କଲେଜ ଡାଏରୀ- ୧ - Blogs by Sangram Keshari Senapati

Sunday, 17 September 2017

କଲେଜ ଡାଏରୀ- ୧


ଆଜି ବିଶ୍ୱକର୍ମା ପୂଜା ।
ସଭିଙ୍କୁ ବିଶ୍ୱକର୍ମା ପୂଜାର ଅଭିନନ୍ଦନ । ସେଇ ସମାନ ଜାଗା, ସାମାନ ଘର ଆଉ ଏଇ ଗୋଟିଏ ଜାଗାରେ, ସମାନ ଲୋକଙ୍କ ସାଙ୍ଗରେ ବିତିଗଲାଣି ଦୁଇ ବର୍ଷରୁ ଅଧିକ ସମୟ । ସମୟ ତ' କେବେ କାହାକୁ ଅପେକ୍ଷା କରେନି । ସବୁବେଳେ ଆଗକୁ ଆଗକୁ ମାଡ଼ିଚାଲେ । ତା' ସ‌ହ ତାଳ ମେଳେଇବାରେ ଯଦି କେହି ଟିକେ ଅଡ଼ୁଆରେ ପଡ଼ିଯାଏ, ସେବେ ସେ ରହିଯାଏ ପଛରେ । ରାବଣ ମଧ୍ୟ ସମୟକୁ ଅଟକାଇବାରେ ସକ୍ଷମ ହୋଇପାରିନଥିଲା, ଆମେ ବା ଅଟକେଇବୁ କେମିତି । ଆଉ ପଛକୁ ଫେରିବାର ତ ନାଁ ହିଁ ନାହିଁ ।

ଏହି ସ୍ଥାନ ଆରମ୍ଭରୁ ଯେତେ ଅଡ଼ୁଆ ଅଡ଼ୁଆ ଲାଗୁଥିଲା, ଏବେ ସେତେ ନିଜର ନିଜର ଲାଗୁଛି । ଜଣାପଡ଼ିଲାନି, କେତେବେଳେ ଦୁଇବର୍ଷ ଦୁଇଦିନ ଭଳି ଅତିବାହିତ ହୋଇଗଲା । ଆରମ୍ଭରୁ କେମିତି ଗୋଟେ ଅଜଣା ଭୟ ମାଡ଼ିବସୁଥିଲା ସତେ ଯେମିତି ଏଇ ନୂଆ ଜାଗାରେ, ନୂଆ ଘରେ । ସେତେବେଳେ ତ ସାଙ୍ଗ ହେବାକୁ କେହି ନ ଥିଲେ, ହେଲେ ଏବେ ତ' ପାଖରେ ଚରୁଥିବା ଗାଈଗୋରୁଙ୍କ ଠାରୁ ନେଇ ବୁଲା କୁକୁର ଯାଏଁ ସଭିଏଁ ଆପଣାର । ସତେ ଯେମିତି ଏହି ସବୁମାନେ ମୋତେ ସେମାନଙ୍କର ନିଜର ଭାବିନେଇଛନ୍ତି । ଭାବନ୍ତି ମୁଁ ସେମାନଙ୍କର ଘରର ଗୋଟିଏ କୋଉ ସଦସ୍ୟ ବୋଧେ । ନିଇତି ସକାଳୁ କାଉମାନେ ଆସି ଉଠାଇବାକୁ ଭୁଲୁ ନାହାନ୍ତି ଆଉ ସେମାନଙ୍କ ସ‌ହ ବି ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିଉଠିଛି । ସେମାନେ ଯେମିତି ସକାଳୁ ପ୍ରତ୍ୟହ ମୋତେ ଉଠାଇ ମୋ ସ‌ହ ସେମାନଙ୍କର ଜଳଖିଆ କରନ୍ତି । ଏମିତି କାଉ, କୋଇଲି, ବଣି ସଭିଏଁ ଏବେ ମୋର ସାଙ୍ଗ ।

