ସେଇ ପାଖରେ ଥିବା ଠାକୁରାଣୀଙ୍କ ପାଖରେ ପୂଜା କରାଯାଏ ଆଉ ସେଦିନ ସ୍କୁଲ ହୋଇଛି ଦୁର୍ଗାପୂଜା ଛୁଟି ଦିଆଯାଏ । ପରଦିନ ସପ୍ତମୀ, ସେଇଥିପାଇଁ ସକାଳୁ କଳସ ବୁଡ଼ାଯାଏ ଆଉ ଧିରେ ଧିରେ ପୂଜା ବଢ଼େ । ହେଲେ ଆମର ସେଥିରେ କିଛି ଯାଏ ଆସେ ନାହିଁ ସକାଳୁ ରାତିଯାଏଁ ଆମେ ସବୁ ସେଇଠି ବୁଲୁ ଆଉ ସବୁ ମିଶିକି ସେଇଠି ଖେଳୁ । ଅଷ୍ଟମୀ ପୂଜାରେ ବ‌ହୁତ ଲୋକ ଆସିନ୍ତି ଭୋଗ କରିକି ନିଅନ୍ତି । ନବମୀ ଦିନ ସେଇଠି ଲେମ୍ବୁ, କାକୁଡ଼ି, କ‌ଖାରୁ (ପାଣି କ‌ଖାରୁ) ବଳି ପଡ଼େ । ଆଉ ଦଶମୀ ଦିନ ପୂଜା ସରିଲା ପରେ ପାଖାପାଖି ୪ଟା ବେଳକୁ ଲାଖ ବିନ୍ଧା ବୋଲି ପରମ୍ପରା ରହିଆସିଛି । ଆମର ଗାଁର ଜଣଙ୍କ ବାଡ଼ିରୁ ଗୋଟିଏ କଦଳୀଗଛ କଟାହୋଇକି ଢୋଲ-ମହୁରୀ ବଜେଇକି କାନ୍ଧେଇକି ଆଣନ୍ତି ଆଉ ସେ ପୂଜା ପାଖରେ ସେହି ଗଛଟିକୁ ପୂଜା କରାଯାଏ ଆଉ ପରେ ତାକୁ ସେଇ ପାଖ ପଡ଼ିଆରେ ଗୋଟେ ଗାତ ଖୋଳି ପୋତାଯାଏ । ସେହି କଦଳୀଗଛଟିରେ ଯିଏ ପ୍ରଥମେ ତୀର ଲକ୍ଷ୍ୟ ବିଦ୍ଧ କରିବ, ସେ ବିଜେତା ହେବ । ଏହି ପରମ୍ପରା ଏକ ପ୍ରତିଯୋଗୀତା ଭଳି । ଆଉ ସେ ବିଜୟ ପାର୍ଥୀକୁ ଘୋଷଣା କରାଯାଇଥିବା କିଛି ରାଶି ଆଉ ଲୁଗାଟିଏ ଦିଆଯାଏ । ଆଉ ଏହି କାର୍ଯ୍ୟଟିକୁ ଦେଖିବାକୁ ଆଖପାଖରୁ ବ‌ହୁତ ଲୋକ ଆସିଥାନ୍ତି । ଆଜି ବି ସେଇଠି ପୂଜା ହେଉଛି, ଆଉ ଆଜି ବି ସେମିତି ଲାଖ ବିନ୍ଧା ହେଉଥିବ ।

ଛୋଟଥିଲାବେଳେ ମୋତେ ଏଇ ରାବଣ ପୋଡ଼ି ବିଷୟରେ ଜଣା ନ ଥିଲା, ସେତେବେଳେ ମୁଁ ଖାଲି ଏଇ ଲାଖବିନ୍ଧା ବିଷୟରେ ଜାଣିଥିଲି । ଆମେ ସେ କଦଳୀଗଛଟିକୁ ରାବଣ ବୋଲି ଭାବୁଥିଲୁ ଆଉ ତୀର ମାରିବାକୁ ଆସିଥିବା ଲୋକଙ୍କୁ ରାମଙ୍କର ସେନାବାହିନୀ । ହେଲେ ଯେବେ ଧିରେ ଧିରେ ବଡ଼ ହେଲି ସେବେ ଏଇ ରାବଣ ପୋଡ଼ି ବିଷୟରେ ଜାଣିଲି । ଆଉ ଭବାନୀପାଟଣା ଗଲାପରେ ରାବଣପୋଡ଼ି ବି ଦେଖିଲି । ଦୁଇଟିଯାକ ସେଇ ଏକା ଭଳି ପରମ୍ପରା । ଦୁଇଟିରେ ସେଇ ସମାନ ପ୍ରଥା ରହିଛି । ହେଲେ ରାବଣ ପୋଡ଼ିରେ ଖାଲି ଅଧିକ ଶବ୍ଦ ହୁଏ ଆଉ ଏଇଟା ରାତିରେ ପାଳନ କରାଯାଏ । କିନ୍ତୁ ଲାଖବିନ୍ଧାରେ ଅଧିକ ଶବ୍ଦ ନାହିଁ ଆଉ ଏଇଟା ଦିନରେ ପାଳନ କରାଯାଏ, କାରଣ ରାତିରେ ହେଲେ ଶର ଲକ୍ଷ୍ୟ ବିଦ୍ଧ ହେଇପାରିବନି । 



___________________________________END_______________________________________




"Lakha Bindha" is a part of Durgapuja. It's like "Rabana Podi". This is celebrated on "Dasahara". We took a Banana tree and worship it near goddess Durga and then placed it on the ground in an empty ground. After that, some people aim that tree with their arrow and who shoot it first declared as the winner. We consider that banana tree as Rabana. In Rabana podi, we burn the Rabana and here we shoot the tree.

Rabana podi creates a huge noise and held in night, but this process doesn't create any sound and held in day time. Because at night it's not easy to aim on a less width tree.

