Blogs by Sangram Keshari Senapati
Showing posts with label କଲେଜ ଡାଏରୀ. Show all posts
Showing posts with label କଲେଜ ଡାଏରୀ. Show all posts

Sunday, 1 October 2017

କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ)

Sangram Keshari Senapati October 01, 2017 10
କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ)
କଲେଜ ଡାଏରୀ ଲେଖାର ୨ୟ ଭାଗ ଲେଖା ହେଉଛି ଏହି ଲେଖାଟି । ଏହି ଲେଖାଟି ପୂର୍ବଭାଗ ଯଦି ପଢ଼ିନାହାନ୍ତି, ତେବେ କଲେଜ ଡାଏରୀ- ୧ ପ୍ରଥମେ ପଢ଼ିବାକୁ ଅନୁରୋଧ ।

କଲେଜ ଡାଏରୀ- ୨ (ଗୋଲାପୀ ଡ୍ରେସ୍‍‍ରେ ସେ ଝିଅ) Golapi Dress re Se jhia

ଏମିତି ବୁଲୁବୁଲୁ ଏଣୁତେଣୁ କଥା ହେଉ ହେଉ ମୋ ଆଖି କିନ୍ତୁ ଲାଖିଗଲା କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗରେ । ବାରମ୍ବାର ସେଇ ରଙ୍ଗଟି ଆସୁଥିଲା ସାମ୍ନାକୁ ଆଉ ପୁଣି କିଛି କ୍ଷଣରେ କୁଆଡ଼େ ହଜିଯାଉଥିଲା ଆଖି ସାମ୍ନାରୁ । କେବେ କେବେ ଆମ ନିଜ କଥାରେ ଏତେ ମଜ୍ଜିଯାଇଥାନ୍ତି ଯେ, ସେହି ସମୟରେ କେହି ଆମ ଆଖି ଆଗରେ ଚାଲିଗଲେ ଆମ ନଜରରେ ବି ଆସେନି । ସେହିଭଳି ଜଣାନାହିଁ ମୋ ଆଖି ଆଗରେ କେତେଥର ସେହି ରଙ୍ଗ ଆସି ଚାଲିଯାଇଛି । ହେଲେ ଦୈବାତ୍ କେମିତି ଏକ ନ‌ଜର ପଡ଼ିଗଲା ସେହି ରଙ୍ଗ ଉପରେ । ସେ ରଙ୍ଗ ଆଉ କେଉଁ ରଙ୍ଗ ନୁହେଁ, ମୋର ପସନ୍ଦର ଗୋଲାପି ରଙ୍ଗ । ଆଉ ସେ ଗୋଲାପି ରଙ୍ଗର ପୋଷାକରେ ଥାଏ କେହିଜଣେ, ଯାହାକି ପ୍ରଥମ ଥର ଆସିଥିଲା ମୋ ଆଗକୁ । ସାଙ୍ଗରେ ତା'ର କେତୋଟି ବନ୍ଧୁ । ସେମାନେ ମଧ୍ୟ ମଜ୍ଜିଥାନ୍ତି ସେମାନଙ୍କର ଆଳାପରେ ।

ଆମର ଆଳାପ ତ' ଚାଲିଥାଏ ନିଜ ଭିତରେ, ହେଲେ ସେହି ସମୟର କିଛି ଅଲଗା ସ୍ମୃତି ଛାଇହୋଇଗଲା ମୋ ମନ ଭିତରେ । ପାଖରେ ଥିବା ମୋର ଦୁଇବନ୍ଧୁଙ୍କ କଥା ଶୁଣାଗଲାଣି ଠିକ୍‌ରେ । ସେମାନଙ୍କ କଥା କେବଳ ଏକ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଭଳି ଉଡ଼ି ଉଡ଼ି ଯାଉଥିଲା ମୋ କାନ ପାଖରୁ । ସତେ ଲାଗୁଥିଲା ଯେମିତି ଏହି ଦୁନିଆର ସମୟର ଗତିକୁ କିଏ ଧିର କରିଦେଇଛି ମୋ ପାଇଁ । ସବୁକିଛି ଧିର ଗତିରେ ଚାଲିଥିଲା ମୋ ଆଖି ଆଗରେ । ହଠାତ୍ ମୋର ଜଣେ ବନ୍ଧୁର କୌଣସି କଥାର ଉତ୍ତର ନ ଦେବାରୁ, ସେ ମୋତେ ଛୁଇଁ ପଚାରିଲା, ସେ କଥାଟି । ମାତ୍ର ସେ କଥାଟି ତ' ଶୁଣାଗଲାନାହିଁ, କିନ୍ତୁ ପ୍ରକୃତିସ୍ଥ ହେଲା ପରେ ଦେଖିଲା ବେଳକୁ ସେ ପୁଣୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇସାରିଛି ମୋ ଆଖି ଆଗରୁ । କଥା ସିନା ଶୁଣୁଥିଲି ସେହି ଦୁଇ ବନ୍ଧୁଙ୍କର, ହେଲେ ନଜର ଘୁରିବୁଲୁଥିଲା ଆଖପାଖରେ । ପୁଣିଥରେ କାଳେ ଆସିଯିବ ସେ ଆଖି ଆଗକୁ । ହେଲେ କିଛିସମୟ ଯାଏଁ ସେମିତି କିଛି ହେଲା ନାହିଁ । କାଇଁ କେଉଁଠି ସେ ଆଉ ନଜର ଆସିଲାନି ସେ ରଙ୍ଗ । ସେତେବେଳେ ମନରେ ଆସିଥାଏ, କିଛି ଭ୍ରାନ୍ତ ଧାରଣା । ଯେପରିକି, ମୁଁ କିଛି ସ୍ୱପ୍ନ ଦେଖୁ ନ ଥିଲି ତ? ମୋ ସ‌ହ କ'ଣ ସତରେ ଏମିତି କିଛି ଘଟିଥିଲା? ନା, ଏହି ବୋଧେ ମୋର କଳ୍ପନା ଥିଲା ମାତ୍ର । ଏମିତି ଭାବୁଭାବୁ ମୁଁ ଭାବରେ ରାଇଜରେ ବୁଡ଼ିଥିବାବେଳେ ହଠାତ୍ ଜଣେ ସାଙ୍ଗ ଆସି କ‌ହିଲା, ପୂଜକ ମହୋଦୟ ଆସିଲେଣି ଚାଲ ପୂଜା ଆରମ୍ଭ ହେବ ।