ଏମାନେ ତ ରହିଲେ ଆଖପାଖର ଥିବା ଜୀବଯନ୍ତୁ । ହେଲେ ଆହୁରି ଅନେକ ଅଛନ୍ତି ମୋର ସାଙ୍ଗ । ଆମ ଫ୍ଲାଟ୍‌ରେ ରହୁଥିବା ପିଲାମାନେ । ଯେଉଁଦିନ ପ୍ରଥମ କରି ଆସିଥିଲି, ସେମାନଙ୍କ ସ‌ହ କଥା ହେବାକୁ ବି ଡର ଲାଗିଥିଲା । ସେମାନେ କେତେ ସୁନ୍ଦର ଇଂରାଜୀ ଆଉ ହିନ୍ଦୀରେ କଥା ହେଉଥିଲେ, ଆଉ ମୁଁ ଥିଲି ପୂରା ଓଡ଼ିଆ । ହିନ୍ଦୀରେ ହ ଅକ୍ଷର ବି ଜଣା ନ ଥିଲା ଆଉ ଇଂରାଜୀ କଥା ତ' ନ କ‌ହିବା ଭଲ । ହେଲେ ପ୍ରଥମ କଥାରେ ଜାଣିଲି, ସେମାନେ କେତେ ଭଲ ଆଉ କେତେ ମେଳାପି । ସେମାନେ ଓଡ଼ିଆ ପିଲାଙ୍କ ସ‌ହ କେତେ ସୁନ୍ଦର ଓଡ଼ିଆରେ କଥା ହେଇପାରୁଛନ୍ତି । ସେତେବେଳେ ଜାଣିଲି କି ସେମାନେ ବି ଓଡ଼ିଶାରୁ । ନ ହେଲେ ପ୍ରଥମରୁ ତ' ଧାରଣା ହେଇଯାଇଥିଲା କି ସେମାନେ ବୋଧେ ବାହାର ରାଜ୍ୟର କେହି ପିଲା ହୋଇଥିବେ । ଆମ ଫ୍ଲାଟ୍‌ରେ ରହୁଥିବା ଆମେ ପାଞ୍ଚଜଣ ସତେ ଯେମିତି ଗୋଟିଏ ପରିବାରର । କେହି ଯଦି ଅଜଣା ଲୋକ ଆମ ରୁମ୍‌କୁ ବୁଲିବାକୁ ଆସିବ, ତାକୁ ତ' ସେଇଆ ହିଁ ଲାଗିବ । ସେ କେବେ ଭାବିପାରିବନି ଯେ ଆମେ ସବୁ ଅଲଗା ଅଲଗା ଜାଗାରୁ ବୋଲି ।

କଲେଜର ଗଲା ଦୁଇବର୍ଷ ଭିତରେ କେବେ ବିଶ୍ୱକର୍ମାପୂଜାରେ ମୁଁ ଯାଇନାହିଁ । କେମିତି ବା ଯାଇଥାନ୍ତି, ଘରର ମୋହ ତ ମୋ ପ୍ରତି ସବୁଠୁ ଅଧିକ । ପ୍ରଥମ ବର୍ଷରେ ତ ଦୁଇ ଦିନ ଛୁଟି ମିଳିଗଲେ କେମିତି ଘରକୁ ଯିବି ବାଟ ପାଉ ନ ଥିଲି ଆଉ ସେହି ଘର ପ୍ରେମଟା ବି ୨ୟ ବର୍ଷର ଅଧାଯାଏଁ ସେମିତି ବାନ୍ଧି ହୋଇ ରହିଥିଲା । କଲେଜ ସିନା ଦୁଇଦିନ ଛୁଟି ଦେଉଥିଲା, ହେଲେ ମୋତେ ତ ଯିବା ଆସିବାରେ ଦୁଇଦିନରୁ ଅଧିକ ସମୟ ଲାଗିଯାଏ । ଏଇଠୁ ତ ଘର ୬୫୦ କିଲୋମିଟରରୁ ଅଧିକ ହେବ, ଅଳ୍ପ ସମୟରେ ପ‌ହ‌ଞ୍ଚିବି ବା କେମିତି । ତ‌ଥାପି ମୁଁ ସେଇ ଦୁଇଦିନ ଛୁଟିରେ ବି ଘରକୁ ୧୦-୧୫ ଦିନିଆ ଯାତ୍ରା ଗୋଟିଏ କରିଦିଏ । ଘରେ ପ‌ହ‌ଞ୍ଚିବା ପରେ କ'ଣ କେହି ଘର ଛାଡ଼ିକି ଆସିବାକୁ ଇଚ୍ଛା କରେ, ମୁଁ ଭଲା ସେଥିରୁ ବାଦ୍ ପଡ଼ିଥାନ୍ତି କେମିତି । ଆଜି ୩ୟ ବର୍ଷରେ ପ୍ରଥମଥର ପାଇଁ ବିଶ୍ୱକର୍ମା ପୂଜାରେ କଲେଜକୁ ଯିବି । ଏଇଥର ବି ଯାଇ ପାରି ନ ଥାନ୍ତି, ହେଲେ ଗଣେଶ ପୂଜାଟା ଏଇ ମାତ୍ର ୧୫ ଦିନ ଆଗରୁ ସରିଚି, ଆଉ ମୁଁ ସେଇ ସମୟରେ ଘରକୁ ଯାଇଥିଲି, ସେଇଥିପାଇଁ ଏଇଥର ବିଶ୍ୱକର୍ମା ପୂଜାରେ ଏଇଠି ରହିଯାଇଛି ।

