Blogs by Sangram Keshari Senapati

Thursday, 15 October 2015

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

Sangram Keshari Senapati October 15, 2015 0
ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ
"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"

ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ । “ବିଦ୍ୟା ଦ‌ଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସ‌ହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବ‌ହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବ‌ହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନ‌ଜର ପକାଇବା ।

ପିଲାଟିଏ ଟିକେ ଟିକେ କଥା କ‌ହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍‌ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍‌ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କ‌ହିବା ମନା, କେବଳ ଇଂରାଜୀରେ କ‌ଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କ‌ହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେ‌ହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବ‌ହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବ‌ହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ।

ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କ‌ହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍‌ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍‌ରେ କ‌ହିପାରନ୍ତିନି ।

ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବ‌‌ହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କ‌ହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।

ଏହି ସବୁ କଥା କ‌ହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।

Thursday, 17 September 2015

ଗଣେଶ ପୂଜା

Sangram Keshari Senapati September 17, 2015 0
ଗଣେଶ ପୂଜା
 
ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦମ୍ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତ‌ୟେ ନମୋଃ ।।
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ।
ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା ।।

Saturday, 5 September 2015

ଗୁର ଓ ଗୁରୁଦିବସ

Sangram Keshari Senapati September 05, 2015 0
ଗୁର ଓ ଗୁରୁଦିବସ
ଗୁର ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ‌ବ୍ରହ୍ମ ତ‌ତ୍‌ମେଶ୍ରୀ ଗୁରବେ ନମଃ ।
ଗୁରୁ ହେଉଛନ୍ତି ସେ ଯେ କି’ ‘ଗୁ’ ଅର୍ଥାତ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କି ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି । ଗୁରୁଙ୍କୁ ବ୍ରହ୍ମାଙ୍କ ସ‌ହିତ ତୁଳନା କରାଯାଇଛି କାରଣ ଗୁରୁ ହିଁ ସୃଷ୍ଟି କରନ୍ତି । ଗୁରୁ ହେଉଛନ୍ତି ବିଷ୍ଣୁ କାରଣ ସେ ଏ ଜଗତକୁ ପାଳନ କରିବା ନିମିତ୍ତ ଉତ୍ତମ ଜ୍ଞାନ ପ୍ରଦାନ କରିଥାନ୍ତି । ଗୁରୁ ସାକ୍ଷାତ ଦେବ ରୂପୀ ମହେଶ୍ୱର ତ‌ଥା ସଂହାର କର୍ତ୍ତା ଶିବସ୍ୱରୂପା କାରଣ ସେ ନିଜର ଜ୍ଞାନରେ କୁସଂସ୍କାର ଓ ଅଜ୍ଞାନତାକୁ ସଂହାର କରି ଏକ ନୂତନ ସମାଜର ସ୍ୱପ୍ନ ଦେଖାଇଥାନ୍ତି । ଗୁରୁଙ୍କୁ ସ୍ୱୟଂ ପରଂବ୍ରହ୍ମଙ୍କ ସ‌ହ ତୁଳନା କରାଯାଇଛି କାରଣ ଗୁରୁ ହିଁ ହେଉଛନ୍ତି ସକଳ ଶକ୍ତିର ଆଧାର ଗୁରୁ ହିଁ ସବୁର ମୂଳ, ଗୁରୁଙ୍କ ବିନା ଏ ସୃଷ୍ଟି ଆଉ ଏ ସମାଜ ଚାଲିବା ଅସମ୍ଭବ ।