Tuesday 26 September 2017

ବନ୍ଧୁତା

Sangram Keshari Senapati September 26, 2017 0
ବନ୍ଧୁତା
ସମୀର ଆଖି ଆଖି ଖୋଲିଲା ବେଳକୁ ସାମ୍ନାରେ ଛିଡ଼ା ହୋଇଥିଲେ ଡକ୍ଟର ସୁଧାଂଶୁ । ସମୀରର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ସବୁଠାରୁ ବେଶି ଖୁସି ଥିଲେ ସୁଧାଂଶୁ । ସେ ଖୁସିଭରା ଆଖିରେ ସମୀରକୁ ଅଭିନନ୍ଦନ ଜଣାଇବାକୁ ମୁହଁ ଖୋଲିବା ଆଗରୁ ସମୀର ତାଙ୍କୁ ପଚାରିଲା, "ଶ୍ୟାମ୍ କେମିତି ଅଛି?"

ଶ୍ୟାମ୍ ଆଉ ସମୀର ଉଭୟ ଛୋଟବେଳରୁ ସାଙ୍ଗ । ଦୁଇଜଣଙ୍କର ପରିବାର ଗୋଟିଏ ଆପାର୍ଟମେଣ୍ଟରେ ରୁହ‌ନ୍ତି । ଆଉ ଉଭୟ ଗୋଟିଏ ଦିନରେ ଗୋଟିଏ ହସ୍ପାତାଳରେ ଜନ୍ମଗ୍ରହଣ କରିଥିଲେ । କ‌ହିଲାଭଳି ସେମାନେ ଉପରୁ ସେମାନଙ୍କର ବନ୍ଧୁତା ସ୍ଥାପନ କରିକି ଆସିଥିଲେ । ଛୋଟବେଳୁ ଉଭୟଙ୍କର ବନ୍ଧୁତା ଆଜିଯାଏଁ ସେମିତି ଅଛି । ଦୁଇଜଣ ସବୁବେଳେ ସାଙ୍ଗ ନୁହେଁ ଭାଇ ଭଳି ଚଳି ଆସିଛନ୍ତି । ଉଭୟ ସାଙ୍ଗରେ ସ୍କୁଲ, ଟିଉସନ ଆଉ ଘରେ ବି ସବୁବେଳେ ସାଙ୍ଗରେ ରୁହ‌ନ୍ତି । ଏମିତିକି ଦୁଇଜଣଙ୍କ ମଧ୍ୟରୁ ଯଦି ଜଣେ କେବେ ବନ୍ଧୁଘରକୁ ଯିବାକୁ ବାହାରେ, ଉଭୟ ସାଥିହୋଇ ଯାଇଥାନ୍ତି । ସ୍କୁଲ ପରେ, କଲେଜ ସରିଲା । ଆଉ ଏବେ ଉଭୟ ଗୋଟିଏ କମ୍ପାନୀରେ ମଧ୍ୟ ସାଙ୍ଗରେ ଚାକିରୀ କରିଛନ୍ତି ।

ସେଦିନ ସମୀର ଆଉ ଶ୍ୟାମ୍ ବ‌ହୁତ ଖୁସି ଥିଲେ, ଘରଛାଡ଼ି ଚାକରୀରେ ଯୋଗଦେବା ପରଠାରୁ ଛଅ ମାସ ପରେ ସେମାନେ ଘରକୁ ଯାଉଥିଲେ । ସମୀର ନୂଆ ଗାଡ଼ି କିଣିଥିଲା, ତାକୁ ନେଇ ଉଭୟ ବ‌ହୁତ ଉତ୍ସାହ ସ‌ହ ବାହାରିଲେ ଘରକୁ । ମାତ୍ର ୧୧ ଘଣ୍ଟାର ରାସ୍ତା ଘରକୁ, ଆଉ ସେତିକି ସମୟ କେମିତି ଶୀଘ୍ର ସରିଯାଆନ୍ତା କି' ଏହା ଭାବି ଭାବି ଶ୍ୟାମ ଘୁମେଇ ପଡ଼ିଥିଲା । ସମୀର ଅତି ଉତ୍ସାହର ସ‌ହ ଗାଡ଼ି ଚଲାଉଥିଲା । କିନ୍ତୁ ସେମାନଙ୍କର ସେହି ଖୁସି ବେଶି ସମୟ ଯାଏଁ ରହିପାରିଲାନି । ହଠାତ୍ ସମୀରର ନ‌ଜର ପଡ଼ିଲା ସାମ୍ନାପଟରୁ ଦ୍ରୁତ ଗତିରେ ମାଡ଼ିଆସୁଥିବା ଗୋଟିଏ ଟ୍ରକ ଉପରେ । ବୋଧହୁଏ ଟ୍ରକଟିର ବ୍ରେକ କିମ୍ବା ସ୍ଟିଅରିଂ ଫେଲ ହୋଇଯାଇଥିଲା ଆଉ ସେ ଗଡ଼ାଣିଆ ରାସ୍ତାରେ ଟ୍ରକଟିକୁ ସମ୍ଭାଳିବାକୁ ଆପ୍ରାଣ ଉଦ୍ୟମ କରୁଥିଲା ତା'ର ଚାଳକଟି । ସମୀର କିଛି ଭାବିବା ଆଗରୁ ଟ୍ରକଟି ସିଧା ଆସି ଧକ୍କା ଦେଇଥିଲା ସମୀରର ଗାଡ଼ିକୁ ।

ତା' ପରେ କ'ଣ ହୋଇଥିଲା ସମୀରକୁ ଜଣା ନ ଥିଲା । ଦୁଇଦିନପରେ ଆଜି ତା'ର ଚେତା ଆସିଲା । ଶ୍ୟାମ୍‌ର ମଧ୍ୟ ଏବେଯାଏଁ ଚେତା ଆସିନଥିଲା । ସେ ଶ୍ୟାମ୍‌କୁ ଦେଖିବାକୁ ଇଚ୍ଛା କଲା, କିନ୍ତୁ ସୁଧାଂଶୁ ତାଙ୍କୁ ଶ୍ୟାମ୍‌ର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇଲେ । ଏହାପରେ ସେ ସୁଧାଂଶୁଙ୍କୁ ଶ୍ୟାମ୍‌କୁ ଯେମିତି ହେଲେ ଭଲ କରିବାକୁ ଅନୁରୋଧ କଲେ । ଆଉ ଏହି ସବୁ କଥାବିଷୟରେ ଶ୍ୟାମକୁ ଜଣାଇବାକୁ ମନାକଲେ । ସମୀର ତା'ର ଆଖି ଦେଇ ଶ୍ୟାମ୍‌କୁ ଠିକ୍ କଲା । ଉଭୟ ଧିରେ ଧିରେ ଠିକ୍ ହୋଇଗଲେ । କିନ୍ତୁ ଶ୍ୟାମ୍ ଏବେ ସମୀର ସ‌ହ ମିଳାମିଶା ବନ୍ଦ କରିଦେଲା । କିଛି ଦେଖିପାରୁନଥିବା ସମୀର ସ‌ହ ଶ୍ୟାମ କେମିତି ବା ମିଶିବ, ସେଥିପାଇଁ ସେ ଧିରେ ଧିରେ ତା' ଠାରୁ ଦୂରେଇ ଗଲା ।

