ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ - Blogs by Sangram Keshari Senapati

Monday 9 November 2015

ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ

ପବିତ୍ର କାଳୀପୂଜା ଓ ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । କାଳୀପୂଜାରେ ମାଆ କାଳୀଙ୍କର ଆରାଧନା କରାଯାଏ ଓ ଦୀପାବଳୀକୁ ଆଲୋକର ପର୍ବ ଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

ଲୋକ‌କଥା ଅନୁସାରେ, ବିଜୟା ଦଶମୀରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣର ବଦ୍ଧ କରିବା ପରେ ମାତା ସୀତାଙ୍କୁ ନେଇ ଦୀପାବଳୀ ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ ଓ ତାଙ୍କୁ ରାଜନଅରକୁ ସ୍ୱାଗତ କରିବାପାଇଁ ତାଙ୍କର ତିନିମାତା ସମଗ୍ର ନଅରକୁ ଦୀପରେ ସଜାଇଥିଲେ । ସେହି ଦିନରୁ ଏହି ଉତ୍ସବ ଦୀପାବଳୀ ଭାବରେ ପାଳନ କରାଯାଉଛି । ଏହି ଦିନ ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ ଓ ପରେ କାଉଁରିଆ କାଠି ଜାଳି ଆଲୋକ ଦେଖାଇ ସ୍ୱର୍ଗାଲୋକ‌କୁ ଫେରିଯିବାକୁ ପ୍ରାର୍ଥନା କରନ୍ତି । ଋକ୍ ବେଦ ଅନୁସାରେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ ।


କିନ୍ତୁ ଏବେ ଦୀପାବଳୀରେ ଲୋକମାନେ ଦୀପଜାଳିବା ପରିବର୍ତ୍ତେ ବ‌ହୁତ ଶବ୍ଦ କରୁଥିବା ବାଣ ଓ ବିଭିନ୍ନ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ ବିଷ୍ଫୋରକ ଆଦିକୁ ବ୍ୟବ‌ହାର କରୁଛନ୍ତି । ଯାହାଫଳରେ ଦୀପାବଳୀର ରାତିରେ ଆକାଶ ସମ୍ପୂର୍ଣରୂପେ ଧୂଆଁମୟ ହୋଇଯାଉଛି, ଯାହାକି ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି ଏବଂ ପ୍ରଚଣ୍ଡ ଶବ୍ଦ‌ଦ୍ୱାରା ଅନେକ ଜୀବଜନ୍ତୁ ଓ ପକ୍ଷୀମାନ ଅଚମ୍ବିତ ଓ ଆଶ୍ଚର୍ଯ୍ୟ ହୋଇ ପ୍ରାଣ ହରାଉଛନ୍ତି । ବାୟୁମଣ୍ଡଳର ପ୍ରଦୂଷଣ ଯୋଗୁଁ ନାନାଦି କ୍ଷତି ହେଉଛି, ଯାହା ଆପଣମାନଙ୍କୁ ଉଣା ଅଧିକେ ଜଣାଅଛି । ସେଥିପାଇଁ ସମସ୍ତଙ୍କୁ ମୋର ବିନମ୍ର ଅନୁରୋଧ, ଦୀପାବଳୀରେ ଦୀପ କିଣନ୍ତୁ, ଯାହାଦ୍ୱାରା ଏକ ଗରୀବ ଦୀପବିକାଳି କିମ୍ବା ଦୀପ ତିଆରି କରୁଥିବା ବ୍ୟକ୍ତି ଉପକୃତ ହେବ ଏବଂ ଏଥିରେ କାହାରି କିଛି କ୍ଷତି ହେବନି, ବରଂ ନିଜର କିଛି ଟଙ୍କା ବଞ୍ଚିବ । ଯଦି ଆମେ ଏପରି କରିବା ଆମ ପରିବେଶକୁ ଆମେ ସୁସ୍ଥ ରଖିପାରିବା, କାରଣ ଆମ ସମାଜ ଓ ଆମ ପରିବେଶର ଦାୟିତ୍ୱ ଆମ ହାତରେ ସରକାରଙ୍କ ହାତରେ ନୁହେଁ । ଏବେ ଆହୁରି ଗୋଟେ ବଡ଼ ଜିନିଷ ଦେଖିବାକୁ ମିଳୁଛି କି ଆମରି ଲୋକମାନେ ଘରେ ବନାଉଥିବା ଫୁଲଝରି କିମ୍ବା ବାଣ ପରିବର୍ତ୍ତେ ଲୋକମାନେ ଚୀନରୁ ଆସୁଥିବା ରସାୟନ ବାଣ ଅଧିକ କିଣୁଛନ୍ତି । ଯଦିଓ ଏହି ବାଣ ଶସ୍ତାରେ ମିଳୁଛି କିନ୍ତୁ ଏହି ସବୁ ବାଣର ପରିବେଶ ଉପରେ ଅନେକ କ୍ଷତିକାରକ ପ୍ରଭାବ ରହୁଛି । ଏବଂ ଶେଷରେ ଆଉ ଏକ ବିଶେଷ ଅନୁରୋଧ, ଏପରି ଅଧିକ ଶବ୍ଦ କରୁଥିବା ବାଣ ବ୍ୟବ‌ହାର ନ କରିବା ପାଇଁ । ପ୍ରଥମେ ଅପଣ ଏପରି କରନ୍ତୁ, ଧିରେ ଧିରେ ଆଖପାଖଲୋକ ବି ଆପଣଙ୍କୁ ଦେଖି ଅଧିକ ଶବ୍ଦ କରୁଥିବା ବାଣ ଓ ଅଧିକ ଧୁଆଁ ବାହାରୁଥିବା ବାଣର ବ୍ୟବ‌ହାର ବନ୍ଦ କରିଦେବ । ଫଳରେ ଆମ ପରିବେଶ କିଛିମାତ୍ରାରେ ପ୍ରଦୂଷଣ ମୁକ୍ତ ରହିବ ।

ଦୀପାବଳୀକୁ ଏପରି ପାଳନ୍ତୁ, ଯାହା ଏହାର ନାମକୁ ଚରିତାର୍ଥ କରିବ, ନିଜର ଇଚ୍ଛା ଓ ଦେଖେଇବା ପଣିଆକୁ ନୁହେଁ ।

No comments:

Post a Comment