July 2016 - Blogs by Sangram Keshari Senapati

Friday 8 July 2016

ସମସ୍ୟା

Sangram Keshari Senapati July 08, 2016 0
ସମସ୍ୟା

ସମସ୍ୟା ଆମ ଜୀବନର ଏକ ସତ୍ୟ ଅଟେ । କିଏ ଏହି କଥାକୁ ବୁଝିଯାଏ ତ ପୁଣି କିଏ ସାରା ଜୀବନ ଏହି ସମସ୍ୟା ବିଷୟରେ ଭାବି ଭାବି କାନ୍ଦୁଥାଏ । ଜୀବନର ପ୍ରତ୍ୟେକ ମୋଡ଼ରେ ଆମର ସମସ୍ୟା(Problems) ସ‌ହ ଆମ୍ନାସାମ୍ନା ହୋଇଥାଏ । ସମସ୍ୟା ବିନା ଜୀବନର କଳ୍ପନା କରାଯାଇପାରେ ନାହିଁ ।
ସବୁବେଳେ ଆମ ସାମ୍ନାକୁ ସମସ୍ୟାମାନ ଆସିଲେ ଆମେ ତା' ସାମ୍ନାରେ ବିଚଳିତ ହୋଇଯାଇଥାଉ । ସେହି ସମୟରେ ଆମକୁ କିଛି ବୁଝାପଡ଼ିନଥାଏ କି କ'ଣ କରିବା ଉଚିତ ଆଉ କ'ଣ କରିବା ଅନୁଚିତ । ସବୁ ବ୍ୟକ୍ତିଙ୍କର ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । କେତେଥର ଆମ ଜୀବନରେ ସମସ୍ୟାର ପାହାଡ଼ ଖସିପଡ଼ିଥାଏ । ଏହି କଠିନ ସମୟରେ କିଛି ଲୋକ ଭାଙ୍ଗିପଡ଼ିଥାନ୍ତି ତ ଆଉ କିଛି ଲୋକ ସେ ପରିସ୍ଥିତି ସ‌ହ ନିଜକୁ ବୁଝେଇ ସୁଝେଇ ସମ୍ଭାଳି ନେବାରେ ସଫଳ ହୁଅନ୍ତି ।

ମନସ୍ତ‌ତ୍ତ୍ୱବିଜ୍ଞାନ ଅନୁସାରେ ମଣିଷ କୌଣସି ବି ସମସ୍ୟାକୁ ଦୁଇ ପ୍ରକାରରେ ଦେଖିଥାଏ;
୧. ସମସ୍ୟା ଉପରେ ଦୃଷ୍ଟିନିକ୍ଷେପ କରିକି (problem focus peoples)
୨. ସମାଧାନ ଉପରେ ଦୃଷ୍ଟିନିକ୍ଷେପ କରିକି (solution focus peoples)

ସମସ୍ୟା ଉପରେ ଦୃଷ୍ଟି ନିକ୍ଷେପ କରୁଥିବା ଲୋକମାନେ ପ୍ରାୟତଃ ଅନେକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଯାଆନ୍ତି । ଏହି ପ୍ରକାରର ଲୋକମାନେ କୌଣସି ପ୍ରକାରର ସମସ୍ୟାର ସମାଧାନ ଖୋଜିବା ବଦଳରେ ସମସ୍ୟା ବିଷୟରେ ଅଧିକ ଭାବୁଥାନ୍ତି । ସେମାନେ ସେହି ସମସ୍ୟାରୁ ଉତ୍ପନ୍ନ ହେବାକୁ ଥିବା ସମସ୍ୟା ବିଷୟରେ ଭାବି ଭାବି ଆଉ ଏକ ନୂଆ ସମସ୍ୟାକୁ ଡାକି ଆଣିଥାନ୍ତି । ଅନ୍ୟପକ୍ଷରେ ସମସ୍ୟାର ସମାଧାନ ଉପରେ ଦୃଷ୍ଟି ନିକ୍ଷେପ କରୁଥିବା ଲୋକମାନେ କୌଣସି ସମସ୍ୟାର ସମାଧାନ ବିଷୟରେ ହିଁ ଅଧିକ ଚିନ୍ତା କରୁଥାନ୍ତି । ଏହି ପ୍ରକାରର ଲୋକମାନେ ସମସ୍ୟାକୁ ଅତି ଦମ୍ଭ ଏବଂ ଦୃଢ଼ତାର ସ‌ହ ସାମ୍ନା କରିଥାନ୍ତି । ଏମାନଙ୍କୁ ସମସ୍ୟା କେବେ ବି ଡରେଇ ରଖିପାରେ ନାହିଁ, ସେମାନେ କେମିତି ହେଲେ ବି ସବୁ ସମସ୍ୟାର ସମାଧାନ ଖୋଜି ବାହାର କରି ସମସ୍ୟାକୁ ଉଡ଼େଇ ଦେଇଥାନ୍ତି ।