ତେଣେ ଶ୍ୟାମ୍‌ ସମୀରଠାରୁ ଦୂରେଇ ଯିବାରୁ ସେ ନିଃସଙ୍ଗତା ଅନୁଭବ କରିବାକୁ ଲାଗିଲା, କିନ୍ତୁ ସମୀର ବୁଝିପାରୁନଥିଲା କି ଶ୍ୟାମ୍ କାହିଁକି ତା'ଠାରୁ ଦୂରେଇ ଯାଇଛି । ତ‌ଥାପି ସେ ଶ୍ୟାମ୍ ସ‌ହ ମିଶିବାକୁ ପ୍ରୟାସ କରିନାହିଁ । ସମୀରର କେବେଳ ଗୋଟିଏ ସାଙ୍ଗ ଥିଲା, ସେ ହେଉଛି ଶ୍ୟାମ୍ ଆଉ ଶ୍ୟାମ୍ ଦୂରେଇ ଯିବାପରେ ସମୀର ଧିରେ ଧିରେ ମାନସିକ ସ୍ତରରେ ଦୁର୍ବଳ ହେବାକୁ ଲାଗିଲା । ଏହି ସବୁ ବିଷୟରେ କେବଳ ସୁଧାଂଶୁଙ୍କୁ ହିଁ ଜଣା ଥିଲା । ମାତ୍ର ସେ ସମୀର ସ‌ହ କରିଥିବା ପ୍ରତିଜ୍ଞା ପାଇଁ କେବେ ଶ୍ୟାମ୍‌କୁ ସେ ବିଷୟରେ କ‌ହିନଥିଲେ । ଆଖି ହରାଇ ଏବେ ସମୀର ଜଣେ ଅସ‌ହାୟ ବ୍ୟକ୍ତି ପାଲଟି ଯାଇଥିଲା । ଆଉ ଏବେ ତା'ର ସବୁ ଆଶା ଆଉ ଆକାଂକ୍ଷା ଶ୍ୟାମ୍ ମଧ୍ୟ ଦୂରେଇ ଗଲା । ସମୀର ପାଖରୁ ସତରେ ଯେମିତି ତା'ର ପ୍ରାଣ ଚାଲିଯାଇଥିଲା । ଶେଷରେ ସମୀର ଦିନେ ପ୍ରାଣତ୍ୟାଗ କଲା, କିନ୍ତୁ ଯିବା ଆଗରୁ ସେ ଶ୍ୟାମ୍ ପାଇଁ ଡଃ ସୁଧାଂଶୁଙ୍କ ପାଖରେ ଛାଡ଼ିଗଲା ଗୋଟିଏ ପତ୍ର ।

ଦିନେ ଶ୍ୟାମ୍ ତା'ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସୁଧାଂଶୁଙ୍କ ପାଖକୁ ଯାଇଥିଲା, ସେତେବେଳେ ସୁଧାଂଶୁ ତାକୁ ସମୀର ଶେଷ ଚିଠି ଦେଇଥିଲେ । ସେଥିରେ ସମୀରର ଲେଖା ଦେଖି ଶ୍ୟାମ୍ ହତବାକ୍ ହୋଇଯାଇଥିଲା । ସମୀର ଯେତେବେଳେ ହସ୍ପାତାଳରେ ଜାଣିବାକୁ ପାଇଲା କି ଶ୍ୟାମ୍ ତା'ର ଆଖି ହରେଇ ଦେଇଛି, ସେତେବେଳେ ସେ ସୁଧାଂଶୁଙ୍କୁ ତା'ର ଆଖି ବଦଳରେ ଶ୍ୟାମ୍‌କୁ ଦୁନିଆ ଦେଖେଇବାକୁ ଅନୁରୋଧ କଲେ । ଆଉ ଏହି ବିଷୟରେ ଯେମିତି ଶ୍ୟାମ୍‌କୁ ଜଣାନପଡ଼େ, ସେ ବିଷୟରେ ସେ ସୁଧାଂଶୁଙ୍କୁ କ‌ହିଥିଲା । ଛୋଟବେଳୁ ଶ୍ୟାମ୍ ସବୁବେଳେ ସମୀର ଆଖିରେ ଦୁନିଆ ଦେଖିଛି ଆଉ ଆଜି ବି ସେ ପୁଣିଥରେ ସେହି ସମୀର ଆଖିରେ ଦୁନିଆ ଦେଖୁଛି । ସେତେବେଳେ ସମୀର ଆଖିରୁ ଝରି ଗଲା ବୁନ୍ଦା ବୁନ୍ଦା ଲୁହ । ଆଉ ଯେଉଁ ସାଙ୍ଗର ଆଖି ନଷ୍ଟ ହୋଇଯାଇଛି ବୋଲି ସେ ସବୁବେଳେ ଦୁଃଖ ପ୍ରକାଶ କରୁଥିଲା, ଆଉ କେବେ ତାକୁ ସାମ୍ନା କରିବାର ସାହାସ ପାଉନଥିଲା । କେମିତି ବା ସେ ତାକୁ ସାମ୍ନା କରିଥାନ୍ତା, ଯେଉଁ ଆଖି ଛୋଟବେଳେ ତା'ର ଧ୍ୟାନ ରଖିଥିଲା, ସେହି ମରିଯାଇଥିବା ଆଖି ଆଗକୁ କେମିତି ଯିବ ବୋଲି ସେ ସମୀର ସ‌ହ ମିଶିବା ବନ୍ଦ କରିଦେଇଥିଲା । ହେଲେ ସେ ସାଙ୍ଗ ସିନା ଆଉ ଏଇ ଦୁନିଆରେ ନାହିଁ, କିନ୍ତୁ ତା'ର ସେହି ଅମୂଲ୍ୟ ଚକ୍ଷୁଦ୍ୱୟ ତା' ପାଖରେ ଛାଡ଼ିଯାଇଛି । ପିଲାଦିନରୁ ଏକ ହୋଇ ବଞ୍ଚିଥିବା ଦୁଇ ସାଙ୍ଗ ଆଜି ପୁଣଥରେ ଏକ ହୋଇଯାଇଛନ୍ତି ।


____________________________________End____________________________________


This story is based on two friends who grew up together from their childhood. They are not just  friends, they are like brothers. From the child age till now they are together forever. Even they are working in the same office. Once they met an accident, when they were heading toward their home. One friend donate his eyes for another. But the guy whose eyes were replaced left the other guy. The guy who lost his eyes couldn't able to survive in this world like this, without the friend with whom he grew up.

