"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"
ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ । “ବିଦ୍ୟା ଦଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।
ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନଜର ପକାଇବା ।
ପିଲାଟିଏ ଟିକେ ଟିକେ କଥା କହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କହିବା ମନା, କେବଳ ଇଂରାଜୀରେ କଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସହ ମିଶିବାକୁ ଦିଆଯାଏନି ।
ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍ରେ କହିପାରନ୍ତିନି ।
ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।
ଏହି ସବୁ କଥା କହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।