ସେହି ସ୍ଥାନରୁ ପୂଜା ପରିସରକୁ ଗଲୁ ଆମେ, ତ‌ଥାପି ଆଖିଦ୍ୱୟ ମୋର ମନେ ମନେ ଖୋଜୁଥିଲେ ସେହି ରଙ୍ଗକୁ । କାଇଁ କେଉଁଠି ତ' ସେ ରଙ୍ଗ ଦେଖାଯାଉନି । ହଁ, ଏହା ନିଶ୍ଚୟ ମୋ ମନର କୌଣସି ଧାରଣା ଥିବ । ରାତିରେ କିମ୍ୱା ଦିନରେ ମୁଁ ଶୋଇବା ବେଳ ମୋତେ ପ୍ରାୟତଃ ଏହି ଭଳି କିଛି ଅସମ୍ଭବ ସ୍ୱପ୍ନ ସବୁ ଅସିଥାଏ । ହୁଏତ ମୁଁ କଥାରେ ମଜ୍ଜିଯାଇଥିଲାବେ ମୋର ମନ କେଉଁ ଏକ ଅଲଗାର ଦୁନିଆର ଦୃଶ୍ୟକୁ ସଂଯୋଗ କରିଦେଇଥିଲା । ସେଇଥିପାଇଁ ମୋତେ ହଠାତ୍ ଏମିତି କିଛି ଲାଗିଥିଲା । ସକାଳୁ ଶେଜରୁ ଉଠିଲା ପରେ ଯେମିତି ରାତିର ସ୍ୱପ୍ନ‌କୁ ଭୁଲିଯାଏ, ସେହିଭଳି ଏହାକୁ ଭୁଲିଗଲି । ଏହା ନିଶ୍ଚୟ ମୋର ମନର ଏକ ଭୁଲ ଧାରଣା ଥିଲା । ସେଥିପାଇଁ କାହାକୁ କିଛି ନ ଜଣେଇ ପୁଣି ମିଶିଗଲି ସେହି ପୂଜାର ଖୁସିରେ । ପୂଜା ଘରଟି ଏତେ ବଡ଼ ନ ଥିଲା, ତ‌ଥାପି ଆମେ ଯେତିକି ପିଲା ଥିଲୁ ସମସ୍ତେ ସେହି ଘରେ ହିଁ ବସିଥିଲୁ । ଆମର ବାକି କଛି ସାଙ୍ଗସବୁ ଆସିସାରିଥିଲେ, ଆଉ ପୁଣି କିଛି ସିନିଅର, ଜୁନିଅର ପିଲାବି ଉପସ୍ଥିତ ଥାଆନ୍ତି ସେଇଠି । ସମସ୍ତଙ୍କର ମିଶ୍ରିତ ଉପସ୍ଥିତି ଏକ ନିଆରା ଅନୁଭୂତି ସୃଷ୍ଟି କରିଥିଲା ସେଇଠି । ସେଠାରେ ସଭିଙ୍କ ସ‌ହ କଥାବାର୍ତ୍ତାରେ ମଜ୍ଜିଗଲୁ ଆମେ ସବୁ । ପୂଜା ଆରମ୍ଭ ହେଲା, ଆଉ ପୁଷ୍ପାଞ୍ଜଳୀ ବି ଶେଷ ହେଲା । ଏବେ ପୂଜାରେ ଗୋଟିଏ ଜିନିଷ ଚାଲିଛି, ପୂଜା ଯେମିତି ବି ହେଉ ନା କାହିଁକି ଆମେ ଫଟୋ ବ‌ହୁତ ଉଠେଇବୁ । ସବୁ ମିଶିକି ଫଟୋ ଉଠେଇଲୁ । ସିଙ୍ଗେଲ ସେଲ୍‌ଫି, ଗୃପ୍ ସେଲ୍‌ଫି ଆଉ ପୁଣି କେବେ ଭଗବାନଙ୍କ ସ‌ହ ବି ସେଲ୍‌ଫି । ହଁ ଭଗବାନଙ୍କ ସ‌ହ କେମିତି ବ ନ ନେବୁ, ସେ ତ' ମାତ୍ର ଦିନଟିଏ ପାଇଁ ଆସୁଛନ୍ତି ଏହି ଧରାକୁ । ଯାହାହେଉ ସବୁ ଫଟୋ ଉଠା ପର୍ବପରେ ଭୋଜନର ବି ବ୍ୟବସ୍ଥା ହୋଇଥିଲା ।

ଏଇଠି ତ' ଆଉ ସେ ପୁରୁଣା ପରମ୍ପାରା ନାହିଁ ଯେ, ପୁଅମାନେ ଆଗ ଖାଇବେ କି ଝିଅମାନେ ଆଗ ଖାଇବେ । ସଭିଏଁ ଗୋଟିଏ ଜାଗାରେ ମିଶିକି ଖାଇବାର ମଜା ଥିଲା ମଜା ଥିଲା ସମ୍ପୂର୍ଣ୍ଣ ଅଲଗା । ଯେତିକି ପିଲାଥିଲୁ, ଏକାସାଙ୍ଗରେ ବସି ଖାଇବା ବି ସମ୍ଭବ ନୁହେଁ । ସେଇଥିପାଇଁ ଆଗ ଆମର ଜୁନିଅର ପିଲା, ମାନେ ୧ମ ବର୍ଷ ଆଉ ୨ୟ ବର୍ଷର ପିଲାମାନଙ୍କୁ ଖାଇବା ପାଇଁ କୁହାଗଲା । ସେମାନଙ୍କର ଖାଇବା ସରିବା ବେଳକୁ ଆମେ ପୁଣି ସବୁ ବାହାରେ ବ‌ସି କେଳି କରିବାରେ ବ୍ୟସ୍ତ ଥିଲୁ । ଏହିସବୁ ଭିତରେ ପୁଣିଥରେ ଆଗକୁ ଆସିଲା ସେହି ରଙ୍ଗଟି । ନା, ଏହା କୌଣସି ସ୍ୱପ୍ନ ନୁହେଁ, ଏହା ବାସ୍ତବତା । ବାସ୍ତବରେ କେହିଜଣେ ଆସିଥିଲା ମୋ ଆଖି ଆଗକୁ । ଏବେ ଆଉ ସେମିତି କିଛି ହେଲାନି, ଏବେ ସମ୍ପୂର୍ଣ୍ଣରୂପ ଦେଖିପାରୁଥିଲି ତା'ର ମୁହଁକୁ । ପ୍ରଥମଥର ପାଇଁ ଦେଖିଲି ସେହି ଚେହେରା ।