ଗୁରୁ ହେଉଛନ୍ତି ସେ ଯେ କି ଆମର କୌଣସି ଅଜ୍ଞାନତାକୁ ଦୂର କରି ଆମକୁ ନୂତନ ଜ୍ଞାନ ତ‌ଥା ଶିକ୍ଷା ପ୍ରଦାନ କରନ୍ତି । ସେ ବିଦ୍ୟାଳୟର ଶିକ୍ଷକ ହୁଅନ୍ତୁ, କି ପୁଣି ନିଜର ସ‌ହପାଠୀ କିମ୍ବା ନିଜ ଠାରୁ ବଡ଼ ତ‌ଥା ସାନ କେହି ବି । ଆମର ଏ ପ୍ରକୃତି ଅନେକ ବସ୍ତୁ ତ‌ଥା ଅନେକ ଶିକ୍ଷଣୀୟ ଜିନିଷରେ ପରିପୂର୍ଣ୍ଣ ହୋଇରହିଛି ଯାହାଠାରୁ ଆମକୁ ଅନେକ କିଛି ଶିଖିବାକୁ ମିଳୁଛି ଯାହାଦ୍ୱାରା ଆମର ଜ୍ଞାନର ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ଆମେ ଯଦି କାହାଠାରୁ କିଛି ଶିକ୍ଷା କରି ତାଙ୍କୁ ଗୁରୁର ସମ୍ମାନ ନ ଦେଉ ତା’ହେଲେ ସେ ଶିକ୍ଷାର ପ୍ରକୃତ ଫଳ ଆମ୍ଭକୁ ପ୍ରାପ୍ତ ହୁଏ ନାହିଁ, ଏହି କଥା ଆମେ ଗୁରୁଭକ୍ତି ବିଷୟରେ ଥିବା ମହର୍ଷି ବ୍ୟାସଦେବ ଆଉ ବନବାସୀ ବାଳକ ବିଷୟରୁ ଜାଣିଛେ ।

ଗୁରୁଦିବସ ୧୯୬୨ ମସିହାରୁ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇବାର୍ଥେ ବିଦ୍ୟାର୍ଥୀମାନେ ପାଳନ କରିଆସୁଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଉଅଛି । ସେ ମଧ୍ୟ ଜଣେ ମହାନ ଦାର୍ଶନିକ ଥିଲେ । ତାଙ୍କର ମତ ଅନୁସାରେ ଗୁରୁଙ୍କୁ ଉଚିତ ସମ୍ମାନ ନ ମିଳିଲେ ଗୁରୁଙ୍କ ପ୍ରଦତ୍ତ ଶିକ୍ଷା ମୂଲ୍ୟହୀନ ହୋଇଥାଏ । କାହାକୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ ନିଜର ଗୁରୁଙ୍କୁ ଉଚିତ୍ ସମ୍ମାନ ଦେବା ଆବଶ୍ୟକ ।

ମହାଭାରତରେ ଏକଲବ୍ୟ ଗୁରୁ ଦକ୍ଷିଣା ସ୍ୱରୂପ ନିଜର ଆଙ୍ଗୁଠି ପ୍ରଦାନ କରି ନିଜର ନିସ୍ୱାର୍ଥପର ଗୁରୁଭକ୍ତିର ପରିଚୟ ଦେଇଥିଲେ । ଗୁରୁ ଅନ୍ଧକାର ମଧ୍ୟରେ ଆଲୋକ ପ୍ରଦାନ କରୁଥିବାରୁ ଗୁରୁମାନଙ୍କର ସ୍ଥାନ ସର୍ବାଗ୍ରେ ।

ଆଜି କିନ୍ତୁ ଗୁରୁମାନଙ୍କୁ ସେ ସମ୍ମାନ ମିଳୁନି କି ସେ ସ୍ଥାନରେ ଗୁରୁମାନେ ନାହାନ୍ତି । ଗୁରୁମାନଙ୍କୁ ସମ୍ମାନ କେବଳ ଗୁରୁଦିବସରେ ଲୋକଦେଖାଣିଆ ପରି ଦିଆଯାଉଛି ପ୍ରକୃତ ସମ୍ମାନ କେହି ବି ଦେଉନାହାନ୍ତି । ଶିକ୍ଷକମାନେ ଆଜି ନିଜର ଜୀବନକୁ ଚଳାଇବାକୁ ସଂଘର୍ଷ କରୁଛନ୍ତି ତ ପୁଣି କେଉଁଠି ନିଜର ସ୍ୱାର୍ଥ ହାସଲ କରିବାରେ ଲାଗିପଡ଼ିଛନ୍ତି । ଶିକ୍ଷାର ମାନ ସବୁବେଳେ ଶିକ୍ଷକଙ୍କ ଉପରେ ନିର୍ଭର କରେ କିନ୍ତୁ ଶିକ୍ଷକମାନେ ତାହାକୁ ସେହିପରି ମାନ ଦେଉନାହାନ୍ତି ଆଉ ଯଦିବା କେହି ଦେବାକୁ ଚାହୁଁଛନ୍ତି ତାଙ୍କୁ ସ‌ହଯୋଗ ମିଳୁନି ।