ସକାଳୁ ସକାଳୁ ଆଉ ଗୋଟିଏ ସାଙ୍ଗ ସ‌ହ ବାହାରି ପଡ଼ିଲି କଲେଜକୁ । ଆମମାନଙ୍କର ସକାଳ କ‌ହିଲେ ସେଇ ୯ଟା ପରକୁ ବୁଝାଏ । ଯେତେବେଳେ ସିନା ଛୋଟ ଥିଲୁ, ସେତେବେଳେ ସକାଳ କ‌ହିଲୁ ୫ଟା ରୁ ୬ଟାକୁ ବୁଝାଉଥିଲା, ହେଲେ ଏବେ ତ' ସକାଳ କ‌ହିଲେ ଅତିକମ୍‌ରେ ଆଠଟାରୁ ସାଡ଼େ ଆଠଟା । ତ‌ଥାପି ବାହାରିକି ଗଲାପରେ କଲେଜର ପ୍ରଥମ ବସ୍‌ରେ ଗଲୁ । ଇଞ୍ଜିନିୟରିଂ କଲେଜ ମାନେ, ବିଶ୍ୱକର୍ମାପୂଜାଟା ବଡ଼ ଆଡ଼ମ୍ବର ସ‌ହକାରେ ପାଳନ କରାଯାଏ । ବେଶି ପିଲା ପ୍ରାୟ ଆସିନ୍ତିନି । ଗଲା ଦୁଇବର୍ଷ ହେଲାଣି ବିଶ୍ୱକର୍ମା ପୂଜା ବି ଗଣେଶ ପୂଜା ପାଖାପାଖି ପଡ଼ୁଚି ଆଉ ତା' ସାଙ୍ଗକୁ ନୂଆଖାଇ ବି । ସବୁଛୁଟି ଆଉ ନିଜେ ବି ଦୁଇ ତିନୋଟି କ୍ଲାସରୁ ଛୁଟି ମାରିଦେଲେ ମିଶେଇକି ଘରକୁ ଯିବା ପାଇଁ ସୁଯୋଗଟିଏ ପ୍ରାୟ ସଭିଙ୍କୁ ମିଳିଯାଏ । ହେଲେ ଏଇଥର ବିଶ୍ୱକର୍ମାପୂଜା ବିଳମ୍ବରେ ପଡ଼ିବାରୁ ଆଉ ସେତେ ପିଲା ଘରକୁ ବି ଯାଇନାହାନ୍ତି । ତ‌ଥାପି କିଛି ପିଲା ଆସିଥିଲେ । ଆଉ ପ୍ରାୟ ଅଧିକାଂଶ ପିଲାଙ୍କର ଆସିବାର ବିଳମ୍ବ ହିଁ ହୁଏ । ପୂଜା ପାଇଁ ଆସିବା ଆଗରୁ ଅନେକ ସଜେଇ ହୋଇ ଆସିବାକୁ ପଡ଼ିବ । ତା'ର କାରଣ‌ଟା ବି ପ୍ରାୟ ସବୁ ଅନୁମାନ କରିପାରୁଥିବେ । ସେଇଥିପାଇଁ ବାକିତକ ପାଞ୍ଚ ଛଅଟି ବସ ଆସିବାକୁ ଅଧିକ ସମୟ ଲାଗିଲା ।