କିଏ ହେଇପାରେ ସେ? କଲେଜର ଏତେପିଲାମଧ୍ୟରେ କେହି ବି ହେଇପାରେ ସେ । ଆଉ ମୁଁ ତ' ସବୁପିଲାଙ୍କୁ ବି ଚିହ୍ନିନି । ଏମିତି ବି ହେଇପାରେ, କେହି ପିଲାସାଙ୍ଗରେ ବି ଆସିଥାଇପାରେ । ଏହି ଭାବନାରୁ ମୁଁ ବାହାରିଲା ବେଳକୁ କିଛି ପିଲାଙ୍କ ଭିଡ଼ ଭିତରେ କୁଆଡ଼େ ପୁଣି ହଜିଗଲା ସେ ଚେହେରାଟି ।  ପାଖରେ ଥିବା ଏତେ ସାଙ୍ଗଙ୍କ ମେଳିରୁ ବାହାରିବା ବି କଷ୍ଟ । ଆଉ ମୋ ନ‌ଜର ପୁଣି ଅଛି କାହା ଉପରେ, ଏହା ସେହି ମୁହୂର୍ତ୍ତରେ କାହାକୁ ଜଣା ପଡ଼ିଲେ ଆହୁରି ଅସୁବିଧା । କାରଣ‌ଟା ପ୍ରାୟଃ ସବୁ ଜାଣିଥିବେ, ସାଙ୍ଗମାନେ ହିଁ ସତେ ଯେମିତି ଦୁନିଆରେ ବଡ଼ ଶତ୍ରୁ । ସେହି ଜାଗାରେ ଏମିତି ଅବସ୍ଥା ଆଉ ଲୋକ‌ହସା କରେଇବେ ଯେ, କ‌ହିବାର ନାହିଁ । ଆଉ ତା' ପରେ ପୁଣି ଯଦି ସେହି ଅଜଣା ଚରିତ୍ରଟି ବିଷୟରେ ଜାଣିବା ଆଗରୁ, ସେ କେବେ ଦେଖିନେବ ଏମିତି ଦୃଶ୍ୟ, ଆଉ କେବେ ତା'ର ସାମ୍ନାକୁ ଆସିବାର ବି ସାହାସ ହେବନି । ସେଇଥିପାଇଁ ମୁଁ ଅନିଚ୍ଛା ସତ୍ତ୍ୱେ ବି ମନରେ ରଖିଲି ସେହି ଯିଜ୍ଞାସା । ଆଉ ମାତିଗଲି ସାଙ୍ଗମାନଙ୍କ ସାଙ୍ଗେ ।

ଏବେ ସମୟ ଆମମାନଙ୍କର ଖାଇବାର । ତିନିବର୍ଷରେ ପ୍ରଥମ ଥର ପାଇଁ ସଭିଏଁ ମିଶିକି ଖାଇବାକୁ ବସିଛୁ । ଯଦିଓ ଆମେ ଆଗରୁ ରୁମ୍‌ରେ କି କୌଣସି ସାଙ୍ଗର ଜନ୍ମଦିନରେ ଏମିତି ବସିକି ଖାଇଛୁ, ହେଲେ କଲେଜରେ ଏମିତି ସବୁ ମିଶିକି ଖାଇବ ପ୍ରଥମ । ଆଉ ସବୁ ମିଶିକି ଖାଇଲାବେଳେ କେହି ଚୁପ୍‌ଚାପ୍ ଖାଇବେ, ଏଇଟା କେବେ ହେଇପାରିବନି । କିଏ ଖାଇବାର ପ୍ରଶଂସା କରୁଛି, ତ ପୁଣି କିଏ ପୂଜା ଆଉ ପୁଣି କିଏ ସାଜସଜ୍ଜାର । ଏମିତି ସବୁ କଥାବାର୍ତ୍ତା ସ‌ହ ଶେଷର ଭୋଜନର ପରିସମାପ୍ତି ହେଲା । ଏବେ ସମୟ ପ୍ରତ୍ୟାବର୍ତ୍ତନର । ବସ ଡ୍ରାଇଭରମାନେ ବି ଖାଇସାରିଥିଲେ । ସେମାନେ ବସ ଲଗେଇକି ଏବେ ଛାଡ଼ିବା ପାଇଁ ଅପେକ୍ଷା କରିଛନ୍ତି । ସେତେବେଳେ ପୁଣିଥରେ ଦେଖିଲି ସେହି ଗୋଲାପି ରଙ୍ଗର ପୋଷାକରେ ଥିବା ଝିଅଟିକୁ । ବସରେ ଚଢ଼ିବାର ବ୍ୟଗ୍ରତା ଥିଲା ତା' ମନରେ । ଦୂରରୁ ଦେଖିପାରୁଥିଲି ତା'କୁ ।

ଯାହା ହେଉ ବସରେ ବସିଲାବେଳେ ମିଳିଗଲା ତାକୁ ଗୋଟିଏ ଝରକା ପାଖର ସିଟ୍ । ଆଉ ମୁଁ ସେ ଦିଗକୁ ଅଗ୍ରସର ହେବା ପୂର୍ବରୁ ବସ ଧିରେ ଧିରେ ଗତି କଲା ଆମ ଆଡ଼କୁ । ଆଉ ଅଧିକ ପିଲା ଚଢ଼ିବା ପାଇଁ ସେ କିଛି କ୍ଷଣ ରହିଗଲା ଆମରି ସାମ୍ନାରେ । ଦୀର୍ଘ ୩/୪ ଘଣ୍ଟାର ଲୁଚକାଳି ଖେଳ ପରେ ଶେଷରେ ସେ ଥିଲା ମୋ ଆଖି ସାମ୍ନାରେ । ଆମର ଯିବାର ସମୟ ଟିକେ ବିଳମ୍ବରେ ଥିବା ଇଚ୍ଛା ଥାଇ ବି ଚଢ଼ିପାରିନଥିଲି ସେହି ବସରେ । ହେଲେ ଏଥର ସମ୍ପୂର୍ଣ୍ଣ ରୂପେ ଦେଖିପାରୁଥିଲି ତା'ର ମୁହଁକୁ । ଯଦି କେହି କବି ଥାଆନ୍ତେ, ବୋଧେ ସେହି ମୁଖ ମଣ୍ଡଳ ଉପରେ ୨/୪ଟି କାବ୍ୟ ରଚନା କରିଦେଇଥାନ୍ତେ । ଗୋଲାପି ରଙ୍ଗର ପୋଷାକକୁ ଗୋଲାପୀ ରଙ୍ଗର ଓଠ ସ‌ହ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ସେ ଗାଢ଼ କଳା ରଙ୍ଗର ସେ ଆଖି । ସତେକି ଯେମିତି ସେହି ଆଖିରେ ପୂରିରହିଛି ପୂରା ଦୁନିଆ । ଏହିସବୁ ଭିତରେ ମୋ ନଜର ହଟୁନଥିଲା ତା' ଉପରୁ । ହେଲେ ଧିରେ ଧିରେ ଗାଡ଼ିଟି ଗଡ଼ିବାକୁ ଆରମ୍ଭ କଲା ଆଉ ଧିରେ ଧିରେ ପୁଣିଥରେ ସେ ଦୂରେଇ ଚାଲିଥିଲା ମୋ ଆଖି ଆଗରୁ । ଧିରେ ଧିରେ ଗାଡ଼ିର ବେଗ ବଢ଼ିବା ସ‌ହ ଦୂରତା ମଧ୍ୟ ବଢ଼ିଥିଲା ମୋ ଆଖି ଆଉ ତା' ଭିତରେ । ରାସ୍ତାର ସେହି ଦୂରଦିଗନ୍ତରେ ହଜିଗଲା ସେ ଧିରେ ଧିରେ ।

