ସ୍ୱାର୍ଥପର ଦୁନିଆ - Blogs by Sangram Keshari Senapati

Thursday, 22 June 2017

ସ୍ୱାର୍ଥପର ଦୁନିଆ

ଆମେ ମଣିଷମାନେ ବ‌ହୁତ ବଢ଼ିଆ ଲୋକମାନେ । ଆମେ ସଭିଙ୍କୁ ଅତି ଆଦର ଯତ୍ନରେ ପାଳିଥାଉ । ଏପରିକି ଆମେ ଆମ ଘରେ ଏହିଭଳି କୁକୁଡ଼ା ଚିଆଁକୁ ରଖିକି ମଧ୍ୟ ପାଳିଥାଉ । ଅତି ସ୍ନେହରେ ବି ଆମେ କେବେ କେବେ ଆମର ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ପାଳିଥାଉ । ଆମେ ପରା ମଣିଷ, ଭଗବାଙ୍କ ସୃଷ୍ଟିରେ ସବୁଠାରୁ ଅଧିକ ବଳଶାଳୀ ଆଉ ବୁଦ୍ଧିମାନ । ଆମ ପାଖରେ ତ ଅନେକ ପ୍ରକାରର ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ହୋଇଗଲାଣି, ଯାହା ଫଳରେ ଆମେ ସବୁକିଛିକୁ ସୁରୁଖୁରୁରେ କରିପାରୁଛି
। ଏମିତିକି ଆମେ ଆମର ଉପକାରୀତା ଆଉ ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାରର ଜୀବଯନ୍ତୁମାନଙ୍କୁ ମଧ୍ୟ ଆମ ବଶରେ କରି ନ‌ଚାଇପାରୁଛେ । ଏମିତିକି ଆମେ ଆମର ଫସଲରେ ସେମାନଙ୍କର ମଧ୍ୟ ଉପଯୋଗ କରିପାରୁଛେ । ଯେପରିକି ଆମେ ବଳଦମାନଙ୍କୁ ନେଇ ହଳ କରୁଛେ । ଏମିତିକି ଗାଇମାନଙ୍କର ଗୋବରକୁ ଆହୁରି ଉର୍ବର କରାଇବା ପାଇଁ ଆମେ ସେଥିରେ ଜିଆ ଛାଡ଼ୁଛେ ଆଉ ସେ ଜିଆମାନେ ଖାଇକି ବଡ଼ ହେବା ପରେ ତାକୁ ସବୁ ଏହିଭଳି କୁକୁଡ଼ାମାନଙ୍କୁ ଖୁଆଉଛେ, ଯେମିତି କୁକୁଡ଼ାମାନେ ମଧ୍ୟ ବଡ଼ ହୋଇ ଅଣ୍ଡା ଦେବେ । ସବୁଥିରେ ସେମାନେ ଆମମାନଙ୍କୁ ସାହାଯ୍ୟ କରୁଛନ୍ତି । ସେମାନେ ସେମାନଙ୍କର ଦୁଃଖ ଶୁଣେଇବାକୁ କାହାକୁ ବି ପାଆନ୍ତିନି । ସେମାନେ ଆମମାନଙ୍କୁ ସାହାଯ୍ୟ କରିବାକୁ, ଆମର ହିଁ କାମ କରିବାକୁ ଜନ୍ମ ନେଇଥାନ୍ତି ।