ଆଜିର ସମାଜରେ ଶିକ୍ଷାକୁ ରାଜନିତୀ ଭିତ୍ତିକ କରି ଶିକ୍ଷାକୁ ନିମ୍ନ‌ଗାମୀ କରାଇବେ ସମସ୍ତେ ଲାଗିପଡ଼ିଛନ୍ତି । ଏଇ ଗୁରୁଦିବସରେ ସଭିଙ୍କୁ ଅନୁରୋଧ ସେମାନେ ଶିକ୍ଷା ଓ ଶିକ୍ଷକଙ୍କୁ ସେମାନଙ୍କର ସ୍ଥାନ ପ୍ରଦାନ କରନ୍ତୁ ଏବଂ ଶିକ୍ଷକମାନଙ୍କୁ ଏତିକି ଅନୁରୋଧ ସେମାନେ ଶିକ୍ଷାକୁ ଏଭଳି ଏକ ସ୍ଥାନରେ ପ‌ହଞ୍ଚାନ୍ତୁ ଯେମିତିକି ତାଙ୍କୁ ସମ୍ମାନ ଖୋଜିବାକୁ ପଡ଼ିବନି ଆପେ ଆପେ ମିଳିବ ।

Saturday, 15 August 2015

ସ୍ୱାଧୀନ ଭାରତ ଓ ସ୍ୱାଧୀନତା ଦିବସ

Sangram Keshari Senapati August 15, 2015 0
ସ୍ୱାଧୀନ ଭାରତ ଓ ସ୍ୱାଧୀନତା ଦିବସ
ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ବି ଅଗଷ୍ଟ ପନ୍ଦରରେ ସାରା ଭାରତ ବର୍ଷ ପାଳନ କରୁଛି ସ୍ୱାଧୀନତା ଦିବସ । ଆମେ ସମସ୍ତେ ଛୋଟବେଳୁ ଗୋଟିଏ କଥା ଶୁଣିଆସିଛୁ କି' ଭାରତକୁ ଇଂରେଜମାନେ ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ସ୍ୱାଧୀନତା ଦେଇଥିଲେ, ଆଉ ତାଙ୍କ ଅଧିନରୁ ଭାରତ ଓ ଭାରତୀୟ ମୁକ୍ତ ହୋଇଥିଲେ । ସେମାନେ ସବୁଦିନ ପାଇଁ ତାଙ୍କ ଦେଶକୁ ଫେରିଯାଇଥିଲେ ଆଉ ସେମାନଙ୍କୁ ବିରୋଧ କରି ହେଉଥିବା ସଭା, ଶୋଭାଯାତ୍ରା, ଆନ୍ଦୋଳନର ଶେଷ ହେଲା । ପରବର୍ତ୍ତୀ ସମୟରେ ଭାରତରେ ଗଣତନ୍ତ୍ର ତ‌ଥା ଲୋକ ପ୍ରତିନିଧିମାନଙ୍କର ଶାସନ ଆରମ୍ଭ ହେଲା ।

ଆଜି ହେଉଛି ସେଇ ସ୍ୱାଧୀନତାର ଦିନ, ଆମେ ଗର୍ବର ସହ କ‌ହୁ କି “ଆମେ ସ୍ୱାଧୀନ ଭାରତର ନାଗରିକ” । ହେଲେ ଆମେ ଥରୁଟିଏ ଭାବିଛନ୍ତି କି ଆମେ କେତେ ସ୍ୱାଧୀନ? ଆଜି ଆମେ କ’ଣ ସତରେ ଏକ ସ୍ୱାଧୀନ ଦେଶରେ ରହୁଛୁ ନା ଖାଲି କାଗଜପତ୍ରରେ ସ୍ୱାଧୀନ ଅଛୁ? ପ୍ରକୃତ ସ୍ୱାଧୀନତାର ଅର୍ଥ କ’ଣ? ତାହା ଆମେ କେବେ ଚିନ୍ତା କରୁନା । କାହିଁକି ବା ଚିନ୍ତା କରିବୁ ଆମେ ତ ଖୁସିରେ ଅଛୁ ନା । ଏମିତି ଯଦି ଭାବିଥାନ୍ତେ ଆମର ସେହି ପୂର୍ବ ସ୍ୱାଧୀନତା ସଂଗ୍ରାମୀଗଣ ତେବେ କ’ଣ ଇଂରେଜମାନେ ସତରେ ଯାଇଥାନ୍ତେ ନା ଏ ଭାରତ ବର୍ଷ ତାଙ୍କ ଅଧିନରୁ ମୁକ୍ତ ହେଇଥାନ୍ତା ।