The other guy left his childhood best friend with fear. He don't have any problem with his disability, but he couldn't face that friend whose eyes were like his own eyes since childhood and now he lost them. Once he get a letter from his best friends, when he passed away. In the letter, he had written his eye donation and he promised his to show the world with his eyes in childhood and he kept his promise.



Friday 15 September 2017

Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)

Sangram Keshari Senapati September 15, 2017 0
Software Freedom Day (ସଫ୍ଟଓଏର ସ୍ୱାଧୀନତା ଦିବସ)
ଆଜିର ଏହି ଦୁନିଆରେ ଆମେ ପ୍ରାୟତଃ ଡିଜିଟାଲ ଦୁନିଆରେ ସବୁକିଛି କରୁଛନ୍ତି । ଏହି ଡିଜିଟାଲ ଦୁନିଆର ମୁଖ୍ୟ ଉପାଦନା ଦୁଇଟି ହେଲା ଇଣ୍ଟରନେଟ ଆଉ କମ୍ପ୍ୟୁଟର । ଆଉ ଏହିସବୁକୁ ଚଳେଇବା ପାଇଁ ଆମକୁ ଦରକାର ହୋଇଥାଏ ସଫ୍ଟଓଏର । ସଫ୍ଟଓଏର ବିଷୟରେ ପ୍ରାୟ ସଭିଏଁ ଏବ ଉଣା ଅଧିକେ ଜାଣିଲେଣି । ହେଲେ ଆମେ ବ୍ୟବ‌ହାର କରୁଥିବା ସବୁଯାକ ସଫ୍ଟଓଏର ଉପରେ ଆମର ଅଧିକାର ନ ଥାଏ । ଆମେ ଅଧିକାଂଶ ସଫ୍ଟଓଏର ଆମେ ଚୋରାରେ ବ୍ୟବ‌ହାର କରୁଛେ । କାରଣ ଏହିସବୁ ସଫ୍ଟଓଏରକୁ କିଣିବାକୁ ହେଲେ ଆମକୁ ଟଙ୍କା ଦରକାର । ଆଉ ଯଦି ଆମେ ଚୋରାରେ ପାଉଛନ୍ତି, ତେବେ ଟଙ୍କା କିଏ ବା କାହିଁକି ଖର୍ଚ୍ଚ କରିବାକୁ ଚାହିଁବ ଯେ । ହେଲେ ଏହିସବୁ ସଫ୍ଟଓଏରର ନିର୍ମାତା ଯଦି ଏହି ଚୋରା ବିଷୟରେ ଜାଣିବେ ତେବେ ସେମାନେ ଆମମାନଙ୍କ ଉପରେ ନିଶ୍ଚୟ ରୂପରେ ସେମାନଙ୍କର ନିୟମ ଉଲଘଂନ ଏବଂ ଚୋରିର ଦଫା ଗୋଟାଏ ଲେଖାଏଁ ଲଗେଇଦେବେ । ଏହି ସବୁ ଉପରେ ଶୁଭାଶିଷ ଭାଇ ଗତବର୍ଷ "ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା" ଶୀର୍ଷକ ଲେଖାଟିଏ ଲେଖିଥିଲେ, ତାକୁ ପଢ଼ିଲେ, ଏହି ବିଷୟରେ ଅଧିକ ସୂଚନା ପାଇପାରିବେ ।

ମାତ୍ର ଅନେକ କିଛି ସଫ୍ଟଓଏର ଯଦି ଯାହାକୁ ଆମେ ସ୍ୱାଧିନ ଭାବରେ ବ୍ୟବ‌ହାର କରିପାରିବା । ଏମିତିକି କିଛି ସଫ୍ଟଓଏର ଅଛି, ଯାହାକୁ ଆମେ ମୁକ୍ତଭାବରେ ବ୍ୟବ‌ହାର କରିପାରିବା । ଏହି ସବୁ ସଫ୍ଟଓଏରକୁ ଆମେ ମଧ୍ୟ ଆମର ଦରକାର ଅନୁସାରେ ବଦଳେଇପାରିବା । ମାତ୍ର ଆମେ ସେମାନଙ୍କର ମୂଳ ଆଧାରକୁ ବଦଳି କରିପାରିବା ନାହିଁ । ଯେମିତି ଆମେ ବିଦେଶୀଙ୍କଠାରୁ ସ୍ୱାଧୀନ ହେଇଛେ, ହେଲେ ନିଜ ଦେଶର ସମ୍ବିଧାନ ଅଧିନରେ ଆମେ ଅଛୁ । ସେହିଭଳି ଆମେ ସେହି ସଫ୍ଟଓଏରର ମୂଳ କୋଡ଼୍‌କୁ ବଦଳେଇପାରିବା ମାତ୍ର, ସେମାନଙ୍କର ନାମ ମଧ୍ୟ ଉଲ୍ଲେଖ ହେବା ଦରକାର । ଉଇକିମିଡ଼ିଆର କମନ୍‌ସ୍‌ରେ ଯଦି ଆମେ କୌଣସି ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଫାଇଲ ଅପଲୋଡ଼ କରୁଛେ, ଏହାକୁ ସାଧାରଣ ଲୋକ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ । ମାତ୍ର, ସେମାନେ ଏହି ଫାଇଲଗୁଡ଼ିକୁ ସେମାନଙ୍କର ନିଜ ପରିଚୟରେ ବ୍ୟବ‌ହାର କରିପାରିବେ ନାହିଁ । ସେମାନେ ଯେଉଁଠି ଏହିସବୁ ଫାଇଲର ବ୍ୟବ‌ହାର କରିବେ, ସେଇଠି ସେମାନେ ଏହି ଫାଇଲଟିର ଉଦ୍ଧୃତି ଏବଂ ଉପଦେଷ୍ଟାଙ୍କ ବିଷୟରେ ଉଲ୍ଲେଖ କରିବା ଅନିର୍ବାଯ୍ୟ । ସେହିଭଳି ହେଉଛି ଏହି ସଫ୍ଟଓଏର ଫ୍ରିଡମ୍ । ଆମେ ତାକୁ ବ୍ୟବ‌ହାର କରିପାରିବା, ଏମିତିକି ବଦଳେଇ ପାରିବା, ମାତ୍ର ବଦଳେଇଲା ପରେ ମୂଳ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଉଲ୍ଲେଖ କରିବା ନିହାତି ଦରକାର । ଯେ କୌଣସି ବ୍ୟକ୍ତିବିଶେଷ ଏହି ସବୁ ସଫ୍ଟଓଏରକୁ ଯେପରି ସୂଚାରୁରୂପେ ବ୍ୟବ‌ହାର କରିପାରିବ ଏବଂ ସେଥିରେ ନିୟମ‌ଭୁକ୍ତ ଥିବା ସାଧାରଣ ସୂଚନା ସେମାନଙ୍କୁ ପ୍ରାପ୍ତ ହେବ, ସେ ବିଷୟରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି ।