କେତେବେଳୁ ସେ ଯାଇସାରିଲାଣି, ଆଉ ଆମେ ଆମ କାମ ସାରି ଆସି ପୁଣି ରୁମ୍‌ରେ ପ‌ହ‌ଞ୍ଚିଗଲୁଣି, ହେଲେ ଏବେ ବି ମନରେ ତା'ରି କଥା ଆଉ ଆଖିରେ ରହିଛି ତା' ଚେହେରା । ସେ ଚେହେରା ସତେ ଯେମିତି ମୋର ଆଖିର କ୍ୟାମେରାରେ ତୋଳିହୋଇଯାଇଛି ଆଉ ମୋ ମନର ସେ ଡାଟାବେସରେ ଏକ ଅଲିଭା ଛବି ହୋଇ ରହିଯାଇଛି, ଯାହାକୁ ମୁଁ ଚାହିଁଲେ ବି କେବେ ଲିଭେଇପାରିବିନି । ସତେ ଯେମିତି ସେ ଛବି ସ‌ହ କୋଉଗୋଟେ ଭାଇରସ ପଶି ଆସିଛି ମୋ ଡାଟାବେସ ଭିତରେ, ଯିଏକି ସେହି ଛବିଟିକୁ ବାରମ୍ବାର ଆଣିଦେଉଥିଲା ମୋ ଆଗକୁ । ଏମିତିରେ କେବେ ଯଦି କାହାକୁ ପ୍ରଥମଥର ପାଇଁ ଦେଖେ, ମୋ ମନରେ ତା'ର ଛବି କେବେ ଆସେନି, ହେଲେ ଏଇ ଏକ ଏମିତି ଛବି ଯାହାକୁ ମନର ପ୍ରିତିଟି ପୃଷ୍ଠାର ଆଗଧାଡ଼ିରେ ହିଁ ରହିଯାଇଛି ।


କ୍ରମଶଃ.....



This is the 2nd part of the College Diary Series. The 2nd half of the day which I've described in the first part.





Sunday, 17 September 2017

କଲେଜ ଡାଏରୀ- ୧ (ବିଶ୍ୱକର୍ମା ପୂଜା)

Sangram Keshari Senapati September 17, 2017 0
କଲେଜ ଡାଏରୀ- ୧ (ବିଶ୍ୱକର୍ମା ପୂଜା)
College Diary Part 1 - Biswakarma Puja in College

ଆଜି ବିଶ୍ୱକର୍ମା ପୂଜା !
ସଭିଙ୍କୁ ବିଶ୍ୱକର୍ମା ପୂଜାର ଅଭିନନ୍ଦନ । ସେଇ ସମାନ ଜାଗା, ସାମାନ ଘର ଆଉ ଏଇ ଗୋଟିଏ ଜାଗାରେ, ସମାନ ଲୋକଙ୍କ ସାଙ୍ଗରେ ବିତିଗଲାଣି ଦୁଇ ବର୍ଷରୁ ଅଧିକ ସମୟ । ସମୟ ତ' କେବେ କାହାକୁ ଅପେକ୍ଷା କରେନି । ସବୁବେଳେ ଆଗକୁ ଆଗକୁ ମାଡ଼ିଚାଲେ । ତା' ସ‌ହ ତାଳ ମେଳେଇବାରେ ଯଦି କେହି ଟିକେ ଅଡ଼ୁଆରେ ପଡ଼ିଯାଏ, ସେବେ ସେ ରହିଯାଏ ପଛରେ । ରାବଣ ମଧ୍ୟ ସମୟକୁ ଅଟକାଇବାରେ ସକ୍ଷମ ହୋଇପାରିନଥିଲା, ଆମେ ବା ଅଟକେଇବୁ କେମିତି । ଆଉ ପଛକୁ ଫେରିବାର ତ ନାଁ ହିଁ ନାହିଁ ।

ଏହି ସ୍ଥାନ ଆରମ୍ଭରୁ ଯେତେ ଅଡ଼ୁଆ ଅଡ଼ୁଆ ଲାଗୁଥିଲା, ଏବେ ସେତେ ନିଜର ନିଜର ଲାଗୁଛି । ଜଣାପଡ଼ିଲାନି, କେତେବେଳେ ଦୁଇବର୍ଷ ଦୁଇଦିନ ଭଳି ଅତିବାହିତ ହୋଇଗଲା । ଆରମ୍ଭରୁ କେମିତି ଗୋଟେ ଅଜଣା ଭୟ ମାଡ଼ିବସୁଥିଲା ସତେ ଯେମିତି ଏଇ ନୂଆ ଜାଗାରେ, ନୂଆ ଘରେ । ସେତେବେଳେ ତ ସାଙ୍ଗ ହେବାକୁ କେହି ନ ଥିଲେ, ହେଲେ ଏବେ ତ' ପାଖରେ ଚରୁଥିବା ଗାଈଗୋରୁଙ୍କ ଠାରୁ ନେଇ ବୁଲା କୁକୁର ଯାଏଁ ସଭିଏଁ ଆପଣାର । ସତେ ଯେମିତି ଏହି ସବୁମାନେ ମୋତେ ସେମାନଙ୍କର ନିଜର ଭାବିନେଇଛନ୍ତି । ଭାବନ୍ତି ମୁଁ ସେମାନଙ୍କର ଘରର ଗୋଟିଏ କୋଉ ସଦସ୍ୟ ବୋଧେ । ନିଇତି ସକାଳୁ କାଉମାନେ ଆସି ଉଠାଇବାକୁ ଭୁଲୁ ନାହାନ୍ତି ଆଉ ସେମାନଙ୍କ ସ‌ହ ବି ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିଉଠିଛି । ସେମାନେ ଯେମିତି ସକାଳୁ ପ୍ରତ୍ୟହ ମୋତେ ଉଠାଇ ମୋ ସ‌ହ ସେମାନଙ୍କର ଜଳଖିଆ କରନ୍ତି । ଏମିତି କାଉ, କୋଇଲି, ବଣି ସଭିଏଁ ଏବେ ମୋର ସାଙ୍ଗ ।