ଏହି ବିଷୟରେ ଏକ ଭଲ ଇତିହାସ କଥା ମଧ୍ୟ ଅଛି । ନେପୋଲିୟନ ବୋନାପାର୍ଟ(Napoleon Bonaparte)ଙ୍କ ବିଷୟରେ ପ୍ରାୟ ସଭିଏଁ ଜାଣିଥିବେ । ଯେଏକି ଫ୍ରାନ୍ସର ଏକ ମହାନ ନେତା ସ‌ହ ଏକ ସାହାସୀ ଯୋଦ୍ଧା ମଧ୍ୟ ଥିଲେ, ଯାହାଙ୍କ ଜୀବନରେ "ଅସମ୍ଭବ"(Impossible) ନାମରେ କୌଣସି ଶବ୍ଦ ନ ଥିଲା । ଇତିହାସରେ ନେପୋଲିୟନଙ୍କୁ ବିଶ୍ୱର ସବୁଠାରୁ ମହାନ ଏବଂ ଅଜେୟ ସେନାପତିମାନଙ୍କ ମଧ୍ୟରେ ଜଣେ ଭାବରେ ଗଣାଯାଏ । ସେ ଇତିହାସର ସବୁଠାରୁ ମହାନ ବିଜେତା ଭାବରେ ଏବେବି ରହିଛନ୍ତି । ତାଙ୍କ ସାମ୍ନାରେ କେହି ବି ତିଷ୍ଠି ରହିପାରିନଥିଲେ ।

ନେପୋଲିୟନ ପ୍ରାୟତଃ ଅଧିକ ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ଭଲ ପାଉଥିଲେ । ଥରେ ସେ ଆଲପସ୍ ପର୍ବକୁ ପାରି ହେବାର ଘୋଷଣା କଲେ ଏବଂ ତାଙ୍କର ସୈନ୍ୟସାମନ୍ତଙ୍କୁ ସାଥିରେ ଧରି ବାହାରିପଡ଼ିଲେ । ତାଙ୍କ ସାମ୍ନାରେ ଏକ ବିଶାଳକାୟ ନଭଶ୍ଚୁମ୍ଭି ପାହାଡ଼ ଛିଡ଼ାହୋଇଥିଲା, ଯାହାକୁ ଚଢ଼ିକି ପାରି ହେବା ଅସମ୍ଭବ ନୁହେଁ ଅସାଧ୍ୟ ଥିଲା । ଏହି ଭଳି ଏକ ବିରାଟକାୟ ପାହାଡ଼କୁ ପାରିହେବା କଥା ଶୁଣି ତାଙ୍କର ସେନାବାହିନୀରେ ହଠାତ୍ ଭାଳେଣି ପଡ଼ିଗଲା । ତା' ପରେ ସେ ତାଙ୍କର ସେନାକୁ ସେହି ପାହାଡ଼କୁ ଚଢ଼ିକି ପାରିକରିବାର ନିର୍ଦ୍ଦେଶ ଦେଲେ । ସେତେବେଳେ ସେଇ ପାଖରେ ଗୋଟିଏ ବୁଢ଼ିଟିଏ ସେମାନଙ୍କର କାର୍ଯ୍ୟ ଦେଖୁଥିଲା । ସେ ଯେତେବେଳେ ଏହି ପାହାଡ଼ ଚଢ଼ିବା କଥା ଶୁଣିଲା, ପାଖକୁ ଆସି କ‌ହିଲା, "କ'ଣ ମରିବାକୁ ଚାହୁଁଛ କି?" ତମ କଥାକୁ ଶୁଣିବା ପରେ କ'ଣ ତମ ସାଥିରେ ଆସିଥିବା ଲୋକମାନେତ ଚଢ଼ି ନ ପାରି ଓହ୍ଲେଇ ଆସୁଛନ୍ତି । ଯଦି ତମକୁ ତମ ଜୀବନ ପ୍ରତି ଟିକେ ବି ମୋହ ଥାଏ ତ ଏହି ପାହାଡ଼ ଚଢ଼ିବା ନିଶାକୁ ମୁଣ୍ଡରୁ ବାହାର କରି ସିଧା ଫେରିଯାଅ, ଏହି ପାହାଡ଼କୁ ଚଢ଼ି ପାର କରିବା ଅସମ୍ଭବ ।