ଏଇ ବର୍ଷ ଆମେ ୨୦୧୭ରେ ଆମର ଓଡ଼ିଆ ଉଇକିପଡ଼ିଆ ବ୍ୟବ‌ହାରକାରୀ ସଂଘ ତରଫରୁ ଭୁବନେଶ୍ୱରରେ ସମ୍ବାଦ ଭବନ ପରିସରରେ ଏହି କାର୍ଯ୍ୟକ୍ରମଟି ପାଳନ କରିବାର ଯୋଜନା ରହିଛି । ଏହିସବୁ ସ୍ୱାଧୀନତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତି ପାଇଁ ଏହିଭଳି କିଛି କାର୍ଯ୍ୟକ୍ରମମାନ ଆୟୋଜନ କରିବା ନିତ୍ୟାନ୍ତ ଆବଶ୍ୟକ ।

Tuesday 12 September 2017

#BlueWhaleChallenge: ଅଫେରା ପଥର ଯାତ୍ରୀ

Sangram Keshari Senapati September 12, 2017 0
#BlueWhaleChallenge: ଅଫେରା ପଥର ଯାତ୍ରୀ

ଏବେ ସୋସିଆଲ ମିଡ଼ିଆରେ, ଟିଭିରେ, ଖବରକାଗଜରେ, ରାମ୍‌ରହିମ୍ ପରେ ଅଧିକ ଚର୍ଚ୍ଚା ଚାଲିଥିବା ବିଷୟଟି ହେଉଛି #BlueWhaleChallenge । ଏହି ଖେଳରେ ଅନେକ ଶିକାର ହେଉଛନ୍ତି । ଶେଷରେ କିଛି ପିଲା ଆତ୍ମହତ୍ୟା ମଧ୍ୟ କରିସାରିଲେଣି । ଅନେକ ମଧ୍ୟ ଏହି ବିଷୟ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଏମିତିକି ଖବରକାଗଜରେ ବି ଅନେକ ପ୍ରକାରର ସାବଧାନତା ସୂଚନା ଦିଆଯାଉଛି । ତ‌ଥାପି ଏବେ ଅଧିକ ସଂଖ୍ୟକ ପିଲା ଏହି ଖେଳରେ ମାତିଯାଉଛନ୍ତି । ଏତେ ବୁଝେଇବା ପରେ ବି ସେମାନେ କେମିତି ପୁଣିଥରେ ସେ ଖେଳରେ ପଶିଯାଉଛନ୍ତି?

Wednesday 23 August 2017

ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

Sangram Keshari Senapati August 23, 2017 0
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ
ଆଉ ଅଳ୍ପଦିନ ପରେ ଆମେ ପ୍ରାୟ ସଭିଏଁ ପାଳନ କରିବେ ଗୁରୁଦିବସ । ଏହା ଏକ ଏମିତି ଦିନ, ଯେଉଁଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁମାନଙ୍କର ପୂଜା କରନ୍ତି । ଆମ ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ପ୍ରାୟତଃ ସଭିଙ୍କୁ ଜଣାଥିବ । ବୋଧହୁଏ, ସବୁସ୍ଥାନରେ ଗୁରୁଭକ୍ତିର ଉଦାହରଣ ଦେଲେ ଆମେ ଏକଲବ୍ୟଙ୍କର ଉଦାହରଣ‌ଟି ଦେଇଥାଉ ।

Thursday 13 July 2017

ପରିବେଶ ସୁରକ୍ଷା, ଜୀବନ ରକ୍ଷା

Sangram Keshari Senapati July 13, 2017 0
ପରିବେଶ ସୁରକ୍ଷା, ଜୀବନ ରକ୍ଷା
ପରିବେଶ ସୁରକ୍ଷା, ଜୀବନ ରକ୍ଷା । ପରିବେଶର ସୁରକ୍ଷା ପାଇଁ ସୁଦର୍ଶନ ପଟ୍ଟନାୟକେ ଅନଶନରେ ବସିଲେ । ସରକାର ତ ତାଙ୍କ କାମ କରିଦେବେ । କ'ଣ ଗୋଟେ ଯୋଜନା ବନେଇଦେବେ ଆଉ ତା' ପରେ ତାଙ୍କ କାମ ଶେଷ । ସେ କାମ କେତେ କ'ଣ ହେବ ସେକଥା ଭଗବାନଙ୍କୁ ବି ଅଜଣା । ସବୁପରେ ବି ଯଦି ସେସବୁ ସଫା ହୋଇଯାଏ, ତେବେ ପୁଣି ଅଳିଆ ଭର୍ତ୍ତି ହେବନି ବୋନି କିଏ କ‌ହିବ । ଆମକୁ ନିଜେ ହିଁ ନିଜେ ସଚେତନ ହେବାକୁ ପଡ଼ିବ । ଆମ ଘର, ଆମ ପରିବେଶକୁ ଆମକୁ ହିଁ ସଫା ରଖିବାକୁ ପଡ଼ିବ । ପରିବେଶ ସଫା ରହିଲେ ଆମରି ହିଁ ସୁବିଧା ହେବ । ଆମକୁ ହିଁ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିବ ।