ଏମାନେ ତ ରହିଲେ ଆଖପାଖର ଥିବା ଜୀବଯନ୍ତୁ । ହେଲେ ଆହୁରି ଅନେକ ଅଛନ୍ତି ମୋର ସାଙ୍ଗ । ଆମ ଫ୍ଲାଟ୍‌ରେ ରହୁଥିବା ପିଲାମାନେ । ଯେଉଁଦିନ ପ୍ରଥମ କରି ଆସିଥିଲି, ସେମାନଙ୍କ ସ‌ହ କଥା ହେବାକୁ ବି ଡର ଲାଗିଥିଲା । ସେମାନେ କେତେ ସୁନ୍ଦର ଇଂରାଜୀ ଆଉ ହିନ୍ଦୀରେ କଥା ହେଉଥିଲେ, ଆଉ ମୁଁ ଥିଲି ପୂରା ଓଡ଼ିଆ । ହିନ୍ଦୀରେ ହ ଅକ୍ଷର ବି ଜଣା ନ ଥିଲା ଆଉ ଇଂରାଜୀ କଥା ତ' ନ କ‌ହିବା ଭଲ । ହେଲେ ପ୍ରଥମ କଥାରେ ଜାଣିଲି, ସେମାନେ କେତେ ଭଲ ଆଉ କେତେ ମେଳାପି । ସେମାନେ ଓଡ଼ିଆ ପିଲାଙ୍କ ସ‌ହ କେତେ ସୁନ୍ଦର ଓଡ଼ିଆରେ କଥା ହେଇପାରୁଛନ୍ତି । ସେତେବେଳେ ଜାଣିଲି କି ସେମାନେ ବି ଓଡ଼ିଶାରୁ । ନ ହେଲେ ପ୍ରଥମରୁ ତ' ଧାରଣା ହେଇଯାଇଥିଲା କି ସେମାନେ ବୋଧେ ବାହାର ରାଜ୍ୟର କେହି ପିଲା ହୋଇଥିବେ । ଆମ ଫ୍ଲାଟ୍‌ରେ ରହୁଥିବା ଆମେ ପାଞ୍ଚଜଣ ସତେ ଯେମିତି ଗୋଟିଏ ପରିବାରର । କେହି ଯଦି ଅଜଣା ଲୋକ ଆମ ରୁମ୍‌କୁ ବୁଲିବାକୁ ଆସିବ, ତାକୁ ତ' ସେଇଆ ହିଁ ଲାଗିବ । ସେ କେବେ ଭାବିପାରିବନି ଯେ ଆମେ ସବୁ ଅଲଗା ଅଲଗା ଜାଗାରୁ ବୋଲି ।

କଲେଜର ଗଲା ଦୁଇବର୍ଷ ଭିତରେ କେବେ ବିଶ୍ୱକର୍ମାପୂଜାରେ ମୁଁ ଯାଇନାହିଁ । କେମିତି ବା ଯାଇଥାନ୍ତି, ଘରର ମୋହ ତ ମୋ ପ୍ରତି ସବୁଠୁ ଅଧିକ । ପ୍ରଥମ ବର୍ଷରେ ତ ଦୁଇ ଦିନ ଛୁଟି ମିଳିଗଲେ କେମିତି ଘରକୁ ଯିବି ବାଟ ପାଉ ନ ଥିଲି ଆଉ ସେହି ଘର ପ୍ରେମଟା ବି ୨ୟ ବର୍ଷର ଅଧାଯାଏଁ ସେମିତି ବାନ୍ଧି ହୋଇ ରହିଥିଲା । କଲେଜ ସିନା ଦୁଇଦିନ ଛୁଟି ଦେଉଥିଲା, ହେଲେ ମୋତେ ତ ଯିବା ଆସିବାରେ ଦୁଇଦିନରୁ ଅଧିକ ସମୟ ଲାଗିଯାଏ । ଏଇଠୁ ତ ଘର ୬୫୦ କିଲୋମିଟରରୁ ଅଧିକ ହେବ, ଅଳ୍ପ ସମୟରେ ପ‌ହ‌ଞ୍ଚିବି ବା କେମିତି । ତ‌ଥାପି ମୁଁ ସେଇ ଦୁଇଦିନ ଛୁଟିରେ ବି ଘରକୁ ୧୦-୧୫ ଦିନିଆ ଯାତ୍ରା ଗୋଟିଏ କରିଦିଏ । ଘରେ ପ‌ହ‌ଞ୍ଚିବା ପରେ କ'ଣ କେହି ଘର ଛାଡ଼ିକି ଆସିବାକୁ ଇଚ୍ଛା କରେ, ମୁଁ ଭଲା ସେଥିରୁ ବାଦ୍ ପଡ଼ିଥାନ୍ତି କେମିତି । ଆଜି ୩ୟ ବର୍ଷରେ ପ୍ରଥମଥର ପାଇଁ ବିଶ୍ୱକର୍ମା ପୂଜାରେ କଲେଜକୁ ଯିବି । ଏଇଥର ବି ଯାଇ ପାରି ନ ଥାନ୍ତି, ହେଲେ ଗଣେଶ ପୂଜାଟା ଏଇ ମାତ୍ର ୧୫ ଦିନ ଆଗରୁ ସରିଚି, ଆଉ ମୁଁ ସେଇ ସମୟରେ ଘରକୁ ଯାଇଥିଲି, ସେଇଥିପାଇଁ ଏଇଥର ବିଶ୍ୱକର୍ମା ପୂଜାରେ ଏଇଠି ରହିଯାଇଛି ।