ଆମେ ସେହି ସମୟରେ କ'ଣ ବା ଆଉ କରିଥାନ୍ତୁ । ମୋର ଆଉ ଦୁଇଟି ସାଙ୍ଗଙ୍କ ସ‌ହ ଟିକେ କଲେଜ ପଛପଟେ ଥିବା ସେଇ ରେଳଧାରଣ ଆଉ ଆଖପାଖ ଛୋଟିଆ ଭଙ୍ଗା ପାହାଡ଼ ଉପରେ ଚଢ଼ିବାର ଯୋଜନାଟିଏ କଲୁ । ଆମ କଲେଜକୁ ଲାଗିକି ପଛପଟରେ ରେଳଧାରଣ‌ଟିଏ ଯାଇଛି । ମାତ୍ର ସେହି ରେଳ ଧାରଣା ଏବେ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ସବୁ କାମ ପ୍ରାୟ ଶେଷ ହୋଇଗଲାଣି, ଖାଲି ଯାହା ଚକ ଗଡ଼ିବାକୁ ଅପେକ୍ଷା । ଆଉ ତା' ପଛକୁ ଥିଲା ଗୋଟେ ଛୋଟ ପାହାଡ଼ । କିଛିବର୍ଷ ତଳେ ସେହି ପାହାଡ଼ଟିକୁ ଭାଙ୍ଗି ପଥରସବୁକୁ ଏହି ରେଳ ଧାରଣ କାର୍ଯ୍ୟରେ ଲଗାଇଦିଆଯାଇଛି, ତ‌ଥାପି ସେହି ପାହଡ଼ଟି ଆହୁରି ବଞ୍ଚିଚି । ଆହୁରି ରହିଯାଇଛି କିଛି କିଛି ପଥର । ଅନ୍ୟଦିନମାନଙ୍କରେ ସେହି ପାହାଡ଼ଟି ପାଖକୁ ବେଶ କିଛି ଆଖପାଖର ଲୋକ ଆସନ୍ତି । ସେମାନେ ସେହି ସ୍ଥାନରେ ପଡ଼ିରହିଥିବା କିଛି ଛୋଟ ଛୋଟ ପଥରଗୁଡ଼ିକୁ (ରାସ୍ତା କାମରେ ଲାଗୁଥିବା ବୋଲ୍‌ଡର୍) ସାଉଁଣ୍ଟି ନେଇଥାନ୍ତି କିଛି କାର୍ଯ୍ୟରେ ଲଗେଇବା ପାଇଁ । ଏବେ ଆଉ ସେହି ପାହାଡ଼ରେ ପଥର ଭଙ୍ଗା ହେଉନି କି ସେମିତି ବିଷ୍ଫୋରଣ କରି ପଥର ଆଉ ଫଟାଯାଉନି । ତ‌ଥାପି କିଛି ଛୋଟବଡ଼ ପଥର ରହିଯାଇଛି ସେଇଠାରେ । ଏମିତିକି କେଉଁଠି ଟିକେ ଅଧିକ ପଥର ଭଙ୍ଗା ହୋଇଯାଇଛି ଯେ, ସେଇଠି ବର୍ଷାଦିନିଆ ପାଣି ଜମିଯାଇଛି । ଆଉ କେଉଁଠି ଟିକେ ଟିକେ ପାହାଡ଼ର ଉଚ୍ଚା ଉଚ୍ଚା ପଥର ବଳିପଡ଼ିଛି, ଯାହାକି ଛୋଟକାଟିଆ ପାହାଡ଼ ପରି ଦୃଶ୍ୟମାନ ହେଉଛି । ଅବଶ୍ୟ ମୁଁ ଆଗରୁ ଥରେ ସେଇ ପଟେ ଯାଇଥିଲି, ସେଇ ସମୟରେ ଗୀଷ୍ମଋତୁ ଚାଲିଥିଲା ଆଉ ସେହି ଭଙ୍ଗା ପଥରଖଣ୍ଡା ସାଙ୍ଗକୁ ସେଠାରେ ସୃଷ୍ଟ ଖାଲ ସବୁ ଆଗରୁ ନ‌ଜରରେ ଆସିନଥିଲା । ତ‌ଥାପି କେବେ ବର୍ଷାଦିନିଆ ସେଇପଟେ ଯାଇନଥିବାରୁ ସବୁ ମିଶି ବାହରିପଡ଼ିଲୁ । ରେଳଧାରଣା ପାର୍ ହେଇ ସେଇଠି ପ‌ହ‌ଞ୍ଚିଲୁ । ବର୍ଷାଦିନ ପାଇଁ ସେଇସବୁ ଖାଲଗୁଡ଼ିକରେ ପାଣି ଭରି ହୋଇ ରହିଥିଲା । ତା'ର ଟିକେ ଆଗକୁ ଗଲୁ, ସେଠାରେ ଛୋଟ ଛୋଟ ଗଛ ସବୁ ଅତି ସୁନ୍ଦର ଲାଗୁଥିଲା । ଆଉ ସେଇ ଆଖାପାଖରେ ଗାଈଆଳମାନେ ଗୋଠ କରି ଗାଈ ଚରାଉଥିଲେ । ମୁଁ ଖାଲି ବ‌ହିରେ ଏମିତି ଗୋଠ କରି ଗାଈ ଚାରାଇବାର ଦୃଶ୍ୟ ଦେଇଥିଲି ଆଉ ପଢ଼ିଥିଲି ।