୩/୪ ବର୍ଷ ତଳେ ଅଭିନେତା ଅମିର ଖାନ୍‌ଙ୍କର ଏକ କାର୍ଯ୍ୟକ୍ରମ ଚଲିଥିଲା, "ସତ୍ୟମେବ ଜୟତେ" । ସେଇଥିରେ ସେ ଅଳିଆ ଆବର୍ଜନା କମେଇବା ବିଷୟରେ ଅନେକ କିଛି ଉପାୟମାନ ଦେଖାଇଥିଲେ । ସେହି ସବୁକୁ ସରକାର ଏବଂ ଆମମାନଙ୍କୁ ଗ୍ରହଣ କରିବାକୁ ହେବ ।

ଅନେକ ଜିନିଷ ମାଟିରୁ ଅର୍ଥାତ ପ୍ରକୃତିରୁ ତିଆରି ହୋଇଥାଏ । ତେଣୁ ସେଗୁଡ଼ିକ ମାଟିରେ ପଡ଼ିଲେ, ତା' ସ‌ହ ମିଶିଯାଏ । ମାତ୍ର ତା' ସ‌ହ ଆଉ କିଛି ଜିନିଷ ରହିଛି, ଯାହାକି ମାଟି ସ‌ହ ମିଶିପାରେ ନାହିଁ । ଯେମିତିକି ଆମେ ବ୍ୟବ‌ହାର କରୁଥିବା ବିଭିନ୍ନ ପ୍ରକାରର ରସାୟନିକ ବସ୍ତୁରୁ ବାହାରୁଥିବା ବର୍ଜ୍ୟବସ୍ତୁ ସବୁ ମାଟିରେ କେବେହେଲେ ମିଶିପାରେ ନାହିଁ । ସେତେବେଳେ ଗୋଟିଏ ବଡ଼ ଅସୁବିଧା ହୋଇଥାଏ, ମାଟିରେ ମିଶିପାରୁଥିବା ଜିନିଷ ଆଉ ମାଟିରେ ମିଶିପାରୁନଥିବା ଜିନିଷ ଯେତେବେଳେ ଏକାଠି ଗୋଟିଏ ଜାଗାରେ ପଡ଼ିରହ‌ନ୍ତି, ସେତେବେଳେ ମାଟିରେ ମିଶିପାରୁଥିବା ଜିନିଷ ବି ମାଟିରେ ମିଶିପାରେନି । ଆଉ ଗୋଟିଏ ବଡ଼ କାରଣ ହେଉଛି, କିଛି ଜିନିଷ‌କୁ ମାଟିରେ ମିଶିବା ପାଇଁ ମଧ୍ୟ କିଛି ପ୍ରକ୍ରିୟା ରହିଛି ଆଉ ସେ ପ୍ରକ୍ରିୟା ପାଇଁ ଉପଯୁକ୍ତ ଦ୍ରବ୍ୟର ମଧ୍ୟ ଆବଶ୍ୟକତା ରହିଥାଏ । ଯଦି କୌଣସିଟିରେ ବ୍ୟତିକ୍ରମ ଘଟେ, ସେବେ ମାଟିରେ ମିଶି ମାଟି ହେଇପାରୁଥିବା ଜିନିଷ ମାଟିରେ ମିଶିବା ପରିବର୍ତ୍ତେ ଅଧିକ ଅଳିଆ ସୃଷ୍ଟି କରିଥାଏ ।

ପ୍ରଥମ କଥା ହେଉଛି, ଆମେ କେମିତି ଏହି ସବୁ ବର୍ଯ୍ୟବସ୍ତୁର ପରିମାଣକୁ କମ କରିପାରିବା ସେ ବିଷୟରେ ଅଧିକ ଦୃଷ୍ଟି ଦେବ । ଆମେ ମୁଖ୍ୟତଃ ଦୋକାନରୁ କିଛି ଜିନିଷ କିଣିବାବେଳେ ଅଧିକାଂଶ ଜିନିଷ ପଲିଥିନ୍ ବ୍ୟାଗ୍‌ରେ ଆଣିଥାଉ, ଯାହାକି ପରବର୍ତ୍ତୀ ସମୟରେ ପରିବେଶ ପ୍ରଦୂଷଣକୁ ବଢ଼ାଇଥାଏ । ଆମେ ଯଦି ଘରୁ ଗଲାବେଳ ସାଙ୍ଗରେ ବ୍ୟାଗ୍‌ଟିଏ ନେଇକି ଯିବା, ତେବେ ଆମେ ଦୋକାନରୁ ଆଣୁଥିବା ପଲିଥିନ୍ ବ୍ୟାଗ୍‌ର ପରିମାଣ କମିପାରିବ । ଆଉ ଯେଉଁ ଜିନିଷର ଆବଶ୍ୟକତା ନାହିଁ, ଆମେ ତା'କୁ ଆଣି ନଷ୍ଟ କରିବା ପରିବର୍ତ୍ତେ ଆବଶ୍ୟକ ପରିମାଣର ଜିନିଷ ଆଣିବା ଆବଶ୍ୟକ । ଫଳରେ ଅଳିଆ ଆବର୍ଜନର ପରିମାଣ ନିଶ୍ଚତରୂପେ କମ ହୋଇପାରିବ । ଯଦି ଆମେ କେବେ ବାହାରେ କିଛି ଜିନିଷ ବ୍ୟବ‌ହାର କରିବା ପରେ ସେଥିରୁ କିଛି ବର୍ଜ୍ୟବସ୍ତୁ ବାହାରୁଛି, ତାକୁ ଆମେ ସେହିସ୍ଥାନରେ ନ ପକାଇ, ଉଚିତ ସ୍ଥାନରେ ପକାଇବା ଆବଶ୍ୟକ । ବୋଧହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ଅଭିଯାନର ଡାକରା ପରେ ସବୁସ୍ଥାନରେ ଡଷ୍ଟବିନ୍‌ ରଖାଯାଇଛି । ସେହିସବୁ ବର୍ଜ୍ୟବସ୍ତୁକୁ ସେହି ଅଳିଆ ସଂରକ୍ଷଣ ଡବାରେ ପକାଇବା ନିହାତି ଦରକାର । ଫଳରେ ସେହିସବୁ ଅଳିଆ ଏଣେତେଣେ ପଡ଼ିବନି ।