ସକାଳୁ ସକାଳୁ ଆଉ ଗୋଟିଏ ସାଙ୍ଗ ସ‌ହ ବାହାରି ପଡ଼ିଲି କଲେଜକୁ । ଆମମାନଙ୍କର ସକାଳ କ‌ହିଲେ ସେଇ ୯ଟା ପରକୁ ବୁଝାଏ । ଯେତେବେଳେ ସିନା ଛୋଟ ଥିଲୁ, ସେତେବେଳେ ସକାଳ କ‌ହିଲୁ ୫ଟା ରୁ ୬ଟାକୁ ବୁଝାଉଥିଲା, ହେଲେ ଏବେ ତ' ସକାଳ କ‌ହିଲେ ଅତିକମ୍‌ରେ ଆଠଟାରୁ ସାଡ଼େ ଆଠଟା । ତ‌ଥାପି ବାହାରିକି ଗଲାପରେ କଲେଜର ପ୍ରଥମ ବସ୍‌ରେ ଗଲୁ । ଇଞ୍ଜିନିୟରିଂ କଲେଜ ମାନେ, ବିଶ୍ୱକର୍ମାପୂଜାଟା ବଡ଼ ଆଡ଼ମ୍ବର ସ‌ହକାରେ ପାଳନ କରାଯାଏ । ବେଶି ପିଲା ପ୍ରାୟ ଆସିନ୍ତିନି । ଗଲା ଦୁଇବର୍ଷ ହେଲାଣି ବିଶ୍ୱକର୍ମା ପୂଜା ବି ଗଣେଶ ପୂଜା ପାଖାପାଖି ପଡ଼ୁଚି ଆଉ ତା' ସାଙ୍ଗକୁ ନୂଆଖାଇ ବି । ସବୁଛୁଟି ଆଉ ନିଜେ ବି ଦୁଇ ତିନୋଟି କ୍ଲାସରୁ ଛୁଟି ମାରିଦେଲେ ମିଶେଇକି ଘରକୁ ଯିବା ପାଇଁ ସୁଯୋଗଟିଏ ପ୍ରାୟ ସଭିଙ୍କୁ ମିଳିଯାଏ । ହେଲେ ଏଇଥର ବିଶ୍ୱକର୍ମାପୂଜା ବିଳମ୍ବରେ ପଡ଼ିବାରୁ ଆଉ ସେତେ ପିଲା ଘରକୁ ବି ଯାଇନାହାନ୍ତି । ତ‌ଥାପି କିଛି ପିଲା ଆସିଥିଲେ । ଆଉ ପ୍ରାୟ ଅଧିକାଂଶ ପିଲାଙ୍କର ଆସିବାର ବିଳମ୍ବ ହିଁ ହୁଏ । ପୂଜା ପାଇଁ ଆସିବା ଆଗରୁ ଅନେକ ସଜେଇ ହୋଇ ଆସିବାକୁ ପଡ଼ିବ । ତା'ର କାରଣ‌ଟା ବି ପ୍ରାୟ ସବୁ ଅନୁମାନ କରିପାରୁଥିବେ । ସେଇଥିପାଇଁ ବାକିତକ ପାଞ୍ଚ ଛଅଟି ବସ ଆସିବାକୁ ଅଧିକ ସମୟ ଲାଗିଲା ।

ଆମେ ସେହି ସମୟରେ କ'ଣ ବା ଆଉ କରିଥାନ୍ତୁ । ମୋର ଆଉ ଦୁଇଟି ସାଙ୍ଗଙ୍କ ସ‌ହ ଟିକେ କଲେଜ ପଛପଟେ ଥିବା ସେଇ ରେଳଧାରଣ ଆଉ ଆଖପାଖ ଛୋଟିଆ ଭଙ୍ଗା ପାହାଡ଼ ଉପରେ ଚଢ଼ିବାର ଯୋଜନାଟିଏ କଲୁ । ଆମ କଲେଜକୁ ଲାଗିକି ପଛପଟରେ ରେଳଧାରଣ‌ଟିଏ ଯାଇଛି । ମାତ୍ର ସେହି ରେଳ ଧାରଣା ଏବେ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ସବୁ କାମ ପ୍ରାୟ ଶେଷ ହୋଇଗଲାଣି, ଖାଲି ଯାହା ଚକ ଗଡ଼ିବାକୁ ଅପେକ୍ଷା । ଆଉ ତା' ପଛକୁ ଥିଲା ଗୋଟେ ଛୋଟ ପାହାଡ଼ । କିଛିବର୍ଷ ତଳେ ସେହି ପାହାଡ଼ଟିକୁ ଭାଙ୍ଗି ପଥରସବୁକୁ ଏହି ରେଳ ଧାରଣ କାର୍ଯ୍ୟରେ ଲଗାଇଦିଆଯାଇଛି, ତ‌ଥାପି ସେହି ପାହଡ଼ଟି ଆହୁରି ବଞ୍ଚିଚି । ଆହୁରି ରହିଯାଇଛି କିଛି କିଛି ପଥର । ଅନ୍ୟଦିନମାନଙ୍କରେ ସେହି ପାହାଡ଼ଟି ପାଖକୁ ବେଶ କିଛି ଆଖପାଖର ଲୋକ ଆସନ୍ତି । ସେମାନେ ସେହି ସ୍ଥାନରେ ପଡ଼ିରହିଥିବା କିଛି ଛୋଟ ଛୋଟ ପଥରଗୁଡ଼ିକୁ (ରାସ୍ତା କାମରେ ଲାଗୁଥିବା ବୋଲ୍‌ଡର୍) ସାଉଁଣ୍ଟି ନେଇଥାନ୍ତି କିଛି କାର୍ଯ୍ୟରେ ଲଗେଇବା ପାଇଁ । ଏବେ ଆଉ ସେହି ପାହାଡ଼ରେ ପଥର ଭଙ୍ଗା ହେଉନି କି ସେମିତି ବିଷ୍ଫୋରଣ କରି ପଥର ଆଉ ଫଟାଯାଉନି । ତ‌ଥାପି କିଛି ଛୋଟବଡ଼ ପଥର ରହିଯାଇଛି ସେଇଠାରେ । ଏମିତିକି କେଉଁଠି ଟିକେ ଅଧିକ ପଥର ଭଙ୍ଗା ହୋଇଯାଇଛି ଯେ, ସେଇଠି ବର୍ଷାଦିନିଆ ପାଣି ଜମିଯାଇଛି । ଆଉ କେଉଁଠି ଟିକେ ଟିକେ ପାହାଡ଼ର ଉଚ୍ଚା ଉଚ୍ଚା ପଥର ବଳିପଡ଼ିଛି, ଯାହାକି ଛୋଟକାଟିଆ ପାହାଡ଼ ପରି ଦୃଶ୍ୟମାନ ହେଉଛି । ଅବଶ୍ୟ ମୁଁ ଆଗରୁ ଥରେ ସେଇ ପଟେ ଯାଇଥିଲି, ସେଇ ସମୟରେ ଗୀଷ୍ମଋତୁ ଚାଲିଥିଲା ଆଉ ସେହି ଭଙ୍ଗା ପଥରଖଣ୍ଡା ସାଙ୍ଗକୁ ସେଠାରେ ସୃଷ୍ଟ ଖାଲ ସବୁ ଆଗରୁ ନ‌ଜରରେ ଆସିନଥିଲା । ତ‌ଥାପି କେବେ ବର୍ଷାଦିନିଆ ସେଇପଟେ ଯାଇନଥିବାରୁ ସବୁ ମିଶି ବାହରିପଡ଼ିଲୁ । ରେଳଧାରଣା ପାର୍ ହେଇ ସେଇଠି ପ‌ହ‌ଞ୍ଚିଲୁ । ବର୍ଷାଦିନ ପାଇଁ ସେଇସବୁ ଖାଲଗୁଡ଼ିକରେ ପାଣି ଭରି ହୋଇ ରହିଥିଲା । ତା'ର ଟିକେ ଆଗକୁ ଗଲୁ, ସେଠାରେ ଛୋଟ ଛୋଟ ଗଛ ସବୁ ଅତି ସୁନ୍ଦର ଲାଗୁଥିଲା । ଆଉ ସେଇ ଆଖାପାଖରେ ଗାଈଆଳମାନେ ଗୋଠ କରି ଗାଈ ଚରାଉଥିଲେ । ମୁଁ ଖାଲି ବ‌ହିରେ ଏମିତି ଗୋଠ କରି ଗାଈ ଚାରାଇବାର ଦୃଶ୍ୟ ଦେଇଥିଲି ଆଉ ପଢ଼ିଥିଲି ।