ଆମେ ମାନେ ଖାଲି ନାମକୁ ମାତ୍ର ସ୍ୱାଧୀନ ବୋଲି ଭାବୁଛୁ, ହେଲେ ଏବେ ଅଧିକ କ’ଣ ଆମ ପାଖରେ ଅଛି? କିଛି ନାହିଁ । ଯାହା ସେତେବେଳର ଥିଲା, ତାହା ହିଁ ସେମିତି ଅଛି ଖାଲି ଫରକ ଏତିକି ଯେ ସେତେବେଳେ ବାହାର ଦେଶର ଲୋକମାନେ ଲୁଟିକି ସେମାନଙ୍କ ଦେଶକୁ ନେଉଥିଲେ ଆଉ ଏବେ ଆମ ନିଜ ଦେଶର କିଛି ପୁରୁଖା ନେତାମାନେ ଲୁଟିକି ବାହାରା ଦେଶକୁ ନେଉଛନ୍ତି ଆଉ ବାହର ଦେଶର ଉନ୍ନତିରେ ସାହାଯ୍ୟ କରୁଛନ୍ତି । ଆଗରୁ ଆଇନ ଅମାନ୍ୟ ଅନ୍ଦୋଳନ ହେଉଥିଲା ଇଂରେଜମାନଙ୍କ ବିରୋଧରେ ଆଉ ଏବେ ହେଉଛି ନିଜ ଦେଶର ସରକାରଙ୍କ ବିରୋଧରେ । ପୂର୍ବେ ଇଂରେଜ ସରକାର ବିରୋଧରେ ଅୟୋଜନ କରାଯାଉଥିଲା ବଡ଼ ବଡ଼ ସଭା ସମିତି ଆଉ ଆଜି ବି ସେହିପରି ଭାବରେ ଆୟୋଜନ ହେଉଛି ସଭା ସମିତି । କେତେବେଳେ ସରକାରୀ ଦଳକୁ ବିରୋଧ କରି ବିରୋଧିଦଳ ସଭା କଲେଣି ତ କେତେବେଳେ ସରକାରୀ ଦଳ ନିଜ ସପକ୍ଷରେ ସଭା କଲେଣି । ଆଉ କେବେ ସରକାରଙ୍କ ନିକଟରେ ନିଜର ଦାବି ରଖିବାକୁ ସାଧାରଣ ଲୋକ ତ ପୁଣି କେତେବେଳେ ସରକାରୀ ଚାକିରୀଆଗଣ ଆଉ କେତେବେଳେ ଛାତ୍ରଛାତ୍ରୀଗଣ ସାଧରଣ ସଭାଠାରୁ ଆରମ୍ଭ କରି ଗଣ ଧାରଣା ଦେଲେଣି । ଆଉ ସବୁଠାରୁ ବଡ଼ କଥା ହେଲା ଇଂରେଜମାନେ ଭାରତରେ ପ୍ରଣୟନ କରିଥିବା ପୋଲିସ ବ୍ୟବସ୍ଥା ଯାହାକି ସ୍ୱାଧୀନତାର ସୂବର୍ଣ୍ଣ ଜୟନ୍ତୀ ପାଳନ ପରେ ବି ବଦଳିପାରିନାହିଁ । ସେତେବେଳର ପୋଲିସଙ୍କ ଅନୁସାରେ, ସେମାନେ ଲୋକଙ୍କୁ ଦମନ କରିବା ପାଇଁ ପୋଲିସ ବ୍ୟବସ୍ଥା କରିଥିଲେ ଆଉ ପୋଲିସ କର୍ମଚାରୀଙ୍କ ପାଇଁ କିଛି ସୁବିଧା ସୁଯୋଗ ନ ଥିଲା । ଆଉ ଆଜି ବି ପୋଲିସ ସେମିତି ଦମନଲୀଳା ଚାଳାଇଚାଲିଛି ଆଉ ତା’ର କିଛି ଦୁରୂପଯୋଗ ବି ହେଉଛି ଆମ ଦେଶରେ । ପୋଲିସମାନଙ୍କ ପାଇଁ ବି ସେମିତି କିଛି କରାଯାଇନାହିଁ । ଏହି ସବୁକୁ ଦେଖିଲେ କ’ଣ ଆପଣ କ‌ହିବେ କି ଆପଣ ସ୍ୱାଧୀନ ଭାରତରେ ଅଛନ୍ତି?

