ପ୍ରକୃତି ଅଥବା ଧରଣୀ ଆମର ମାଆ ସମାନ । ଗାଇକୁ ବି ଆମେ ଆଦି ଯୁଗରୁ ମାଆ ଭାବରେ ପୂଜା କରିଆସିଛେ । ଯେମିତି ପିଲାଟିଏ ଛୋଟ ଥିଲାବେଳେ ତା' ମାଆର ଖିର ଖାଇ ଧିରେ ଧିରେ ବଡ଼ ହୋଇଥାଏ, ସେମିତି ଗାଇର ଖିରରେ ମଧ୍ୟ ଅନେକ ପ୍ରକାରର ଗୁଣବତ୍ତା ଥାଏ, ଯାହାକୁ ସଭିଙ୍କୁ ପୋଷଣ ଯୋଗାଇଥାଏ । ସେଇଥିପାଇଁ ଆମେ ଗାଇଙ୍କୁ ମଧ୍ୟ ମାଆର ଆଖ୍ୟା ଦେଇଆସିଛୁ । ହିନ୍ଦୁ ଧର୍ମରେ ଆମେ ଗାଇକୁ ଭଗବାନଙ୍କ ଆଶୀର୍ବାଦ ରୂପରେ ମାନିଛେ ଏବଂ ଗୋମାତାଙ୍କ ଦେହରେ ଅନେକ ଭଗବାନଙ୍କର ଅବସ୍ଥାନ ବୋଲି ମଧ୍ୟ ଆମେ ଜାଣିଛେ ।
ଯେମିତି ଗାଇ ଆମକୁ ତା'ର ଖିର ଦେଇ ଭରଣ ପୋଷଣ କରିଥାଏ, ସେହିପରି ଧରଣୀ ଅଥବା ଏହି ଧରାପୃଷ୍ଠ ମଧ୍ୟ ଆମକୁ ଅନେକ କିଛି ଦେଉଛି । ପ୍ରଥମତଃ ଆମେ ଯାହା ଉପରେ ଅବସ୍ଥାନ କରୁଛେ, ସେ ହେଉଛି ଏହି ଧରା । ଏହି ଧରଣୀ ବିନା ଆମର ଅବସ୍ଥାନ ଅସମ୍ଭବ । ଧରଣୀପୃଷ୍ଠରେ ମଣିଷଠାରୁ ଆରମ୍ଭ କରି ଅନେକ ପ୍ରକାରର ଜୀବଜନ୍ତୁ, ଗଛଲତା ପ୍ରଭୃତି ବସବାସ କରୁଛନ୍ତି । ଧରାପୃଷ୍ଠରେ ଆମେ ବିଭିନ୍ନ ପ୍ରକାରର ଚାଷ କରିଥାଉ, ଫଳରେ ଆମକୁ ଖାଇବା ପାଇଁ ଖାଦ୍ୟ ମିଳିଥାଏ । ବଡ଼ ବଡ଼ ଗଛକୁ ଧାରଣ କରି ଏହି ଧରା ପୃଷ୍ଠ ଆମକୁ ଅମ୍ଳଜାନ ଯୋଗାଇଥାଏ । ମାରାତ୍ମକ ଆଙ୍ଗାରକାମ୍ଳ ଭଳି ଦୂଷିତ ବାୟୁକୁ ନିଜେ ଗ୍ରହଣ କରିନେଇଥାଏ । ଏହି ଭୂ-ପୃଷ୍ଠ ସବୁକିଛିକୁ ଧାରଣ କରିଥାଏ, ସେଥିପାଇଁ ତା'ର ନାମ ଧରଣୀ ।
ଆମ ଜୀବନରେ ଘଟୁଥିବା ସମସ୍ତ ଘଟଣା ପ୍ରକୃତି ସହ ଜଡ଼ିତ । ଆକାଶରେ ବାଦଲ ଘୂରିବାଠାରୁ ଆରମ୍ଭ କରି ବର୍ଷା ହେବା ପର୍ଯ୍ୟନ୍ତ ସବୁକିଛି ସେହି ପ୍ରକୃତିର ନିଦର୍ଶନରେ ହୋଇଥାଏ । ମାତ୍ର ସବୁକିଛି ସନ୍ତୁଳିତ ହୋଇ ରହିବା ନିତ୍ୟାନ୍ତ ଆବଶ୍ୟକ । କାରଣ, ଯଦି କୌଣସିଥିରେ ସନ୍ତୁଳନ ବିଗିଡ଼ିଯାଏ, ତେବେ ତା' ସହ ଜଡ଼ିତ ଥିବା ଅନେକ କିଛିର ସ୍ଥାନ ପରିବର୍ତ୍ତନ ହୋଇଥାଏ । ଧରାଯାଉ ଆମେ ଗୋଟିଏ ନିକିତିର ଦୁଇ ପାର୍ଶ୍ୱରେ କିଛି କିଛି ଜିନିଷ ରଖି ତାକୁ ସମାନ୍ତର ଭାବରେ ରଖିଛେ । ଯାହା ଫଳରେ ଉଭୟ ସୁରୁଖୁରୁରେ ରହିଥାଏ । ଯଦି, ଆମେ ଗୋଟିଏ ତଉଲୀରୁ କିଛି ଜିନିଷକୁ ବାହାର କରିଦେବା, ତେବେ ଅନ୍ୟ ପାର୍ଶ୍ୱଟି ଆପେ ଆପେ ଅସମାନ୍ତର ହୋଇଯାଇଥାଏ । ଏହିପରି ଆମର ଏହି ପ୍ରକୃତିର ସବୁକିଛି ପରିପୂରକ ।