ମାତ୍ର ଆଉଏକ ବଡ଼ ସମସ୍ୟା ହେଉଛି ସରକାରଙ୍କ ତରଫରୁ । ସରକାର ଅଳିଆର ସଠିକ ବିନିଯୋଗ ଏବଂ ନିୟନ୍ତ୍ରଣ ପାଇଁ ମଧ୍ୟ ସେପରି କିଛି ବିଶେଷ ସୁବିଧା କରିନାହାନ୍ତି । ଯଦି ଲୋକମାନେ ଗୋଟିଏ ଜାଗରେ ଅଳିଆ ଠୁଳ କଲେ, ସରକାର ତାକୁ ପୌରପାଳିକାର ଗାଡ଼ି ମାଧ୍ୟମରେ କୌଣସି ଏକ ଜାଗାରେ ନେଇକି କୁଢ଼ କରିଦେଇଆସିଲେ । ମାତ୍ର, ସେଠାରେ ସେହି ସବୁ ଅଳିଆ କେମିତି ପ୍ରକୃତି ସ‌ହ ମିଶିବ, ସେ ବିଷୟରେ ବ‌ହୁତ କମ ଦୃଷ୍ଟି ଦିଅନ୍ତି । ଏମିତିକି ପୌରପାଳିକା ଗୋଟିଏ ସ୍ଥାନରେ ଅଳିଆ ସବୁ ଗଦା କରିବା ପରେ କିଛିଦିନରେ ସେହି ସ୍ଥାନ ଦେଇ ଯିବାଆସିବା ଅସମ୍ଭବ ହୋଇପଡ଼େ ଏବଂ ଆଖପାଖରେ ଥିବା ଜନବସତିଗୁଡ଼ିକରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ମୁଁ ନିଜେ ଦେଖିଛି, ଭବାନୀପାଟଣା ସ‌ହରଠାରୁ ମାତ୍ର ୨/୩ କିଲୋମିଟର ଦୂରରେ ଏକ ସ୍ଥାନରେ ପୌରପାଳିକା ପକ୍ଷରୁ ଗାଡ଼ିରେ ସବୁଯାକ ଅଳିଆ ନିଆଯାଇ ଗଦା କରିଦିଆଯାଏ । ମାତ୍ର ସେହି ଅଳିଆସବୁ ସେମିତି ସେଠାରେ ପଡ଼ିରହିଥାଏ । ବର୍ଷାଦିନରେ ସେହି ରାସ୍ତାଦେଇ ଗଲାବେଳେ ଜଣାପଡ଼ିଥାଏ ସେହି ଅଳିଆର ବିକଟାଳ ରୂପ । ଏମିତିକି ସେହି ଅଳିଆଗଦାଠାରୁ ମାତ୍ର କିଛି ଦୂରରେ ଜନବସତି ମଧ୍ୟ ରହିଛି । ସେହିଭଳି ଭଦ୍ରକ ସ‌ହର ସମସ୍ତ ଅଳିଆ ମଧ୍ୟ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥ କଡ଼ରେ କାଣ୍ଡିକରିଦିଆଯାଉଛି । ବର୍ଷାଦିନେ ସେହି ରାସ୍ତାରେ ଗଲାବେଳେ କେମିତି ଯିବାକୁ ପଡ଼େ, ତାହା ଅଙ୍ଗେନିଭେଇଥିବା ଲୋକ ହିଁ ଠିକ୍‌ରେ କ‌ହିପାରିବ । ଖାଲି ବର୍ଷାଦିନ ନୁହେଁ, ଅନ୍ୟସମୟରେ ମଧ୍ୟ ସେହି ରାସ୍ତା ଦେଇ ଯିବା କେତେ କଷ୍ଟ ସେ କଥା ମଧ୍ୟ କ‌ହିଲେ ନ ସରେ । ଆଉ ଗୋଟିଏ କଥା ହେଉଛି, ଖୋଲାରେ ସେହି ସବୁ ଅଳିଆ ପକାଯିବା ଫଳରେ, ପବନ ହେଲେ ପୁଣିଥରେ ସେହି ସବୁ ଅଳିଆ ଉଡ଼ିଯାଇ ପୁଣିଥରେ ପରିବେଶକୁ ଦୂଷିତ କରିବାରେ ଲାଗିଥାଏ ।