ସେହି ବୁଢ଼ୀଠାରୁ ଏପରି ନାକାରାତ୍ମକ କଥା ଶୁଣି ନେପୋଲିୟନ ନିରାଶ ହେବା ପରିବର୍ତ୍ତେ ଅଧିକ ପ୍ରେରତି ହୋଇଥିଲେ ଏବଂ ତ‌ତ୍‌କ୍ଷଣାତ୍ ତାଙ୍କ ଗଳାରୁ ଏକ ହୀରା ହାରଟିଏ ବାହାର କରି ସେ ବୁଢ଼ୀଟିକୁ ପିନ୍ଧେଇଦେଇ କି କ‌ହିଲେ; ଆପଣ ମୋର ଉତ୍ସାହକୁ ଦୁଇଗୁଣା କରିଦେଲେ, ମୋତେ ଏହି ପାହାଡ଼ ଚଢ଼ିବାକୁ ଅଧିକ ପ୍ରେରଣା ଦେଲେ । ଯଦି ମୁଁ ଜୀବନ୍ତ ଭାବରେ ପାହାଡ଼ଟିକୁ ଚଢ଼ି ପାରି କରିଦିଏ, ତ ଆପଣ ମୋର ଜୟ ଜୟକାର ନିଶ୍ଚୟ କରିବେ । ସେହି ବୁଢ଼ୀଟି ନେପୋଲିୟନଙ୍କଠାରୁ ଏହିସବୁ କଥା ଶୁଣିସାରିବା ପରେ କ‌ହିଲା- ତୁମେ ହେଉଛ ପ୍ରଥମ ମଣିଷ, ଯିଏକି ମୋର କଥା ଶୁଣିବାପରେ ହତାଶ ଆଉ ନିରାଶ ହେଲ ନାହିଁ । ଯାହା ପାଖରେ "କର ବା ମର" ଆଉ ସମସ୍ୟାକୁ ଦୃଢ଼ତାର ସ‌ହ ସାମ୍ନାକରିବାର ଇଚ୍ଛା ଶକ୍ତି ଥାଏ, ସେ କେବେ ବି ପରାଜିତ ହୋଇ ନ ଥାଏ । ଆଉ ସେହିଭଳି ନେପୋଲିୟନ ତାଙ୍କ ଜୀବନର ସମସ୍ତ ସମସ୍ୟାକୁ ଦୃଢ଼ତାର ସ‌ହ ସାମ୍ନାକରି ସମାଧାନ କରିଥିଲେ ।

ଆଜି ସଚିନ ତେନ୍ଦୁଲକରଙ୍କୁ ଏଇଥିପାଇଁ କ୍ରିକେଟର ଭଗବାନ ବୋଲି କୁହାଯାଉଛି କାରଣ ସେ ଦରକାର ସମୟରେ ତାଙ୍କର ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି ଆଉ ଭାରତୀୟ ଦଳକୁ ଅନେକ ପରାଜୟ ଭଳି ସମସ୍ୟାରୁ ଉଧାର କରିଛନ୍ତି । ଖାଲି ଏଇଟା ନୁହେଁ କି ଏହିଭଳି ସବୁ ସମସ୍ୟା କେବଳ ଆମ‌ଭଳି ସାଧାରଣ ଲୋକଙ୍କ ପଖକୁ ଆସିଥାଏ । ଭଗବାନ ରାମଚନ୍ଦ୍ରଙ୍କ ସାମ୍ନାରେ ମଧ୍ୟ ଅନେକ ସମସ୍ୟା ଆସିଥିଲା । ବିବାହ ପରେ ବନବାସ, ସୀତା ହରଣ, ସୀତା ଉଦ୍ଧାର ପରେ କଟୁବଚନ ଭଳି ଅନେକ ସମସ୍ୟା ତାଙ୍କ ଜୀବନରେ ଆସିଥିଲା । ସେ ସମୁଦାୟ ସମସ୍ୟାକୁ ଦୃଢ଼ ସାହାସୀକତାର ସ‌ହ ସାମ୍ନା କରିବା ସ‌ହ ସମାଧାନ କରିଥିଲେ । ସମସ୍ୟା ସାମ୍ନାରେ ବିଚଳିତ ହେବା ପରିବର୍ତ୍ତେ ସେ ନିଜର ଆଦର୍ଶରେ ଚାଲି ଏହାକୁ ଏଡ଼ାଇପାରିଥିଲେ । ସେଇଥିପାଇଁ ସେ ମର୍ଯ୍ୟାଦାପୁରୁଷ ଭାବରେ ସମଗ୍ର ବ୍ରହ୍ମାଣ୍ଡରେ ପରିଚିତ । ପ୍ରକୃତରେ କ‌ହିବାକୁ ଗଲେ ଏହିସବୁ ସମସ୍ୟା ହିଁ ସାଧାରଣ ଲୋକଙ୍କୁ ମହାନ କରିବାରେ ସାହାଯ୍ୟ କରେ ।

ଜୀବନରେ ଗୋଟିଏ କଥାକୁ ଧ୍ୟାନ ଦେବାକୁ ହେବ ଯେ;
ଜୀବନରେ ସମସ୍ୟା ଚାହା କପ୍‌ରେ ଥିବା ଗରମ ସର ଭଳି ଆସେ ।
ଆଉ ସଫଳ ଲୋକ ସେ ହୋଇପାରିବ, ଯିଏ ସେ ଗରମ ସରକୁ ଧିରେ ଧିରେ ଫୁଙ୍କି ଚାହା ପିଇପାରିବ ।