gaiala pila for College Diary by Sangram Keshari Senapati - ଗାଈଆଳ ପିଲା

ହେଲେ ପ୍ରଥମ କରି ଏଇଠି ସ୍ୱଚକ୍ଷୁରେ ଦେଖିଲି ସେ ଦୃଶ୍ୟ । ଗାଈଆଳ ଲୋକଟି ବର୍ଷାରୁ ରକ୍ଷା ପାଇବା କାଖରେ ଜାକିଥାଏ କାଠବେଣ୍ଟ ବାଲା ଛତାଟିଏ । ପାଖାପାଖି ୫୦ ଗାଈବଳଦ ଥିଲେ ତା'ର ସେଇ ଗୋଠଟିରେ । ସେମାନଙ୍କୁ ସବୁ ନିୟନ୍ତ୍ରଣ କରିବା ପାଇଁ ଠେଙ୍ଗାଟିଏ ତ' ଦରକାର ହେବ । ଯଦି କାଳେ କିଏ ତା' ନିୟନ୍ତ୍ରଣରୁ ବାହାରିଯିବ, ସେବେ ତାକୁ ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦରକାରୀ ଠେଙ୍ଗାଟି ସେ ହାତରେ ଧରିଥାଏ । ଯେମିତି ଛୋଟ ହାତୀଟିକୁ ଲୁହା ଶିକୁଳୀରେ ବାନ୍ଧିଦେଲେ ସେ ବଡ଼ ହୋଇ ସେହି ଶିଳୁଳୀକୁ ଛିଣ୍ଡାଇବାର କ୍ଷମତା ରଖି ମଧ୍ୟ ତାକୁ ଛିଣ୍ଡାଏ ନାହିଁ । ସେହିଭଳି ସେ ଗାଈଗାଳ ହାତରେ ଥିବା ବାଡ଼ିଟି ମଧ୍ୟ । ଗାଈମାନଙ୍କୁ ଜଣାଥାଏ ସେହି ବାଡ଼ିଟିରେ ସେ ଲୋକଟି କ'ଣ କରିପାରିବ, ସେଇଥିପାଇଁ ସେ ଭୟରେ ଗୋଠ ଭାଙ୍ଗିବାକୁ କି ଅମାନିଆ ହେବାର ସାହାସ ବି କରନ୍ତିନି । ଗାଈଆଳ ଲୋକଟି ସେହି ପାଖ ଗାଁ ବୋଲି ବୋଲି କ‌ହିଲା । ଏତେଦିନ ସିନା ଏଇ ଜାଗାରେ ରହିଲୁଣି, ହେଲେ ଏବେଯାଏଁ ଏଠିକାର ଭାଷା ଆମେ ପୂରା ବୁଝିପାରିଲୁ ନାହିଁ । ସେଇଥିପାଇଁ ସେ ଲୋକଟି ତା'ର ଗାଁ ନାଁ କ'ଣ କ‌ହିଲା ଆମେ ଠିକ୍‌ରେ ବୁଝିପାରିଲୁନି । ହେଲେ ସେ ନିର୍ଦ୍ଦେଶ କରି ଦେଖେଇଦେଲେ ଦେଲା ତା'ର ଗାଁ ଆଡ଼େ । ସୁନ୍ଦର ପାହାଡ଼ ଭିତରେ ସତେ ଯେମିତି ସେହି ଗାଁଟିକୁ ଢାଙ୍କି ରଖିଥିଲା ସୁନ୍ଦର ସବୁଯିମା ସବୁ । ଗଛ ଉହାଡ଼ରେ ସତେ ଯେମିତି ସୁରକ୍ଷିତ ମନେ କରୁଥିଲା ଦୂରେ ଦିଶୁଥିବା ସେହି ଗାଆଁଟି ।

ସେହି ଲୋକଟି ସ‌ହ କିଛି ସମୟ କଥା ହେଲା ପରେ ଆଉ ପାଖରେ ପ୍ରକୃତିର ସେହି ଅପରୂପ ସୌନ୍ଦର୍ଯ୍ୟକୁ ବେଶ କିଛି କ୍ଷଣ ଉପଭୋଗ କରିବା ପରେ ଆମେ ପୁଣି ଫେରିଆସିଲୁ ଆମ କଲେଜ ପରିସରକୁ । ସେତେବେଳକୁ ପ୍ରାୟଃ ସବୁ ପିଲାମାନେ ଆସିଗଲେଣି । ହେଲେ ବଡ଼ଭାଇମାନେ, ଯେଉଁମାନେ କାଲି ରାତିରୁ ପୂଜା ପାଇଁ ଲାଗିଥିଲେ, ସେମାନେ ଏବେ ପୁଣିଥରେ ସେମାନଙ୍କର ରୁମ୍‌କୁ ଯାଇଛନ୍ତି ଗାଧୁଆପାଧୁଆ ସାରି ଫେରିବାକୁ । ଅପେକ୍ଷା ଖାଲି ସେମାନଙ୍କୁ ଆଉ ଆମର ପୂଜକ ମହୋଦୟଙ୍କୁ । ଏବେ ଗଣେଶ ପୂଜା ହେଉ କି ସରସ୍ୱତୀ ପୂଜା, ପୂଜକ ଖୋଜିବା ଭାରି କଷ୍ଟ । ବିଶ୍ୱକର୍ମା ପୂଜା ବି କେଉଁ ସରସ୍ୱତୀ କି ଗଣେଶ ପୂଜାଠାରୁ କମ ନୁହେଁ । କାହାର ଗାଡ଼ିପୂଜା ପାଇଁ ପୂଜକ ଲୋଡ଼ା ତ' ପୁଣି କାହାର ଘରେ ପୂଜା କରିବା ପାଇଁ ଲୋଡ଼ା ପୂଜକଙ୍କର । ସେଇଥିପାଇଁ ପୂଜକ ମହୋଦୟଙ୍କର ଆଗମନ ବିଳମ୍ବ ହେବା ସ୍ୱଭାବିକ । ତା' ଛଡ଼ା ସେ ବି ଜାଣିଛନ୍ତି, ଇଞ୍ଜିନିୟରିଂ ପିଲା ବି ସ‌ହଳ ଆସିବା କଷ୍ଟ । ସେଇଥିପାଇଁ ସେ ସବୁ ପୂଜାର ଶେଷର ରଖିଥାନ୍ତି ଆମ ତାଲିକା ।