ହେଲେ ପ୍ରଥମ କରି ଏଇଠି ସ୍ୱଚକ୍ଷୁରେ ଦେଖିଲି ସେ ଦୃଶ୍ୟ । ଗାଈଆଳ ଲୋକଟି ବର୍ଷାରୁ ରକ୍ଷା ପାଇବା କାଖରେ ଜାକିଥାଏ କାଠବେଣ୍ଟ ବାଲା ଛତାଟିଏ । ପାଖାପାଖି ୫୦ ଗାଈବଳଦ ଥିଲେ ତା'ର ସେଇ ଗୋଠଟିରେ । ସେମାନଙ୍କୁ ସବୁ ନିୟନ୍ତ୍ରଣ କରିବା ପାଇଁ ଠେଙ୍ଗାଟିଏ ତ' ଦରକାର ହେବ । ଯଦି କାଳେ କିଏ ତା' ନିୟନ୍ତ୍ରଣରୁ ବାହାରିଯିବ, ସେବେ ତାକୁ ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦରକାରୀ ଠେଙ୍ଗାଟି ସେ ହାତରେ ଧରିଥାଏ । ଯେମିତି ଛୋଟ ହାତୀଟିକୁ ଲୁହା ଶିକୁଳୀରେ ବାନ୍ଧିଦେଲେ ସେ ବଡ଼ ହୋଇ ସେହି ଶିଳୁଳୀକୁ ଛିଣ୍ଡାଇବାର କ୍ଷମତା ରଖି ମଧ୍ୟ ତାକୁ ଛିଣ୍ଡାଏ ନାହିଁ । ସେହିଭଳି ସେ ଗାଈଗାଳ ହାତରେ ଥିବା ବାଡ଼ିଟି ମଧ୍ୟ । ଗାଈମାନଙ୍କୁ ଜଣାଥାଏ ସେହି ବାଡ଼ିଟିରେ ସେ ଲୋକଟି କ'ଣ କରିପାରିବ, ସେଇଥିପାଇଁ ସେ ଭୟରେ ଗୋଠ ଭାଙ୍ଗିବାକୁ କି ଅମାନିଆ ହେବାର ସାହାସ ବି କରନ୍ତିନି । ଗାଈଆଳ ଲୋକଟି ସେହି ପାଖ ଗାଁ ବୋଲି ବୋଲି କ‌ହିଲା । ଏତେଦିନ ସିନା ଏଇ ଜାଗାରେ ରହିଲୁଣି, ହେଲେ ଏବେଯାଏଁ ଏଠିକାର ଭାଷା ଆମେ ପୂରା ବୁଝିପାରିଲୁ ନାହିଁ । ସେଇଥିପାଇଁ ସେ ଲୋକଟି ତା'ର ଗାଁ ନାଁ କ'ଣ କ‌ହିଲା ଆମେ ଠିକ୍‌ରେ ବୁଝିପାରିଲୁନି । ହେଲେ ସେ ନିର୍ଦ୍ଦେଶ କରି ଦେଖେଇଦେଲେ ଦେଲା ତା'ର ଗାଁ ଆଡ଼େ । ସୁନ୍ଦର ପାହାଡ଼ ଭିତରେ ସତେ ଯେମିତି ସେହି ଗାଁଟିକୁ ଢାଙ୍କି ରଖିଥିଲା ସୁନ୍ଦର ସବୁଯିମା ସବୁ । ଗଛ ଉହାଡ଼ରେ ସତେ ଯେମିତି ସୁରକ୍ଷିତ ମନେ କରୁଥିଲା ଦୂରେ ଦିଶୁଥିବା ସେହି ଗାଆଁଟି ।