ଆଗପରି ଆଜି ବି ଚାଲିଛି ସେଇ ସରକାରଙ୍କୁ ବିରୋଧ ଆଉ ଲୁଚି ଲୁଚି ଆକ୍ରମଣ । ସେମାନଙ୍କୁ ଧରିବା ପାଇଁ ଚାଲିଛି ସରକାରୀ ଅପରେସନ ଆଉ ତନାଘନା । ଧରାପଡ଼ିବା ପରେ ସେମାନେ ବି ସେଇ କାର୍ଯ୍ୟ କରୁଛିନ୍ତି ଯାହାକି ଆଗରୁ ହେଇଆସୁଥିଲା, କିଛି ମୁଖିଆ ଲୋକଙ୍କୁ ଅପହରଣ କରିନେଇ ନିଜ ଲୋକଙ୍କ ମୁକ୍ତିଦାବିକରୁଛନ୍ତି । ସାଧରଣ ଲୋକଟିଏ ନିଜ କଥା ବା ଦୁଃଖ ଜଣାଇବାକୁ କାହା ପାଖକୁ ଯିବ? ସେ କଥା ବି ସେ ଜାଣିପରୁନି । ଯଦି କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ସେମାନେ ଆଗ ମାଗୁଛନ୍ତି କିଛି ଲାଞ୍ଚ । ସେଇଥିପାଇଁ ଗରିବ ଲୋକଟିଏ ନିଜକୁ ସ୍ୱାଧୀନ ଭାବିବା ବେଳେ ତା’କୁ ତା’ର ଦୁଃଖ କଥା ମନେ ପଡ଼ିଯାଏ । ସବୁ ସ୍ତରରେ ଆପଣମାନେ ଆଜି ଦେଖିବାକୁ ପାଇବେ ପରାଧିନତା । ସ୍ୱାଧୀନ ଭାରତରେ ଲୋକଟିଏ ଆଜି ପରାଧିନ ତା’ର କାରଣ କ’ଣ? କାରଣ ହେଉଛି କିଛି ମୁଷ୍ଠିମେୟ ଲୋକଙ୍କର ସ୍ୱାର୍ଥପର ନୀତି ଆଉ ନିଜର ଜୀବନ‌ ଶୈଳୀକୁ ଅନ୍ୟର ଅର୍ଥରେ ବିଳାସପୂର୍ଣ୍ଣ କରିବା ।

ଆମେ ଏପରି ସ୍ୱାଧୀନତା ଦିବସ ପାଳନ କରି ପାଉଛନ୍ତି କ’ଣ? ଯେମିତି ଆମେ ଆମର ପିତାମାତାଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିବା ହେଲେ ସେମାନଙ୍କୁ ଜରାଶ୍ରମରେ ରଖାଇବା । ସରକାର ଏପରି ସ୍ୱାଧୀନତା ଦିବସ ପାଳନ କରିବା ପରିବର୍ତ୍ତେ ସାଧାରଣ ଲୋକ କିପରି ନିଜକୁ ସ୍ୱାଧୀନ ଭାରତର ନାଗରିକ ମନେ କରିବ ସେଇ ବିଷୟରେ ଧ୍ୟାନ ଦିଅନ୍ତୁ । ଆଉ ସବୁଜାଗା ସହ ସବୁ ଲୋକଙ୍କୁ ବି ସମାନ ଅଧିକାର ଦିଅନ୍ତୁ । ଖାଲି କଥାରେ ନୁହେଁ କାମରେ କରି ଦେଖାନ୍ତୁ ।

ଜୟ ହିନ୍ଦ୍ ।
ଭାରତ ମାତା କି ଜୟ ।