ରସଗୋଲା ଦିବସ - Blogs by Sangram Keshari Senapati

Thursday 6 July 2017

ରସଗୋଲା ଦିବସ

ରଥଯାତ୍ର ସମୟରେ ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ବୁଲିପଳାନ୍ତି ବୋଲି ମହାଲକ୍ଷ୍ମୀଙ୍କ ରାଗ ବଢ଼ିଯାଏ । ସ୍ନାନଯାତ୍ରାରେ ଏତେ ଗାଧୁଆ, ତା'ପରେ ପୁଣି ୧୫ଦିନର ଜ୍ୱର ଆଉ ଜ୍ୱର ଛାଡ଼ିଲା ବେଳକୁ ସିଧା ମାଉସୀଘର । ଯେକୌଣସି ସ୍ତ୍ରୀ ହେଲେ ବି ରାଗିବ । ମା' ଲକ୍ଷ୍ମୀ ବି ସେଥିରୁ ବାଦ୍ ଯିବେ କେମିତି । ସେଥିପାଇଁ ସେ ରାଗରେ ଯାଇକି ପ୍ରଭୁଙ୍କୁ ଦେଖା କରିନପାରି ହେରାପଞ୍ଚମୀରେ ନନ୍ଦିଘୋଷ ରଥକୁ ଭାଙ୍ଗିବାକୁ ବି ଚେଷ୍ଟା କରନ୍ତି ।

ତ‌ଥାପି ତାଙ୍କର ସେ ରାଗ କମେନି । ଫେରିଆସନ୍ତି ବଡ଼ଦେଉଳକୁ । ଆଉ ଅପେକ୍ଷା କରନ୍ତି ପ୍ରଭୁଙ୍କ ଫେରିବା ବାଟକୁ । ପ୍ରଭୁ ଆସିଲାପରେ କିନ୍ତୁ ସେ ଦେଖାନ୍ତି ତାଙ୍କ ରାଗର ଅସଲ କାମ । ବନ୍ଦ କରିଦିଅନ୍ତି ଶ୍ରୀମନ୍ଦିରର ଦୁଆର । ସବୁଲୋକଙ୍କର ସମଦଶା । ପତ୍ନୀକୁ ସଭିଙ୍କ ଭୟ । ପତ୍ନୀଙ୍କୁ ବୁଝେଇବାକୁ ଚେଷ୍ଟା କରିନ୍ତି ପ୍ରଭୁ, ମାତ୍ର ବିନା ଉପ‌ହାରରେ କ'ଣ କେହି ତା' ସ୍ତ୍ରୀକୁ ବୁଝେଇପାରିଲାଣି । ସେଇଥିପାଇଁ ମହାପ୍ରଭୁଙ୍କୁ ବି ଦେବାକୁ ପଡ଼େ ଲାଞ୍ଚ । ମହାଲକ୍ଷ୍ମୀଙ୍କର ରାଗ ଶାନ୍ତ କରିବା ପାଇଁ, ତାଙ୍କ ମୁହଁରୁ ଟିକିଏ ମିଠା ମିଠା କଥା ଶୁଣିବା ପାଇଁ ସେ ଦିଅନ୍ତୁ ତାଙ୍କୁ ମିଠା ଉପ‌ହାର । ଉପ‌ହାର ସ୍ୱରୂପ ଦିଅନ୍ତି ରସଗୋଲା ।

ସେ ତ ରସଗୋଲା, ଯେ କେହି ବି ଦେଖିଲେ ପାଟିରୁ ଲାଳ ଗଡ଼ିବ । ଯେତେ ଯିଏ ରାଗିଲେ ବି ତା'ର ଆପଣାର ମଣିଷ‌ଟି ଆଣିଥିବା ଏତେ ସୁନ୍ଦର ଆଉ ସୁଆଦିଆ ଉପ‌ହାର ଦେଖିବା ପରେ କିଏ ବା ଆଉ ସମ୍ଭାଳି ପାରିବ? ମାଆ ଜଗତଜନନୀ ବି ଆଉ ସମ୍ଭାଳି ପାରନ୍ତିନି ତାଙ୍କ ଲୋଭ । ଖୁସିରେ ଖୁସିରେ ସେ ଗ୍ରହଣ କରିନିଅନ୍ତି ଜଗତର ନାଥଙ୍କର ଉପ‌ହାର । ଆଉ ସୁଆଦିଆ ରସଗୋଲା ଖୁଆଇବାକୁ ଆଣିକି ଦେଇଥିବା ପତିଦେବଙ୍କୁ କେତେ ସମୟ ବା ବାହାରେ ଅପେକ୍ଷା କରାନ୍ତେ ସେ ! ଶେଷରେ ଫିଟାଇଦିଅନ୍ତି ସେ ଦୁଆର । ଆଉ ମହାପ୍ରଭୁ ପୁଣିଥରେ ବିଜେ କରନ୍ତି ରତ୍ନ ସିଂହାସନ‌କୁ । ପୁଣିଥରେ ଚାଲେ ଜଗତର ନାଥଙ୍କର ସେହି ଲୀଳାଖେଳା ।