ଆମେମାନେ ଗଛଲତା ସବୁ କାଟିଦେବାରୁ ଧିରେ ଧିରେ ଆମ ବାୟୁମଣ୍ଡଳ ଦୂଷିତ ହେଉଛି ଏବଂ ତା'ର ପ୍ରଭାବରେ ଅନେକ କିଛିର ସନ୍ତୁଳନରେ ବିଘ୍ନ ଘଟୁଛି । ଏମିତିକି କେବେ କେବେ ଅନେକ ସ୍ଥାନରେ ଅମ୍ଳବର୍ଷା ମଧ୍ୟ ହେବାର ନଜିର ରହିଛି । ଏହିସବୁ ଫଳରେ ଧିରେ ଧିରେ ଧରାପୃଷ୍ଠରେ ଗାଇମାନଙ୍କ ପାଇଁ ଉଦିଷ୍ଟ ଗଛଲତା ବି ନଷ୍ଟ ହେବାରେ ଲାଗିଲାଣି । ଏପରିକି ଆମେ ଖାଉଥିବା ଅନେକ କିଛି ଜିନିଷରେ ମଧ୍ୟ ଏହି ସବୁ ଅସୁବିଧାମାନ ଦେଖିବାକୁ ମିଳୁଛି, ଯାହାଫଳରେ ଅନେକ ଲୋକ ବିଭିନ୍ନ ପ୍ରକାରର ରୋଗରେ ପିଡ଼ୀତ ହେଉଛନ୍ତି ।
ଏବେବି ଆମ ପାଖରେ ସମୟ ଅଛି, ଆମକୁ ଆମ ପରିବେଶକୁ ସନ୍ତୁଳିତ କରିବାକୁ ପଡ଼ିବ । ଆମେ ହିଁ ଆମର ଭବିଷ୍ୟତର ଖୁସିକୁ ନିଜ ହାତରେ ନିଜେ ନଷ୍ଟ କରୁଛେ । ବର୍ତ୍ତମାନର କାଣିଚାଏ ଖୁସି ପାଇଁ ଆମେ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ବାଟ କଢ଼ାଇନେଉଛେ । ଆମକୁ ହିଁ ଗଛ ଲଗେଇବାକୁ ପଡ଼ିବ, ଆମ ପରିବେଶକୁ ସଫସୁତୁରା ରଖିବାକୁ ପଡ଼ିବ । ଖାଲି କ୍ୟାମେରା ଆଗରେ ଗଛଟିଏ ଲଗେଇକି ଫଟୋ ଖବରକାଗଜରେ ବାହର କରିଦେଲେ ହେବନାହିଁ, ସେହି ଗଛଟିର ଯତ୍ନ ନେଇ ତାକୁ ବଡ଼ କରିବାର ଦାୟିତ୍ୱ ମଧ୍ୟ ଆମମାନଙ୍କୁ ନେବାକୁ ହେବ । ଆମେ ଆମ ପରିବେଶ ଏବଂ ପ୍ରକୃତିର ରୂପକୁ ନ ସୁଧାରିଲେ, ଦିନ ଆସିବ ଏହିସବୁ କେବଳମାତ୍ର ଫଟୋରେ ହିଁ ସିମୀତ ହୋଇ ରହିଯାଇଥିବ । ଆଉ ଏହି ସବୁ କରିବା ପାଇଁ କାହାକୁ ଦୋଷ ଦେବା ହିଁ ଠିକ୍ ହେବ ନାହିଁ, କାରଣ ଆମେ ଗୋଟିଏ ଭଲ କାର୍ଯ୍ୟ କଲେ, ତାକୁ ଦେଖି ଆଉ କିଛି କରିବେ ଏବଂ ତାଙ୍କୁ ଦେଖି ଦେଖି ଧିରେ ଧିରେ ପୂରା ଦୁନିଆ ସେହି କାର୍ଯ୍ୟ କରିବ । ସେଥିପାଇଁ ପରିବେଶ ସମ୍ପୂର୍ଣ୍ଣରୂପେ ନଷ୍ଟ ହେଇଯିବା ଆଗରୁ ତାକୁ ସୁଧାରିବା ଆରମ ଦାୟିତ୍ୱ ।
No comments:
Post a Comment