ସେହି ଲୋକଟି ସ‌ହ କିଛି ସମୟ କଥା ହେଲା ପରେ ଆଉ ପାଖରେ ପ୍ରକୃତିର ସେହି ଅପରୂପ ସୌନ୍ଦର୍ଯ୍ୟକୁ ବେଶ କିଛି କ୍ଷଣ ଉପଭୋଗ କରିବା ପରେ ଆମେ ପୁଣି ଫେରିଆସିଲୁ ଆମ କଲେଜ ପରିସରକୁ । ସେତେବେଳକୁ ପ୍ରାୟଃ ସବୁ ପିଲାମାନେ ଆସିଗଲେଣି । ହେଲେ ବଡ଼ଭାଇମାନେ, ଯେଉଁମାନେ କାଲି ରାତିରୁ ପୂଜା ପାଇଁ ଲାଗିଥିଲେ, ସେମାନେ ଏବେ ପୁଣିଥରେ ସେମାନଙ୍କର ରୁମ୍‌କୁ ଯାଇଛନ୍ତି ଗାଧୁଆପାଧୁଆ ସାରି ଫେରିବାକୁ । ଅପେକ୍ଷା ଖାଲି ସେମାନଙ୍କୁ ଆଉ ଆମର ପୂଜକ ମହୋଦୟଙ୍କୁ । ଏବେ ଗଣେଶ ପୂଜା ହେଉ କି ସରସ୍ୱତୀ ପୂଜା, ପୂଜକ ଖୋଜିବା ଭାରି କଷ୍ଟ । ବିଶ୍ୱକର୍ମା ପୂଜା ବି କେଉଁ ସରସ୍ୱତୀ କି ଗଣେଶ ପୂଜାଠାରୁ କମ ନୁହେଁ । କାହାର ଗାଡ଼ିପୂଜା ପାଇଁ ପୂଜକ ଲୋଡ଼ା ତ' ପୁଣି କାହାର ଘରେ ପୂଜା କରିବା ପାଇଁ ଲୋଡ଼ା ପୂଜକଙ୍କର । ସେଇଥିପାଇଁ ପୂଜକ ମହୋଦୟଙ୍କର ଆଗମନ ବିଳମ୍ବ ହେବା ସ୍ୱଭାବିକ । ତା' ଛଡ଼ା ସେ ବି ଜାଣିଛନ୍ତି, ଇଞ୍ଜିନିୟରିଂ ପିଲା ବି ସ‌ହଳ ଆସିବା କଷ୍ଟ । ସେଇଥିପାଇଁ ସେ ସବୁ ପୂଜାର ଶେଷର ରଖିଥାନ୍ତି ଆମ ତାଲିକା ।