ଏଇ କାହାଣୀ ପ୍ରତିବର୍ଷ ଘଟିଥାଏ । ଏହା ପତିପତ୍ନୀ ମଧ୍ୟରେ ମନାନ୍ତର, ପ୍ରେମ, ରାଗରୁଷାକୁ ଦେଖାଇଥାଏ ଏହି ଦୁନିଆକୁ । ଯଦି କେବେ ପତ୍ନୀ ରୁଷିଥାଏ, ତାକୁ ବୁଝେଇବାକୁ, ମନେଇବାକୁ ହୋଇଥାଏ ସଭିଙ୍କୁ । ସେ ଜଗତର ନାଥ ଜଗନ୍ନାଥ ହୁଅନ୍ତୁ କି ସାଧାରଣ ମଣିଷ । ସଭିଙ୍କୁ ତାଙ୍କ ପତ୍ନୀଙ୍କର ମାନଭଞ୍ଜନ କରିବାକୁ ପଡ଼ିଥାଏ । ସଭିଙ୍କୁ ସେମାନଙ୍କର ପତ୍ନୀଙ୍କୁ ଖୁସି କରାଇବାକୁ ଦେବାକୁ ପଡ଼ିଥାଏ କିଛି ଉପ‌ହାର । କାହାର ରାଗ କମେଇବାକୁ ହେଲେ, ତାଙ୍କ ମୁହଁରୁ ମିଠା ମିଠା କଥାଟିକେ ଶୁଣିବାକୁ ହେଲେ, ରସଗୋଲାଠାରୁ ଆଉ ସୁଆଦିଆ ମିଠା କ'ଣ ବା ହେଇପାରେ । ସେଇଥିପାଇଁ ରାଗରୁଷାକୁ ଭୁଲିଯାଇ ଆଜି ରସଗୋଲା ବାଣ୍ଟନ୍ତୁ ଆଉ ସଭିଙ୍କୁ ଖୁଆନ୍ତୁ । ସବୁକିଛିର ଗୋଟିଏ ଅନ୍ତ ଥାଏ । ଆଉ ଆପଣଙ୍କର ରାଗରୁଷାର ବି ଅନ୍ତ ହେଉ । ଆଜିଭଳି ଏହି ଦିନରେ, ଯେଉଁଦିନ ମହାପ୍ରଭୁ ରାଗିଥିବା ପତ୍ନୀଙ୍କୁ ମନେଇବାକୁ ରସଗୋଲା ଉପ‌ହାର ଦେଉଛନ୍ତି, ଆପଣମାନେ ମଧ୍ୟ ଖୁଆନ୍ତୁ ସେମାନଙ୍କୁ ରସଗୋଲା । ଦେଖିବେ ସେମାନଙ୍କର ରାଗ କେମିତି ରସଗୋଲାର ରସ ବୋହିଗଲା ଭଳି ତରଳିକି ବୋହିଯିବ ।

Photo from Social Media
ଏହିଭଳି ପବିତ୍ରଦିନରେ ସେଇଥିପାଇଁ ସାରା ଓଡ଼ିଶା ପାଳନ କରୁଛି ରସଗୋଲା ଦିବସ । ରସଗୋଲା ଦିବସ ପାଳନର ମୁଖ୍ୟ ଉଦ୍ୟେଶ୍ୟ ହେଲା ଆମେମାନେ ଆମ ରାଜ୍ୟର ଏହି ସୁଆଦିଆ ମିଠାକୁ ଖାଇବା, ବାଣ୍ଟିବା ଆଉ ସଭିଙ୍କୁ ଖୁଆଇ ଆପଣାର କରିପାରିବା । ରସଗୋଲା ଦିବସ ପାଳନ ପାଇଁ ଆଜିପରି ଭଲଦିନଟିଏ ଆଉ କ'ଣ କେବେ ମିଳିବ ।

No comments:

Post a Comment