କୁକୁଡ଼ା ଚିଆଁଟିକୁ ଆମେ ଯେମିତି ଖୁଆଇ ପିଆଇକି ଅତି ସ୍ନେହରେ ବଡ଼ କରିଥାଉ । ସେମାନେ ମଧ୍ୟ ଅଣ୍ଡା ଦିଅନ୍ତି । ଏମିତି କିଛିଦିନ ସ୍ନେହ ଗଲା ପରା କେବେ ଆମ ଘରକୁ କେହି ବନ୍ଧୁ ଆସିଲେ ଆମେ ତାକୁ କାଟିକି ଆରାମରେ ଖାଇଦେଉ । ସେହି କୁକୁଡ଼ାଟି ବଞ୍ଚିଥିଲାବେଳେ ଅନେକ ସମୟରେ ସେ ଆମର ସାହାଯ୍ୟ କରିଥାଏ, ଏମିତିକି ମରିଯିବା ପରେ ମଧ୍ୟ ସେ ଆମକୁ ବିଭିନ୍ନ ଭିଟାମିନ ସ‌ହ ସୁସ୍ୱାଦ ମଧ୍ୟ ଦେଇଥାଏ । ସେହିପରି ବଳଦଟିଏ ତା'ର ଯୁବାବସ୍ଥାରେ ହଳ କରୁଥାଏ, ଜିନିଷ ପରିବ‌ହ‌ନ କରୁଥାଏ । ଅନେକ କାମରେ ଆମକୁ ସାହାଯ୍ୟ କରେ । ଏମିତିକି ତା'ର ଗୋବର ମଧ୍ୟ ଆମର ଜାଳେଣୀ ଭାବରେ ବ୍ୟବ‌ହାର ହେବେ ସ‌ହ ମାଟିର ଉତ୍ପାଦନ କ୍ଷମତା ବୃଦ୍ଧି କରାଇବାରେ ମଧ୍ୟ ସାହାଯ୍ୟ କରେ । କେହି କେହି ତ ତାଙ୍କର ବଳଦକୁ ବ‌ହୁତ ସ୍ନେହ କରନ୍ତି । ସେହିପରି ଗାଈଟିଏ ମଧ୍ୟ ତା'ର ଯୁବାବସ୍ଥାରେ ଖିର ଦେଇଥାଏ ଆଉ ସେତେବେଳେ ତାକୁ ମାଆ ଭାବରେ ପୂଜା କରାଯାଏ । ମାତ୍ର ସମୟ ବଦଳିବା ସ‌ହ ଧିରେ ଧିରେ ସେହି ଗାଈ କି ବଳଦଟିର ବୟସ ମଧ୍ୟ ବଢ଼ିଥାଏ । ଯୁବାବସ୍ଥାରେ କରିପାରୁଥିବା ସବୁପ୍ରକାରର କାର୍ଯ୍ୟ କରିବାରେ ସେ ଅକ୍ଷମ ହୋଇପଡ଼େ । ଏମିତିକି ସମୟ ଆସେ ଯେବେ ସେମାନଙ୍କ କଥା ବୁଝିବାକୁ କେହି ଧ୍ୟାନ ଦିଅନ୍ତିନି । ଏମିତିକି କେବେ ସେମାନେ ବାହାରେ କେଉଁଠି ରହିଲେ କି ପଡ଼ିଲେ ବୋଲି କେହି ବୁଝନ୍ତିନି ।


ଏମିତି ଥରେ ମୁଁ ଶୀତୁଆ ସକାଳରେ ଗଲାବେଳେ ଗୋଟିଏ ବଳଦଟିକୁ ଦେଖିଲି । ଆମେ ଯେତେବେଳେ ଛୋଟବେଳେ ହଡ଼ା ବଳଦର ଆତ୍ମକାହାଣୀ ଲେଖୁଥିଲୁ, ସେବେ ଯେମିତି ଅବସ୍ଥାରେ ବଳଦର ଚିତ୍ର ଅଙ୍କା ଯାଉଥିଲା, ସେହିଭଳି ଅବସ୍ଥା ହେଇଯାଇଥିଲା ସେହି ବଳଦଟିର । ଚାଲିବାକୁ ବଳ ନଥାଏ ତା'ର ଶରୀରରେ । ବ‌ହୁତ କଷ୍ଟରେ ସେ ଥରୁଥାଏ । ମାଘମାସର ସେହି ପ୍ରବଳ ଶୀତରେ ସେ ରାତିସାରା ସେଇ ରାସ୍ତାକଡ଼ ବିଲରେ ଛିଡ଼ା ହୋଇ ରହିଥିଲା । ହେଲେ ତା' କଥା ବୁଝିବାକୁ କେହି ନ ଥିଲେ । ସେଦିନ ସେ ବଳଦଟିକୁ ଦେଖିଲା ପରେ ମନେ ହେଲେ ସତେ ଯେମିତି ଏହିସବୁ ହେଉଛି ଆମର ଏହି ସୃଷ୍ଟିର ନିୟମ । ଯେବେ ଆମେ ସବୁକିଛି କରିବାର କ୍ଷମତା ରଖିଥିବା ସେବେ ଏହି ଦୁନିଆ ଆମକୁ ସତେ କେତେ ଆଦର କରିଥାଏ । ମାତ୍ର ସେହି କାର୍ଯ୍ୟ କରିବାବେଳେ ଆମ ଦ୍ୱାରା ଟିକେ ଭୁଲ୍ ହେଇଗଲେ, ମୁଣ୍ଡରେ ବସେଇଥିବା ସେହି ଲୋକମାନେ ସଙ୍ଗେ ସଙ୍ଗେ ବିରୋଧି ହୋଇଯାଆନ୍ତି । ସବୁକିଛି ଆମରି ପ୍ରକୃତିର ପୁରୁଣା ନିୟମାନୁସାରେ ଚାଲିଆସିଛେ ଆଉ ଆମେ ଖାଲି ସେ ବିଷୟରେ ହିଁ ଚର୍ଚ୍ଚା କରି ଛାଡ଼ି ଦେଉଛେ, ହେଲେ ବଦଳେଇବା ପାଇଁ ଆମକୁ ସମୂହେ ଚେଷ୍ଟା କରିବାକୁ ହେବ ।

No comments:

Post a comment