ଏବେ ସଜାସଜି କାର୍ଯ୍ୟସବୁ ଶେଷ ହୋଇଯାଇଛି । ଆମର ସାଙ୍ଗମାନେ ଆଉ କିଛି ବଡ଼ ଦିଦିମାନେ ମିଶି ବ‌ହୁତ ଆକର୍ଷଣୀୟ ମୁରୁଜ ବି ପକେଇଛନ୍ତି । ଏବେ ତ' ସବୁକିଛି କାର୍ଯ୍ୟରେ ମୁରୁଜ କାର୍ଯ୍ୟକ୍ରମଟା ପ୍ରଥମେ ଲୋଡ଼ା ହେଲାଣି । କିଏ କେତେ ସୁନ୍ଦର ମୁରୁଜ ପକାଇପାରିବେ, ତା'କୁ ନେଇ ବି ଚାଲୁଛି ପ୍ରତିଯୋଗୀତା । ସେମାନେ ମଧ୍ୟ ଦୁଇଟି ଆକର୍ଷଣୀୟ ମୁରୁଜ ପକାଇଛନ୍ତି । ଗୋଟିଏ କଲେଜ ମୁଖ୍ୟ ଦ୍ୱାର ସାମ୍ନାରେ ଆଉ ଗୋଟିଏ ପୁଣି ପୂଜା ହେଉଥିବା ପରିସରରେ । ଉଭୟ ମୁରୁଜକୁ ତୁଳନା କରିବାର କ୍ଷମତା କ'ଣ କେହି ସାହାସ ବି କରିବେନି । ଦୁଇଟି ବ‌ହୁତ ଆକର୍ଷଣୀୟ ହୋଇଥିଲା । ତା' ସ‌ହ ପୂଜା ଘରଟି କେତେ ସୁନ୍ଦରରୂପେ ସଜେଇଥିଲେ ସେମାନେ । କଲେଜରେ ସବୁଠୁ ବଡ଼ପୂଜା ଆଉ ସେଥିରେ ବା ଏତେ ଭଲରେ ସଜା ନ ଯିବ କେମିତି । ଭଳିକି ଭଳି ଆଲୋକମାଳା ସାଙ୍ଗକୁ ସେହି ପୂଜାଗୃହଟି ସୁସଜ୍ଜିତ ଫୁଲର ବାସରେ ଫୁଟି ଉଠୁଥିଲା । ଅବଶ୍ୟ ଆମର ବାହାର ଜାଗାମାନଙ୍କରେ ପାଳନ ହେଉଥିବା ପୂଜା ପରି ଏତେ ବଡ଼ ତ୍ୱରଣ କରାଯାଏନି, ସେତେ ଆଲୋକମାଳା ଲଗାଯାଏନି । ଆମେ ଆମ ଅନୁସାରେ ପାଳନ କରିଥାଉ ପୂଜା ।

ଆସ୍ଥାନରେ ବିଗ୍ରହ ବି ପ୍ରତିଷ୍ଠା ହୋଇସାରିଲାଣି । ଖାଲି ଅପେକ୍ଷା ଆମ ପୂଜକ ମହୋଦୟଙ୍କୁ । ସେ ଆସିଲେ ଆରମ୍ଭ ହେବ ପୂଜା ଆଉ ମୋର ହେବ ପ୍ରଥମ ଅନୁଭୂତି । ପୂଜାଘର ଭିତରେ ବୁଲି ଦେଖିସାରିଲା ପରେ ଆମେ ତିନିଜଣ ଆଉ କ'ଣ କରିବା ଭାବି ଟିକେ ଏଣେତେଣେ ବୁଲିଲୁ । ଆମ କଲେଜରେ ତ' ବସିବା ପାଇଁ ସେମିତି କିଛି ବିଶେଷ ସୁବିଧା ନାହିଁ । ସେହି ପାଠାଗାର ନ ହେଲେ ଶ୍ରେଣୀଗୃହ । ସବୁଦିନେ ସେଇଯାଗାରେ ବସି ବସି କ'ଣ କିଏ ଅବା ଏଇ ପୂଜାରେ ସେଇଠି ବସନ୍ତା କି । ଅନ୍ୟ ପିଲାମାନେ ବି ଦଳଦଳ ହୋଇ ବୁଲୁଛନ୍ତି ଚାରିଆଡ଼େ । ପୂଜା ପାଇଁ ସେତେ ବି ଅଧିକ ପିଲା ଆସିନାହାନ୍ତି । ମାତ୍ର ୩୦ପ୍ରତିଶତ ପିଲା ଆସିଥିଲେ । ଆମ କଲେଜର ହଷ୍ଟେଲ ସୁବିଧା ନାହିଁ, ସେଇଥିପାଇଁ ଅଧିକାଂଶ ପିଲା ଆସିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ବୋଧେ । ଏମିତି ବୁଲୁବୁଲୁ ଏଣୁତେଣୁ କଥା ହେଉ ହେଉ ମୋ ଆଖି କିନ୍ତୁ ଲାଖିଗଲା କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗରେ ।


କ୍ରମଶଃ...




It's a series of stories. I've titled as College Diary, because the story is based on a college love story. It's the story of one guy who is reading in an engineering college. He is describing his daily life and it would continue like a diary.

This is the first day of his describing the story. On the first day, he described to his roommates, some of his college life, and some relationships with the friends. The next part of the story would come in the near future.