ସ୍ୱଚ୍ଛଭାରତ କାର୍ଯ୍ୟକ୍ରମକୁ ତିନିବର୍ଷ ପୁରିବାକୁ ଯାଉଥିଲେ ବି ଯେମିତି ସବୁଆଡ଼େ ଅଳିଆ ଥିଲା, ସେମିତି ସବୁଆଡ଼େ ଅଛି । ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦୂଷଣ ରୋକିବା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କେବଳ କାଜଗପତ୍ରରେ ହିଁ ସେ ସବୁ କାମ ଚାଲିଛି । ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କଦ୍ୱାରା ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ଚାରିଆଡ଼େ ଜମା ହେଉଛି । ସେମିତି ପୁରୀ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଆସୁଥିବା ଅନେକ ପର୍ଯ୍ୟଟକ ସେମିତି ଅନେକ କିଛି ବର୍ଜ୍ୟବସ୍ତୁ ସମୁଦ୍ରକୂଳରେ ହିଁ ଛାଡ଼ିଦିଅନ୍ତି ଆଉ ସେ ସବୁ ପବନରେ କିମ୍ବା ବର୍ଷାପାଣିରେ ଭାଷିକି ସମୁଦ୍ରରେ ମିଶୁଛି । ଆଉ ସମୂଦ୍ର କିଛି ରଖେନି, ସେ ତ ସବୁକିଛି ଫେରାଇଦେଇଥାଏ । ସେଇଥିପାଇଁ ସମୁଦ୍ରରେ ମିଶୁଥିବା ଅଳିଆସବୁ କୋଉଠି ନା କୋଉଠି ଠୁଳ ହୋଇଥାଏ । ଆଉ ପରବର୍ତ୍ତୀ ସମୟରେ ମଧ୍ୟ ସେସବୁରୁ ନିର୍ଗତ ବିଭିନ୍ନ ରସାୟନ ଗ୍ୟାସ୍ ଆଦି ପରିବେଶକୁ ଅଧିକ ପ୍ରଦୁଷିତ କରିଥାଏ । ଏମିତିକି କେବେ କେବେ ପାଣିଉପରେ ନିଆଁ ଜଳିବାର ଦୃଷ୍ଟାନ୍ତ ମଧ୍ୟ ଆମେ ଦେଖିଛେ । ଅଳିଆ ଆବର୍ଜନାରୁ ନିର୍ଗତ କିଛି ରାସାୟନିକ ଗ୍ୟାସ୍‌‌ ପାଣିଉପରେ ମଧ୍ୟ ନିଆଁ ଜଳାଇପାରୁଛି, ସେ ପରିବେଶ ଉପରେ କେତେ କୁପ୍ରଭାବ ପକାଉଥିବା, ସେଇଟା ଆମକୁ ବିଚାରିବାକୁ ହେବ । ପୁରୀର ବାଙ୍କିମୁହାଣରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅନଶନରେ ବସିଥିଲେ । ବାଙ୍କିମୁହାଣରେ ଜମାହୋଇଥିବା ଅଳିଆକୁ ପରିଷ୍କାର କରିବା ପାଇଁ ତାଙ୍କର ଥିଲା ଏହି ଆହ୍ୱାନ । ଅନଶନରେ ବସିଲେ ହୁଏତ ସେହି ବାଙ୍କି ମୁହାଣ ସଫାକରିଦିଆଯିବ, ହେଲେ ସେହି ସବୁ ଅଳିଆକୁ ପୁଣି କେଉଁଠି ପକାଯିବ? ପୁଣିଥରେ ସେହି ସବୁ ଅଳିଆ କେଉଁଠି ନା କେଉଁଠି ଜମା ହେବ । ପୁଣିଥରେ ସେ ସେହିସ୍ଥାନରୁ ପ୍ରଦୂଷଣ ବଢ଼ାଇବ । ଆଉ ପଟ୍ଟନାୟକେଙ୍କ ସପକ୍ଷରେ ଖାଲି ଯେ କିଛି କ‌ହିଦେଲେ ହେବେନି, ନିଜେ ମଧ୍ୟ ପରିବେଶ ପ୍ରଦୂଷଣକୁ ରୋକିବାରେ କିଛିଟା ସାହାଯ୍ୟ କରିବା ଦରକାର । ପରିବେଶକୁ ନିଜେ ଯଦି ପ୍ରତ୍ୟକ୍ଷ ଭାବରେ ଯୋଡ଼ିହୋଇ ସଫା କରି ପାରୁନାହାନ୍ତି, ତେବେ ତାକୁ ଆବର୍ଜନାରେ ପରିପୂର୍ଣ୍ଣ କରନ୍ତୁ ନାହିଁ । ନିଜେ ନିଜ ତରଫରୁ ଆବର୍ଜନାର ପରିମାଣ କମ କରିବା, ପୁନଃବ୍ୟବ‌ହାର ଉପରେ ଅଧିକ ଗୁରୁତବ ଦେବା, ଅଳିଆକୁ ଉଚିତ ଜାଗାରେ ପକାଇବା ଭଳି କିଛି ପଦକ୍ଷେପ ନିଜ ତରଫରୁ ନିଅନ୍ତୁ । ଏହିସବୁପ୍ରତି ନିଜେ ସଚେତନ ହେବାକୁ ପଡ଼ିବ । ହେଲ୍‌ମେଟ୍ ପିନ୍ଧିଲେ ନିଜକୁ ସୁରକ୍ଷା ମିଳିଥାଏ, ମାତ୍ର ତା' ପ୍ରତି ସରକାରଙ୍କ ତରଫରୁ ଜୋରିମାନ ଭଳି ବ୍ୟବସ୍ଥା କରି ହେଲ୍‌ମେଟ୍ ପିନ୍ଧିବାକୁ ବାଧ୍ୟ କରାଯାଉଛି । ଆଉ ଇଏ ମଧ୍ୟ ଏକ ସେହିଭଳି କାର୍ଯ୍ୟ, ପରିବେଶ ସ୍ୱଚ୍ଛ ରହିଲେ, ଆମେ ହିଁ ରୋଗମୁକ୍ତ ହେବା, ଆମକୁ ଆମ ପରିବେଶ ସୁନ୍ଦର ଲାଗିବ । ସରକାର ଖାଲି ନିୟମ କରିଦେଲେ କିମ୍ବା ସ୍ୱଚ୍ଛତା ପାଇଁ କିଛି ସାହାଯ୍ୟ କରିଦେଲେ ହେବନି, ସେସବୁର ସୁବିନିଯୋଗ ଆମକୁ କରିବାକୁ ହେବ । 










ଦିନେ ମଦର ଟେରେସା କ‌ହିଥିଲେ: ନିଜ ଘରର ଆଖପାଖକୁ ସ‌ଫା ରଖ, ପରିବେଶ ସ୍ୱଚ୍ଛ ଆପେ ହେଇଯିବ । ସେ ଏହି ପୃଥିବୀକୁ ଆମ ଘର ବୋଲି କ‌ହିଥିଲେ । ଏକ ଛୋଟ ଘରେ ଆମେ ସବୁ ରହିଲେ, ସେଇଟା ଆମ ଘର ହେଇଯାଏନି । ଏହି ସମ୍ପୂର୍ଣ୍ଣ ଧରା ହେଉଛି ଆମର ମାଆ । ଯେପରି ଆମେ ଆମର ଶୋଇବାଘରକୁ ସଫା ଏବଂ ସୁନ୍ଦର ରଖିବାକୁ ଚାହୁଁ, ସେହିପରି ଅନ୍ୟମାନଙ୍କର ଶୋଇବାସ୍ଥାକ‌କୁ ମଧ୍ୟ ଅଳିଆ କରିବା ଠିକ୍ ନୁହେଁ । ଏହି ପୃଥିବୀରେ ଅନେକ ଜୀବଜନ୍ତୁ ବସବାସ କରନ୍ତି ଆଉ ସେମାନଙ୍କର ଶୋଇବା ଘର ହେଉଛି ଏହି ପୃଥିବୀ, ସେମନଙ୍କ ଘରକୁ ସ୍ୱଚ୍ଛ ରଖିବାକୁ ଆମେ ଦୃଷ୍ଟି ଦେବା ଦରକାର ।