ଏବେ ସଜାସଜି କାର୍ଯ୍ୟସବୁ ଶେଷ ହୋଇଯାଇଛି । ଆମର ସାଙ୍ଗମାନେ ଆଉ କିଛି ବଡ଼ ଦିଦିମାନେ ମିଶି ବ‌ହୁତ ଆକର୍ଷଣୀୟ ମୁରୁଜ ବି ପକେଇଛନ୍ତି । ଏବେ ତ' ସବୁକିଛି କାର୍ଯ୍ୟରେ ମୁରୁଜ କାର୍ଯ୍ୟକ୍ରମଟା ପ୍ରଥମେ ଲୋଡ଼ା ହେଲାଣି । କିଏ କେତେ ସୁନ୍ଦର ମୁରୁଜ ପକାଇପାରିବେ, ତା'କୁ ନେଇ ବି ଚାଲୁଛି ପ୍ରତିଯୋଗୀତା । ସେମାନେ ମଧ୍ୟ ଦୁଇଟି ଆକର୍ଷଣୀୟ ମୁରୁଜ ପକାଇଛନ୍ତି । ଗୋଟିଏ କଲେଜ ମୁଖ୍ୟ ଦ୍ୱାର ସାମ୍ନାରେ ଆଉ ଗୋଟିଏ ପୁଣି ପୂଜା ହେଉଥିବା ପରିସରରେ । ଉଭୟ ମୁରୁଜକୁ ତୁଳନା କରିବାର କ୍ଷମତା କ'ଣ କେହି ସାହାସ ବି କରିବେନି । ଦୁଇଟି ବ‌ହୁତ ଆକର୍ଷଣୀୟ ହୋଇଥିଲା । ତା' ସ‌ହ ପୂଜା ଘରଟି କେତେ ସୁନ୍ଦରରୂପେ ସଜେଇଥିଲେ ସେମାନେ । କଲେଜରେ ସବୁଠୁ ବଡ଼ପୂଜା ଆଉ ସେଥିରେ ବା ଏତେ ଭଲରେ ସଜା ନ ଯିବ କେମିତି । ଭଳିକି ଭଳି ଆଲୋକମାଳା ସାଙ୍ଗକୁ ସେହି ପୂଜାଗୃହଟି ସୁସଜ୍ଜିତ ଫୁଲର ବାସରେ ଫୁଟି ଉଠୁଥିଲା । ଅବଶ୍ୟ ଆମର ବାହାର ଜାଗାମାନଙ୍କରେ ପାଳନ ହେଉଥିବା ପୂଜା ପରି ଏତେ ବଡ଼ ତ୍ୱରଣ କରାଯାଏନି, ସେତେ ଆଲୋକମାଳା ଲଗାଯାଏନି । ଆମେ ଆମ ଅନୁସାରେ ପାଳନ କରିଥାଉ ପୂଜା ।

ଆସ୍ଥାନରେ ବିଗ୍ରହ ବି ପ୍ରତିଷ୍ଠା ହୋଇସାରିଲାଣି । ଖାଲି ଅପେକ୍ଷା ଆମ ପୂଜକ ମହୋଦୟଙ୍କୁ । ସେ ଆସିଲେ ଆରମ୍ଭ ହେବ ପୂଜା ଆଉ ମୋର ହେବ ପ୍ରଥମ ଅନୁଭୂତି । ପୂଜାଘର ଭିତରେ ବୁଲି ଦେଖିସାରିଲା ପରେ ଆମେ ତିନିଜଣ ଆଉ କ'ଣ କରିବା ଭାବି ଟିକେ ଏଣେତେଣେ ବୁଲିଲୁ । ଆମ କଲେଜରେ ତ' ବସିବା ପାଇଁ ସେମିତି କିଛି ବିଶେଷ ସୁବିଧା ନାହିଁ । ସେହି ପାଠାଗାର ନ ହେଲେ ଶ୍ରେଣୀଗୃହ । ସବୁଦିନେ ସେଇଯାଗାରେ ବସି ବସି କ'ଣ କିଏ ଅବା ଏଇ ପୂଜାରେ ସେଇଠି ବସନ୍ତା କି । ଅନ୍ୟ ପିଲାମାନେ ବି ଦଳଦଳ ହୋଇ ବୁଲୁଛନ୍ତି ଚାରିଆଡ଼େ । ପୂଜା ପାଇଁ ସେତେ ବି ଅଧିକ ପିଲା ଆସିନାହାନ୍ତି । ମାତ୍ର ୩୦ପ୍ରତିଶତ ପିଲା ଆସିଥିଲେ । ଆମ କଲେଜର ହଷ୍ଟେଲ ସୁବିଧା ନାହିଁ, ସେଇଥିପାଇଁ ଅଧିକାଂଶ ପିଲା ଆସିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ବୋଧେ । ଏମିତି ବୁଲୁବୁଲୁ ଏଣୁତେଣୁ କଥା ହେଉ ହେଉ ମୋ ଆଖି କିନ୍ତୁ ଲାଖିଗଲା କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗରେ ।


କ୍ରମଶଃ.....





It's a series of stories. I've titled as College Diary, because the story is based on a college love story. It's the story of one guy who is reading in an engineering college. He is describing his daily life and it would continue like a diary.

This is the first day of his describing the story. On the first day, he described to his roommates, some of his college life, and some relationships with the friends. The next part of the story would come in the near future.


No comments:

Post a comment